ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଜି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି ଯେ, ୯ବର୍ଷର ମୋଦୀ ଶାସନର ଗୁଣଗାନ ଚାଲିଛି । ମାତ୍ର ଏହି ୯ ବର୍ଷରେ ଦେଶର ସାଧାରଣ ଜନତା ତଳିତଳାନ୍ତ ହୋଇପଡ଼ିଛନ୍ତି । “ମୋଦୀ ମାର୍କା ବିକାଶ”ଟି କ’ଣ ତାହା ଭାରତର ଜନସାଧାରଣ ଆଜି ଅନୁଭବ କଲେଣି । ମହଙ୍ଗା ମାଡ଼ରେ ଦେଶର ଜନତା ଆଜି ହନ୍ତସନ୍ତ । ଖାଇବା ତେଲ, ଅଟା ଓ ଡାଲି ପ୍ରଭୃତି ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଦର ଆଜି ଆକାଶ ଛୁଆଁ । କଂଗ୍ରେସ ଅମଳରେ ମିଳୁଥିବା ୪୧୦ ଟଙ୍କାର ଗ୍ୟାସ ଟାଙ୍କି ଆଜି ୧୧୩୦ ଟଙ୍କା ଟପିଛି । ୨୦୧୪ ମସିହା ପୂର୍ବରୁ ଡିଜେଲ ଲିଟର ପିଛା ୫୫ ଟଙ୍କା ଏବଂ ପେଟ୍ରୋଲ ଲିଟର ପିଛା ୬୫ ଟଙ୍କାରୁ ୭୦ ଟଙ୍କାରେ ମିଳୁଥିବାବେଳେ, ମୋଦୀ ସରକାରରେ ତାହା ୧୦୦ ଟଙ୍କା ପାର ହୋଇଛି । ନରେନ୍ଦ୍ର ମୋଦୀଙ୍କୁ ଦରଦାମ ବୃଦ୍ଧିର ପ୍ରତୀକ ବୋଲି ଅତ୍ୟୁକ୍ତି ହେବ ନାହିଁ ।
ଦେଶର ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରତାରିତ କରିଛନ୍ତି । ଚାଷୀଙ୍କର ଆୟ ଦ୍ୱିଗୁଣିତ କରିବେ ବୋଲି ୨୦୨୨ ସୁଧା ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ପ୍ରକୃତରେ ଚାଷୀର ଆୟ ୨୦୧୪ ଠାରୁ ବହୁ ପରିମାଣରେ କମିଯାଇଛି । ଏକଥା ଖୋଦ୍ ସରକାରଙ୍କ ଦସ୍ତାବିଜ୍ର ତଥ୍ୟ । ୩ ଟି କଳା କୃଷି ଆଇନ୍ ପ୍ରଣୟନ କରିଥିଲେ । ଯେଉଁଥିରେ ଚାଷୀଙ୍କର ସର୍ବସ୍ୱାନ୍ତ ହୋଇଥାନ୍ତା । ଚାଷୀଙ୍କର କ୍ଷେତର ମାଲିକ ଆଜି ମୋଦୀଙ୍କର ବନ୍ଧୁ ଶିଳ୍ପପତିମାନେ ହୋଇଥାନ୍ତେ । ଏହି ଆଇନକୁ ଦେଶର କୃଷକ ସମାଜ ବିରୋଧ କଲେ । ଯେଉଁଥିରେ ୭୦୦ କୃଷକଙ୍କର ଜୀବନ ଗଲା । କୃଷକଙ୍କୁ ଖଲିସ୍ଥାନୀ, ଦେଶଦ୍ରୋହୀ ଓ ଆନ୍ଦୋଳନଜିବୀ ପ୍ରଭୁତି ଅନେକ ଅପବାଦ ଦିଆଗଲା । ଏପରିକି କେନ୍ଦ୍ର ଗୃହମନ୍ତ୍ରୀଙ୍କ ପୁଅ ମଧ୍ୟ ଆନ୍ଦୋଳନରତ ୮ ଜଣ ଚାଷୀଙ୍କୁ ଗାଡ଼ି ଚଢ଼େଇ ମାରିଦେଲେ ।
ଏ ହେଉଛି ମୋଦୀ ସରକାରଙ୍କର ଚାଷୀ ବିରୋଧି ମନୋଭାବ । ସଂସଦରେ ମୋଦୀ ସରକାରଙ୍କ ଦ୍ୱାରା ଉପସ୍ଥାପିତ ତଥ୍ୟ ଅନୁଯାୟୀ କେନ୍ଦ୍ର ସରକାରଙ୍କର ବିଭିନ୍ନ ବିଭାଗରେ ୧୦ ଲକ୍ଷ ପଦବୀ ଖାଲି ପଡ଼ିଛି । କେବଳ ରେଳବାଇରେ ୨ ଲକ୍ଷ ୯୦ ହଜାର ପଦବୀ ଖାଲି ପଡ଼ିଛି । ୨୦୧୪ ମସିହା ପୂର୍ବରୁ ବିଭିନ୍ନ ନିର୍ବାଚନୀ ସଭାରେ ବିଜେପି ଦଳ ଓ ନରେନ୍ଦ୍ର ମୋଦୀ ଭାରତର ଜନସାଧାରଣଙ୍କୁ ପ୍ରତିଶ୍ରୁତି ଦେଲେ ଯେ, ବର୍ଷକୁ ୨ କୋଟି ନିଯୁକ୍ତିର ବ୍ୟବସ୍ଥା କରିବେ । ଏହି ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ହେଲା । ଏହି ପ୍ରସଙ୍ଗରେ ମୋଦୀଙ୍କର “ପକୋଡ଼ା ନିଯୁକ୍ତି” ଉପାଖ୍ୟାନ ଏ ଦେଶର ବେକାର ଯୁବତୀ ଓ ଯୁବକମାନଙ୍କ ପ୍ରତି ଏକ ଉପହାସ । ଏପରିକି କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଡାକ୍ତରଖାନା ଗୁଡ଼ିକରେ ୪୦ ପ୍ରତିଶତ ପଦବୀ ଖାଲି ପଡ଼ିଥିବାବେଳେ ଏଠାରେ ଚିକିତ୍ସା ବ୍ୟବସ୍ଥା କିପରି ଥିବ ତାହା ସ୍ପଷ୍ଟ ବୁଝାପଡ଼ିଯାଉଛି ।
ମୋଦୀଙ୍କ ରାଜତ୍ୱରେ ବିଶ୍ୱ କ୍ଷୁଧା ସୂଚକାଙ୍କ-୨୦୨୨ ତଥ୍ୟ ଅନୁଯାୟୀ ୧୨୧ ଟି ଦେଶ ମଧ୍ୟରୁ ଭାରତର ସ୍ଥାନ ୧୦୭ । ଭାରତ ଉପରେ ପାକିସ୍ଥାନ-୯୯, ବାଙ୍ଗଲାଦେଶ-୮୪ ଏବଂ ନେପାଳ-୮୧ ଏବଂ ଶ୍ରୀଲଙ୍କା-୬୪ ସ୍ଥାନରେ ରହିଛି । ଅର୍ଥାତ ନରେନ୍ଦ୍ର ମୋଦୀଙ୍କ ଶାସନରେ ଭାରତ ଏକ ଭୋକିଲା ଦେଶ ଅପବାଦ ମୁଣ୍ଡାଇଛି । ବିମୁଦ୍ରୀକରଣ ଏବଂ ଜିଏସ୍.ଟି ଦ୍ୱାରା ୪ କୋଟିରୁ ଅଧିକ ଲୋକ ନିଜର ଜୀବିକା ହରାଇଲେ ଏବଂ ସେମାନେ ଅଧିକ ଗରୀବ ହୋଇଗଲେ । ୬୨ ଲକ୍ଷରୁ ଅଧିକ ଅଣୁ, କ୍ଷୁଦ୍ର ଓ ମଧ୍ୟମବର୍ଗ ଶିଳ୍ପ ସଂସ୍ଥା ସବୁ ବନ୍ଦ ହୋଇଗଲା । ଅଣସଂଗଠିତ କ୍ଷେତ୍ର ସଂପୂର୍ଣ୍ଣରୂପେ ଧ୍ୱସ୍ତ ବିଧ୍ୱସ୍ତ ହୋଇଗଲା ।
ଅଣସଂଗଠିତ କ୍ଷେତ୍ର ଭାରତ ବର୍ଷର ଅର୍ଥନୀତିକୁ ଅଧିକ କ୍ରିୟାଶିଳ ଓ ଶକ୍ତିଶାଳୀ କରିଥାଏ । କଂଗ୍ରେସ ସରକାର ଦେଶରେ ଯେଉଁ ସଂପତି ସୃଷ୍ଟି କରିଥିଲା ଏହି ୯ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସେଗୁଡ଼ିକୁ ତାଙ୍କର ବନ୍ଧୁ ଶିଳ୍ପପତିଙ୍କ ହାତରେ ଟେକି ଦେଇଛନ୍ତି । ରେଳବାଇ, ସ୍ଥଳ ଓ ଜଳ ବନ୍ଦର, ମୂଲ୍ୟାବାନ ଖଣି, ଜୀବନ ବୀମା ଓ ବ୍ୟାଙ୍କ ପ୍ରଭୁତି ଆଜି ମୋଦୀଙ୍କର ଅନ୍ତରଙ୍ଗ ପୁଞ୍ଜିପତିମାନଙ୍କ ହାତରେ । ‘ମୋଦୀ-ଅଦାନୀ’ ମଧୁ ଚନ୍ଦ୍ରିକାରେ ଏଲ.ଆଇ.ସି., ଷ୍ଟେଟବ୍ୟାଙ୍କ ଓ ଅନ୍ୟାନ୍ୟ ଅର୍ଥଲଗାଣକାରୀ ସଂସ୍ଥାର ଅବସ୍ଥା ଆଜି ଶୋଚନୀୟ । ଜମାକାରୀମାନେ ଭୀତସ୍ତ୍ରତ । ମୋଦୀ ଏମାନଙ୍କୁ ପ୍ରଭାବିତ କରି ଆଦାନୀକୁ ପରିପୃଷ୍ଠ କରିବାକୁ ଅର୍ଥ ଦେବାକୁ ପ୍ରବର୍ତାଇଲେ । କରୋନା ମହାମାରି ମୁକାବିଲାରେ ମୋଦୀ ସରକାର ସଂପୂର୍ଣ୍ଣ ବିଫଳ । ଦେଶରେ ଭୟାନକ ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଘଂଟ, ଘଂଟା, ଧୂପ, ଦୀପ ଲଗାଇ କରୋନାରୁ ମୁକ୍ତି ପାଇଁ ମୋଦୀକୃତ ପ୍ରହସନ ଚାଲିଲା ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁଯାୟୀ ଭାରତ ବର୍ଷର ୪୭ ଲକ୍ଷ ଲୋକ କରୋନା ମହାମାରୀର ପ୍ରାଣ ହରାଇଛନ୍ତି । କିନ୍ତୁ ଅତ୍ୟନ୍ତ ଦୁଃଖ ଓ କଷ୍ଟର କଥା ସରକାର ସଂସଦରେ କୌଣସି ଜଣେ ବ୍ୟକ୍ତି ଔଷଧ, ଚିକିତ୍ସା, ବେଡ଼ ଏବଂ ଅକ୍ସିଜେନ ରେ ମରିନାହାନ୍ତି ବୋଲି କହିଲେ । ସମ୍ବିଧାନ ଓ ସାମ୍ବିଧାନିକ ଅନୁଷ୍ଠାନ ଗୁଡ଼ିକର ଗୌରବମୟ ଇତିହାସକୁ ସଂପୂର୍ଣ୍ଣଭାବେ ଭୂ ଲୁଣ୍ଠିତ କରିଦିଆଗଲା । ଏପରିକି ଦେଶର ୯୭ ପ୍ରତିଶତ ଇଡ଼ି., ସିବିଆଇ, ଓ ଆଇଡ଼ି କେସ୍ ଗୁଡ଼ିକ ବିରୋଧି ଦଳର ନେତୃମାନଙ୍କୁ ଦମନ କରିବା ପାଇଁ କରାଯାଇଛି । ଯେଉଁ ବିରୋଧି ଦଳର ନେତୃବର୍ଗମାନେ ଏହି ଦମନ ପ୍ରକ୍ରିୟାରେ ଅଂଟା ସଳଖୀ ଛିଡ଼ା ହୋଇପାରିଲେ ନାହିଁ । ସେମାନେ ବିଜେପି ଦଳର ମିଶିଲା ପରେ ତାଙ୍କ ୱାସିଙ୍ଗ ମେସିନ୍ରେ ସଫା ସୁତରା ହୋଇଗଲେ କିପରି? ଗୋଆ, ମହାରାଷ୍ଟ୍ର, କର୍ଣ୍ଣାଟକ, ମଧ୍ୟପ୍ରଦେଶ ଏବଂ ମଣିପୁର ପ୍ରଭୁତି ନିର୍ବାଚିତ ରାଜ୍ୟ ସରକାରଙ୍କୁ ସମ୍ବିଧାନିକ ବିଧିବ୍ୟବସ୍ଥାର ସଂପୂର୍ଣ୍ଣ ଉଲଂଘନ କରି ଅର୍ଥବଳ ଓ ବାହୁବଳ ଦ୍ୱାରା ଏ ସରକାରକୁ ଭାଙ୍ଗି ଦିଆଗଲା ଏବଂ ନିଜ ସରକାରକୁ ଜେନତେନ ପ୍ରକାରରେ ଲଦି ଦିଆଗଲା । ଏହା ହେଉଛି ନରେନ୍ଦ୍ର ମୋଦୀ ଓ ବିଜେପି ଦଳ ଗଣତନ୍ତ୍ରଙ୍କୁ ଭଲପାଇବାର ଏକ ନମୁନା ।
ଦେଶର ଶିକ୍ଷା ବ୍ୟବସ୍ଥା ଭୁଷୁଡ଼ି ପଡ଼ିଛି । ଜାତୀୟ ଶିକ୍ଷା ନୀତି-୨୦୨୦ ଆର.ଏସ୍.ଏସ୍.ର ବିଚାର ଧାରାରେ ପ୍ରସ୍ତୁତ ହୋଇଛି । ଶିକ୍ଷା ବ୍ୟବସ୍ଥାରେ ଧର୍ମୀୟ ଭାବନା ଭର୍ତି କରିଦିଆଯାଇଛି । ଶିକ୍ଷାର ଘରୋଇକରଣକୁ ପ୍ରୋତ୍ସାହନ ଦିଆଯାଉଛି । ଏବେ ଭାରତ ବର୍ଷର ପ୍ରଥମ ଶିକ୍ଷା ମନ୍ତ୍ରୀ ତଥା ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ମୌଲାନା ଆବୁଲକାଲାମା ଆଜାଦ୍, ସାରେ ଜାହାଂସେ ରଚୟତା ମହମ୍ମଦ ଇକ୍ୱାଲଙ୍କ ବିଷୟ ଆଉ ରାଜନୀତି ବିଜ୍ଞାନ ଓ ଇତିହାସ ବହିରେ ପଢ଼ାଯିବ ନାହିଁ । ଏବେ ଗାନ୍ଧୀ, ନେହେରୁକୁ ଛୋଟ କରିବା ପାଇଁ ବିଜେପି ଦଳର ଆଇଟିସେଲ୍ ଠାରୁ ଆରମ୍ଭ କରି ନେତା, ମନ୍ତ୍ରୀ ଖୋଦ୍ ପ୍ରାଧନମନ୍ତ୍ରୀ ମଧ୍ୟ ଲାଗିପଡ଼ିଛନ୍ତି । ବେଟି ପଢ଼ାଓ, ବେଟି ବଚାଅ ନାରା ସଂପୂର୍ଣ୍ଣ ଏକ ପ୍ରହସନରେ ପରିଣତ ହୋଇଛି । ଭାରତ ବର୍ଷର ମହିଳାମାନେ ଅତ୍ୟନ୍ତ ଭୟ, ଦୁଃଖ ଓ ଅସହ୍ୟ ଯନ୍ତ୍ରଣା ଦେଇ ଗତି କରୁଅଛି । ଅଧିକାଂଶ ବିଜେପି ଦଳର ମନ୍ତ୍ରୀ, ବିଧାୟକ ଓ ସାଂସଦ ସମସ୍ତେ ମହିଳା ନିର୍ଯ୍ୟାତନା ଓ ଦୁଷ୍କକର୍ମରେ ସଂପୃକ୍ତ । କ୍ଷମତାକୁ ଆସିବା ପାଇଁ ଜାତି, ଧର୍ମ,ବର୍ଣ୍ଣ ଓ ଭାଷାର ବିଭେଦତା ସୃଷ୍ଟି କରି ଦେଶରେ ହିଂସା ଓ ଘୃଣାର ବିଷ ମଞ୍ଜି ବୁଣୁଛନ୍ତି । ଏ ହେଉଛି ୯ ବର୍ଷର ନୀତିହୀନ ମୋଦୀ ସରକାର ।