ଓଡିଆ ନ୍ୟୁଜ (ବ୍ୟୁରୋ) : କୋଲକାତାରୁ ପର୍ୟ୍ୟଟକଙ୍କୁ ନେଇ ପୁରୀ ଯାଉଥିବା ଏକ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭଣ୍ଡାରିପୋଖରୀର ପେଟ୍ରୋଲ ପମ୍ପ ନିକଟରେ ଯାତ୍ରୀବାହୀ ବସ ଓଲଟିବାରୁ ୨୫ ଯାତ୍ରୀ ଆହତ ହୋଇଛନ୍ତି । କୌଣସି କାରଣ ବଶତଃ ଅଧାବାଟରେ ରାସ୍ତାକଡ଼କୁ ଭାରସାମ୍ୟ ହରାଇ ତୀର୍ଥଯାତ୍ରୀ ବସଟି ଓଲଟି ପଡ଼ିବାରୁ ୨୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଭଦ୍ରକ ଜିଲ୍ଲା ଭଣ୍ଡାରି ପୋଖରୀ ଥାନା ଅନ୍ତର୍ଗତ ପେଟ୍ରୋଲ ପମ୍ପ୍ ନିକଟରେ ଆଜି ସକାଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଆହତଙ୍କ ମଧ୍ୟରେ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ବସ୍ ତଳେ କିଛି ଯାତ୍ରୀ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ବସ୍ଟି କ୍ରେନ ସାହାଯ୍ୟରେ ଉଠାଯାଉଛି।
ସୂଚନା ଅନୁସାରେ ଆଜି ସକାଳେ ପ୍ରାୟ ୬୨ ଜଣ ପର୍ୟ୍ୟଟକଙ୍କୁ ନେଇ ଶିବମ ନାମକ ତୀର୍ଥଯାତ୍ରୀ ବସ୍ଟି ପଶ୍ଚିମବଙ୍ଗରୁ ପୁରୀ ଅଭିମୁଖେ ଯାଉଥିଲା। ଏହି ସମୟରେ ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ଥାନା ଅଧିକାରୀ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ।