ପିନ୍‌ ଗିଳି ଛାତ୍ରଙ୍କ ମୃତ୍ୟୁ

0

ଓଡ଼ିଆ ନ୍ୟୁଜ୍: ପିନ୍ କଣ୍ଟା ଗିଳି ଦେବାରୁ ଛାତ୍ରଙ୍କ ମୃତ୍ୟୁ। ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କଲେ ପରିବାର। କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଥାନା ଅନ୍ତର୍ଗତ ଧୋବାତୋଟା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ତୁଷାର ମିଶ୍ର ଗତ ୧୫ ତାରିଖରେ ବିଦ୍ୟାଳୟ ନୋଟିସ୍‌ ବୋର୍ଡର ପିନ୍‌କୁ ଅସାବଧାନତାବଶତଃ ଗିଳି ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ବ୍ରହ୍ମପୁର ବଡ଼ଡାକ୍ତରଖାନା ଏବଂ ସେଠାରୁ କଟକ ଶିଶୁଭବନକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଡାକ୍ତରଙ୍କ ଅକ୍ଳାନ୍ତ ପରିଶ୍ରମ ସ‌ତ୍ତ୍ବେ ଗତ ୨୬ ତାରିଖରେ ତୁଷାରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

କାଳୀପ୍ରସାଦ ମିଶ୍ରଙ୍କ ପୁଅ ତୁଷାରଙ୍କ ଘର ଦାରିଙ୍ଗବାଡ଼ିରେ। ସେ ଫୁଲବାଣୀ ସହର ମାଷ୍ଟରପଡ଼ାରେ ଅଜାଙ୍କ ଘରେ ରହି ପାଠ ପଢ଼ୁଥିଲେ। ଗତ ୧୫ ତାରିଖରେ ସେ ବିଦ୍ୟାଳୟ ନୋଟିସ୍‌ ବୋର୍ଡରେ ଲାଗିଥିବା ଏକ ପିନ୍‌କୁ ଗିଳିଦେଇଥିଲେ। ତେ‌ବେ ତୁଷାର ଓ ତାଙ୍କ ସାଙ୍ଗମାନେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଏ ସଂକ୍ରାନ୍ତରେ ଅବଗତ କରି ନଥିଲେ କି, କେହି ଏହାକୁ ଗୁରୁତ୍ବର ସହ ନେଇ ନଥିଲେ। ବିଦ୍ୟାଳୟ ଛୁଟି ପରେ ଘରକୁ ଫେରି ତୁଷାର ପିନ୍‌ ଗିଳିଦେଇଥିବା ନେଇ ଅଜା ରାମପ୍ରସାଦ ମିଶ୍ରଙ୍କୁ କହିଥିଲେ। ଦୁଇ ଡାକ୍ତରଖାନାରେ ଚିକିତ୍ସା ପରେ ତାଙ୍କୁ କଟକ ଶିଶୁଭବନକୁ ନିଆଯାଇଥିଲା। ଡାକ୍ତରମାନେ ତୁଷାରଙ୍କ ଫୁସ୍‌ଫୁସ୍‌ରୁ ପିନ୍‌ଟିକୁ ବାହାର କରିଥିଲେ ମଧ୍ୟ ସେତେବେଳକୁ ଅନେକ ବିଳମ୍ବ ହୋଇଯାଇଥିଲା।

 

Leave A Reply

Your email address will not be published.