ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କେନ୍ଦ୍ରରେ ବିଜେପି ସରକାର ଏବଂ ରାଜ୍ୟରେ ବିଜେଡ଼ି ସରକାରଙ୍କର ସମସ୍ତ କ୍ଷେତ୍ରରେ ବିଫଳତା, ଜନମାରଣ ନୀତି, ବ୍ଲକ ସ୍ତର ଠୁ ଆରମ୍ଭ କରି ସମସ୍ତ ସରକାରୀ କାର୍ଯ୍ୟରେ ୧୫ ରୁ ୫୦ ପ୍ରତିଶତ ପି.ସି. ଆଦାୟ, ଶିକ୍ଷିତ ଯୁବକ ଯୁବତୀ ଆଜି ବେକାର, କୃଷି ଓ କୃଷକ ସମସ୍ୟା ଦରଦାମ୍ ବୃଦ୍ଧି, ନାରୀ ନିର୍ଯ୍ୟାତନା, ବିଜୁଳି ଦରବୃଦ୍ଧି ଓ ଟାଟାକମ୍ପାନୀଙ୍କ ଉପଭୋକ୍ତାମାରଣ ନୀତି ଆଦି ୯ ଗୋଟି ଦାବି ନେଇ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଆଜି ରାଜ୍ୟର ସମସ୍ତ ୩୧୪ ଗୋଟି ବ୍ଲକରେ ସଂପୃକ୍ତ ବ୍ଲକ କଂଗ୍ରେସ କମିଟି ପକ୍ଷରୁ “ବ୍ଲକ ଘେରାଉ” କାର୍ଯ୍ୟକ୍ରମ ଅତ୍ୟନ୍ତ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ବି.ଡି.ଓ.ଙ୍କ ଜରିଆରେ ପ୍ରଦାନ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମକୁ ସଫଳ କରାଇଥିବାରୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ପଟ୍ଟନାୟକ ଏଥିରେ ସାମିଲ ହୋଇଥିବା ସମସ୍ତ କଂଗ୍ରେସ ନେତୃବୃନ୍ଦ, ପଦାଧିକାରୀ, କର୍ମୀ, କୃଷକ, ଶ୍ରମିକ ଓ ଓଡ଼ିଶାର ଅଗଣିତ ସାଧାରଣ ଜନତାଙ୍କୁ ଧନ୍ୟବାଦ ଦେବା ସହ କୃତଜ୍ଞତା ଜଣାଇଛନ୍ତି । ଆସନ୍ତା ଦିନରେ ଓଡ଼ିଶାବାସୀ କଂଗ୍ରେସକୁ ଏହିପରି ସାହାଯ୍ୟ ଓ ସହଯୋଗ କରିବା ପାଇଁ ଶ୍ରୀଯୁକ୍ତ ପଟ୍ଟନାୟକ ଆଶା ପୋଷଣ କରିଛନ୍ତି ।