୫-ଟି ଅଧିନସ୍ଥ ଅସ୍ତରଙ୍ଗ ବ୍ଲକର ପଢ଼ିଆରୀ ବିଦ୍ୟାପୀଠର ଛାତରୁ ପ୍ଲାଷ୍ଟର ଖସିବା ପ୍ରସଙ୍ଗ:ବିଦ୍ୟାଳୟ ପରିଦର୍ଶନ କରିଛନ୍ତି ବିଜେପିର ଏକ ପ୍ରତିନିଧି ଦଳ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): “୫-ଟି ସ୍କୁଲ; ବାହାରକୁ ଭଲ, ଭିତରେ ଖୋଳ” । ୫-ଟି ରୂପାନ୍ତରଣ ନାଁରେ ରାଜନୈତିକ ଫାଇଦା ନେବା ପାଇଁ ଶାସକ ବିଜୁ ଜନତା ଦଳର ସାଙ୍ଘାତିକ ଷଡଯନ୍ତ୍ର ପଦାରେ ପଡିଛି । ବାସ୍ତବରେ ଶାସକ ବିଜୁ ଜନତା ଦଳର କର୍ମୀ ଓ ଠିକାଦାରମାନଙ୍କ ରୋଜଗାରର ପନ୍ଥା ସାଜିଛି ୫-ଟି । ରାଜ୍ୟବାସୀଙ୍କ ଆଖିରେ ଧୂଳି ଦେଇ କୋଟି କୋଟି ଟଙ୍କାକୁ ଆତ୍ମସାତ କରାଯାଉଛି । ୫-ଟି କାରଣରୁ ଭାବେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ସବୁଠୁ ଅଧିକ କ୍ଷତିଗସ୍ତ ହେଉଛି । ରାଜ୍ୟର ଅନେକ ସ୍ଥାନରେ ୫-ଟି ହାଇସ୍କୁଲ ରୂପାନ୍ତରଣ ଯୋଜନାରେ ହୋଇଥିବା ସ୍କୁଲର ଛାତରୁ ପାଣି ପଡୁଥିବା ବେଳେ କେଉଁଠି ସ୍କୁଲର ପାଚେରି ଭାଙ୍ଗିଯାଉଛି ତ ଆଉ କେଉଁଠି ଛାତର ଫଲ୍ସ ଖସି ପଡି ଶିକ୍ଷକ ଆହତ ହେଉଛନ୍ତି । ବିଦ୍ୟାଳୟମାନଙ୍କୁ ନେଇ ବିଜେଡି ସରକାର ଯେଉଁ ରାଜନୀତି କରୁଛି, ଓଡ଼ିଶାବାସୀ କ୍ଷମା ଦେବେ ନାହିଁ । ୫-ଟି ନାମରେ ଶିକ୍ଷାନୁଷ୍ଠାନଗୁଡିକରେ ଦଳୀୟରଙ୍ଗ ଲଗାଇ ରାଜ୍ୟ ସରକାର କେବଳ ଭେଳିକି କରୁଛନ୍ତି ଯାହାର ଉଦାହରଣ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ତାଳଦାସ୍ଥିତ ପଢ଼ିଆରୀ ବିଦ୍ୟାପୀଠରେ ଦେଖିବାକୁ ମିଳିଛି ବୋଲି ପୂର୍ବତନ ସାଂସଦ ତଥା ବିଜେପି ଅନୁସୁଚିତ ମୋର୍ଚ୍ଚା ରାଜ୍ୟ ସଭାପତି ଡ.ବିଭୁ ପ୍ରସାଦ ତରାଇ କହିଛନ୍ତି ।

ଗତ ୬ମାସ ତଳେ ୫-ଟି ପାଂଠିରୁ ୪୫ ଲକ୍ଷ ଏବଂ ସ୍ଥାନୀୟ ପଂଚାୟତ ପାଂଠରୁ ୫ଲକ୍ଷ (ସର୍ବମୋଟ ୫୦ ଲକ୍ଷ) ଟଙ୍କା ବ୍ୟୟରେ ପଢିଆରୀ ବିଦ୍ୟାପୀଠକୁ ୫-ଟି ସ୍କୁଲରେ ରୂପାନ୍ତରିତ କରାଯାଇଥିଲା । ବିଦ୍ୟାଳୟ କାନ୍ଥରୁ ରଙ୍ଗ ଖସି ଯାଇଥିବାବେଳେ ଗତକାଲି ବିଦ୍ୟାଳୟର କମନ୍ ରୁମ୍‌ର ଛାତ ପ୍ଲାଷ୍ଟର ଖସି ଜଣେ ଶିକ୍ଷୟତ୍ରୀ ପ୍ରିୟଦର୍ଶିନୀ ସେନାପତି ଓ ସିଆରସିସି ତ୍ରିଲୋଚନ ବେହେରା ଓ ଦୈତାରୀ ନାୟକ ଆହତ ହୋଇ ଚିକିତ୍ସା ପାଇଁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି । ଏଭଳି ସଂଗୀନ ସ୍ଥିତିର ବାସ୍ତବ ସ୍ଥିତି ପରଖିବା ପାଇଁ ଡ.ତରାଇଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ଅସ୍ତରଙ୍ଗ ଗସ୍ତ କରି ବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ଏଥି ସହ ଚିକିତ୍ସିତ ହୋଇ ଭୁବନେଶ୍ୱରରୁ ଫେରି ଆସିଥିବା ଆହତ ଶିକ୍ଷୟିତ୍ରୀଙ୍କୁ ଭେଟିଛନ୍ତି ବିଜେପି ପ୍ରତିନିଧି ଦଳ ।

ଗତ କାଲିର ଘଟଣା ପରେ ବିଦ୍ୟାଳୟ କର୍ତୃପକ୍ଷ ଚିନ୍ତିତ ଥିବାବେଳେ ଅଭିଭାବକମାନେ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷାକୁ ନେଇ କୋକୁଆ ଭୟ ସୃଷ୍ଟି ହୋଇଛି । ରୁପାନ୍ତରଣ କାର୍ଯ୍ୟକୁ ନେଇ ସ୍ଥାନୀୟବାସିନ୍ଦାଙ୍କ ଅସନ୍ତୋଷ ରହିଛି । ଜେଇଙ୍କ ନାଁରେ ୱାର୍କ ଅର୍ଡର ଏବଂ ବିଡିଓଙ୍କ ପାଖରେ ସ୍ଥାନୀୟ ଲୋକ ନିମ୍ନମାନର କାମ ହେଉଛି ବୋଲି ଅଭିଯୋଗ କରିଥିଲେ ମଧ୍ୟ କର୍ଣ୍ଣପାତ କରାଯାଇନଥିଲା । ଫଳରେ ଗତକାଲି ୩ଜଣ ଗୁରୁତର ଆହତ ହୋଇଛନ୍ତି । ବିଡିଓଙ୍କ ଅବହେଳା ହେତୁ ଏଭଳି ଘଟଣା କଟିଥିବାରୁ ତାଙ୍କୁ ତୁରନ୍ତ ସସ୍‌ପେଣ୍ଡ କରାଯିବା ସହ ଠିକାଦାର ବିରୋଧରେ ଦୃଷ୍ଟାନ୍ତମୁଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡ. ତରାଇ ଦାବି କରିଛନ୍ତି ।

ସ୍କୁଲରେ ସବୁଜ ରଙ୍ଗବୋଳି ଆଖି ଝଲସେଇ ଲୋକଙ୍କୁ ଭକୁଆ ବନାଇ ଟଙ୍କା ଲୁଟିବା କୌଶଳର ଅନ୍ୟନାମ ୫-ଟି ରୂପାନ୍ତରଣ । ସତ୍ୟାସତ୍ୟ ଉନ୍ମୋଚନ ହୋଇଯିବା ଭୟରେ ଗତ କାଲିର ଘଟଣା ପରେ ଶାସକ ବିଜେଡିର ଠିକାଦାର ଓ ଗୁଣ୍ଡାମାନେ ରକ୍ତ ଦାଗ ଲାଗିଥିବା ସ୍ଥାନକୁ ପୋଛି ଦେଇଥିବାବେଳେ ଆଜି ବିଦ୍ୟାଳୟକୁ ବନ୍ଦ କରିଦେଇ ପ୍ରତିନିଧିଦଳକୁ ଯିବାକୁ ରୋକାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଡ.ତରାଇ କହିଛନ୍ତି ।

୫-ଟି ରୁପାନ୍ତରଣର ଶିକାର କେବଳ ତାଳଦାସ୍ଥିତ ପଢ଼ିଆରୀ ବିଦ୍ୟାପୀଠ ହୋଇନାହିଁ । ରାଜ୍ୟର ସମସ୍ତ ବିଦ୍ୟାଳୟରେ ଅତି ନିମ୍ନମାନର କାର୍ଯ୍ୟ କରାଯାଇ କୋଟି କୋଟି ଟଙ୍କା ହଡପ୍ କରାଯାଉଛି । ନିମ୍ନମାନର କାର୍ଯ୍ୟ ପାଇଁ ଏବେ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ୫-ଟି ସ୍କୁଲକୁ ଯିବାକୁ ଭୟ କରୁଛନ୍ତି । ୫-ଟି ଦ୍ୱାରା ଅନେକ ସ୍କୁଲର ବିକାଶ ହେଉଛି ବୋଲି ରାଜ୍ୟ ସରକାର ଡିଣ୍ଡିମ ପିଟୁଛନ୍ତି ପ୍ରକୃତରେ ଏହି ସ୍କୁଲରେ ଦଳୀୟ ରଙ୍ଗମାରି ପ୍ରଚାର କରାଯାଉଛି । ୫-ଟି ନାଁରେ ୩୪ଶହ କୋଟି ଟଙ୍କା ଖର୍ଚ୍ଚ ସରିଲାଣି । ପୁରୁଣା ଘରକୁ ଦଳୀୟ ରଙ୍ଗ କରି ଲୁଟ୍ କରିବାରେ ମାଧ୍ୟମ ହୋଇଛି ୫-ଟି । ଶିକ୍ଷାର ଗୁଣାତ୍ମକ ଦୃଷ୍ଟିକୂଣରୁ କୌଣସି କାର୍ଯ୍ୟ ହେଉନାହିଁ ବୋଲି ଡ. ତରାଇ କହିଛନ୍ତି । ଏହି ପ୍ରତିନିଧି ଦଳରେ ରାଜ୍ୟ ମୁଖପାତ୍ର ତେଜେଶ୍ୱର ପରିଡା, ପୁରୀ ଜିଲ୍ଲା ସଭାପତି ଆଶ୍ରୀତ ପଟ୍ଟନାୟକ, ପୂର୍ବତନ ବିଧାୟକ ବାଇଧର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.