ଓଡିଆ ନ୍ୟୁଜ୍(ବ୍ୟୁରୋ): ଉତ୍ତରପ୍ରଦେଶ ସହ ଉତ୍ତରାଖଣ୍ଡ, ମଣିପୁର ଓ ଗୋଆରେ ବି ବିଜେପି ସରକାର । ଏହାକୁ ଭିକ୍ଟ୍ରି-୪ ବୋଲି କହିଛନ୍ତି ନରେନ୍ଦ୍ର ମୋଦି । ବିଜେପିର ସଫଳତା ପରେ ଦଳୀୟ ନେତା ଓ କର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି, ରାଜନୀତି ବିଷାରଦଙ୍କ ମତରେ ୨୦୧୭ ଉତ୍ତର ପ୍ରଦେଶ ବିଜୟ ୨୦୧୯ ଲୋକସଭା ନିର୍ବାଚନ ବିଜୟର ପଥ ପରିସ୍କାର କରିଥିଲା । ଏବେ ବିଷାରଦ କହିବେ ୨୦୨୨ ନିର୍ବାଚନ ଫଳାଫଳ ୨୦୨୪ର ଭାଗ୍ୟ ନିର୍ଦ୍ଧାରଣ କରିବ । ମୋଦି କହିଛନ୍ତି, ଉତ୍ତରାଖଣ୍ଡରେ ବିଜେପି ନୂଆ ଇତିହାସ ଲେଖିଛି । ଉତ୍ତରପ୍ରଦେଶରେ ୩୪ବର୍ଷ ପରେ କୌଣସି ଦଳ ସରକାରକୁ ଆସିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶ ଏବଂ ଗରିବ କଲ୍ୟାଣ ଯୋଜନାକୁ ଆଧାର କରି ଭୋଟରଙ୍କ ପାଖରେ ପହଞ୍ଚିଥିବା ବିଜେପି ପ୍ରଚଣ୍ଡ ଜନମତ ପାଇଛି । କିନ୍ତୁ ଉତ୍ତର ପ୍ରଦେଶର ନିର୍ବାଚନ ବିଜେପି ପାଇଁ ଥିଲା ବଡ଼ ଚ୍ୟାଲେଞ୍ଜ । ୫ ବର୍ଷର ଶାସନ ପରେ ପୁଣି ଥରେ କ୍ଷମତାକୁ ଫେରିବା ଥିଲା ବଡ଼ ଲ୍ୟାଲେଞ୍ଜ ।
ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଠିକ ପୂର୍ବରୁ ଧର୍ମେନ୍ଦ୍ରଙ୍କ ଉପରେ ବିଶ୍ୱାସ ପ୍ରକଟ କରି ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଦେଇଥିଲେ ଗୁରୁ ଦାୟିତ୍ୱ । ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଭାରୀ ନିଯୁକ୍ତ କରିଥିଲା ଦଳ । ୟୁପିରେ ଦଳକୁ ବିଜୟୀ କରାଇବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ରାଜ୍ୟ ବିଜେପି ସଭାପତି ସ୍ୱତନ୍ତ୍ର ଦେବ ସିଂଙ୍କ ସହ ମିଶି ଧର୍ମେନ୍ଦ୍ର ବିରୋଧୀଙ୍କୁ ମାତ ଦେବା ପାଇଁ ରଚିଥିଲେ ରଣନୀତି। ଏବେ ହୋଇଛନ୍ତି ବିଜୟର ବିନ୍ଧାଣୀ ।
ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଯେବେଯେବେ ଧର୍ମେନ୍ଦ୍ରଙ୍କ ଉପରେ ବିଶ୍ୱାସ ପ୍ରକଟ କରି ଗୁରୁ ଦାୟିତ୍ୱ ଦେଇଛନ୍ତି, ସବୁବେଳେ ସେ ତାହା ପୂରଣ କରି ଦେଖାଇଛନ୍ତି। ଧର୍ମେନ୍ଦ୍ରଙ୍କ ପରିଶ୍ରମ ଦଳ ଏବଂ ସଂଗଠନକୁ ଅଧିକ ମଜବୁତ କରାଇଛି । ୟୁପି ପୂର୍ବରୁ ପ୍ରଭାରୀ ଦାୟିତ୍ୱ ତୁଲାଇ ବିହାର, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ, କର୍ଣ୍ଣାଟକ, ଛତିଶଗଡ଼ ପରି ରାଜ୍ୟରେ ଦଳକୁ ମଜବୁତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ଧର୍ମେନ୍ଦ୍ର ।