ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପ୍ରକାଶିତ ଓଡିଶା ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ପାଟଣାଗଡ ଅଞ୍ଚଳର ପ୍ରଥମ ଝିଅ ନିତୃଶ୍ରୀ ମେହେର(୨୪)ଙ୍କ ସଫଳତାକୁ ନେଇ ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ସମୁଦାୟ ୧୪୮ ଝିଅ ଏବଂ ୨୪୪ ପୁଅଙ୍କୁ ମିଶାଇ ୩୯୨ ଜଣ ଉକ୍ତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ବେଳେ ପାଟଣାଗଡ ବ୍ଲକ ଖୁଣ୍ଟସମଲାଇ ପଞ୍ଚାୟତ ଅନ୍ତର୍ଗତ ଦଲପାଲିର ରୁଦ୍ରମଣୀ ମେହେର ଏବଂ ପଦ୍ମିନୀ ମେହେରଙ୍କ ଝିଅ ନିତୁଶ୍ରୀ ୧୧୩ତମ ସ୍ଥାନରେ କୃତକାର୍ଯ୍ୟ ହୋଇଥିବା ଜଣାଯାଇଛି। ପେଶାରେ ଜଣେ ସଫଳ ଚାଷୀ
ଭାବରେ ଜଣାଶୁଣା ରୁଦ୍ରମଣୀଙ୍କ ଦୁଇ ସନ୍ତାନଙ୍କ ମଧ୍ୟରୁ ପୁଅ(ବଡ଼) ଶିକ୍ଷକତା କରୁଥିବା ବେଳେ ଝିଅ( ସନ) ନିତୁଶ୍ରୀ ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ସଫଳତା ପାଇଁ ସମଗ୍ର ଅଞ୍ଚଳ ପାଇଁ ଗର୍ବ ଏବଂ ଗୌରବ ଆଣି ଦେଇଛନ୍ତି ।
ପିଲାଟି ଦିନରୁ ଜଣେ ମେଧାବୀ ଛାତ୍ରୀ ହିସାବରେ ନିତୁଶ୍ରୀ ବେଲପଡା ନବୋଦୟ ବିଦ୍ୟାଳୟରୁ ପାଠ ସାରି ଭୁବନେଶ୍ବର ବିଜେବି ମହାବିଦ୍ୟାଳୟରୁ ସଫଳତାର ସହ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ପରେ ସେ ୟୁନିଭରସିଟି ଅଫ୍ ହାଇଦ୍ରାବାଦରୁ ଅର୍ଥଶାସ୍ତ୍ରରେ ସଫଳତାର ସହ ସ୍ନାତୋକତ୍ତୋର ଡିଗ୍ରୀ ହାସଲ କରିଥିଲେ ଉଲ୍ଲେଖନୀୟ ବିଷୟ ଯେ, ନିତୃଶ୍ରୀ ପ୍ରଥମ ଉଦ୍ୟମରେ ଏହି ସଫଳତା ହାସଲ କରିଛନ୍ତି । ଭବିଷ୍ୟତରେ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ସଫଳତା ହାସଲ ତାଙ୍କ ଜୀବନର ସବୁଠାରୁ ବଡ ଲକ୍ଷ୍ୟ ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଏହାବ୍ୟତୀତ ସେ ନିଜେ ଗ୍ରାମାଞ୍ଚଳରୁ ଆସିଥିବା ବେଳେବି ମାନ ସେ ଗ୍ରାମ୍ୟ ଅର୍ଥନୀତିର ବିକାଶ ଏବଂ ମହିଳା ଶିକ୍ଷା ଉପରେ ବିଶେଷ ଗୁରୁତ୍ଵ ଦେବେ ବୋଲି ଏକ ସ୍ଵତନ୍ତ୍ର ସାକ୍ଷାତକାରରେ କହିଛନ୍ତି । ତାଙ୍କର ଏହି ସଫଳତା ହେତୁ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଥିବା ଜଣାଯାଇଛି ।