ପୁରୀ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି, ବଡଦାଣ୍ଡର ୨୨ଟି ସ୍ଥାନରେ କଡା ସୁରକ୍ଷା ଗ୍ରହଣ କରାଯିବ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):ପବିତ୍ର ଦେବସ୍ନାନ ପୂର୍ଣ୍ଣମୀରେ ଭକ୍ତଙ୍କ ଗହଣରେ ଶାନ୍ତି ଶୃଙ୍ଖଳାର ସହ ଶେଷ ହେବା ପରେ ଏବେ ବଡ ଚ୍ଯାଲେଞ୍ଜ ହୋଇଛି ଭକ୍ତଙ୍କୁ ନେଇ ରଥଯାତ୍ରା ସୁପରିଚାଳନା କରିବା। ଆଉ ଖାସ୍‌ ଏଥିପାଇଁ ପୋଲିସ ପ୍ରଶାସନ ନିଜର ପ୍ରସ୍ତୁତି ଆରମ୍ଭ କରିଛି। ଜୁଲାଇ ୧ରେ ବିଶ୍‌ ପ୍ରସିଦ୍ଧ ରଥଯାତ୍ରା ଥିବାରୁ ପୋଲିସ ପ୍ରଶାସନ ସବୁଦିଗକୁ ନେଇ ନିଜର ପ୍ରସ୍ତୁତି କରୁଛି। ଆଜି ଏସପିଙ୍କ ସମ୍ମିଳନୀ କକ୍ଷରେ ଆଇନଶୃଙ୍ଖଳା ଅତିରିକ୍ତ ଡିଜି ରାଧାକୃଷ୍ଣ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ତିନି ଜୋନର ଆଇଜିଙ୍କ ସହ ବରିଷ୍ଠ ପୋଲିସ ପଦାଧିକାରୀମାନେ ଯୋଗଦେଇ ଏ ସମସ୍ତ ଦିଗ ଉପରେ ଆଲୋଚନା କରିଛନ୍ତି। ବିଶେଷ କରି ଶ୍ରୀମନ୍ଦିର ଭିତରେ ଓ ବାହାରେ, ଗୁଣ୍ଡିଚା ମନ୍ଦିର ଭିତର ଓ ବାହାର, ତିନି ରଥର ଇନର ଓ ଆଉଟଡୋର କର୍ଡନ, ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ସମସ୍ତ ପ୍ରମୁଖ ସାହି ଓ ଗଳିକନ୍ଦି, ଜନଗହଳି ନିୟନ୍ତ୍ରଣ, ରଥଟଣା, ଭିଭିଆଇପିଙ୍କ ସୁରକ୍ଷା ଓ ଦର୍ଶନ ନେଇ ଆଲୋଚନା ହୋଇଛି।

ଏହି ସମୀକ୍ଷା ବୈଠକରେ ପହଣ୍ଡି ସମୟରେ ଶ୍ରୀମନ୍ଦିର ଭିତରେ ଓ ବାହାରେ ସୁରକ୍ଷା ବ୍ଯବସ୍ଥା କିଭଳି ରହିବ, କେଉଁ କେଉଁ ସ୍ଥାନରେ କେତେ ପୋଲିସ ମୁତୟନ ରହିବେ, ଷ୍ଟ୍ରାଇକିଙ୍ଗ ଫୋର୍ସ ଓ ସେକ୍ଟର ସ୍ତରୀୟ ଅଧିକାରୀ ନିୟୋଜିତ ନେଇ ଆଲୋଚନା ହୋଇଥିଲା। କେବଳ ଶ୍ରୀମନ୍ଦିର ଭିତରେ ୧୩ଟି ସେକ୍ଟରରେ ବିଭକ୍ତ କରାଯିବ। ଆଇନଶୃଙ୍ଖଳା ଏଡିଜି ନିଜେ ପୋଲିସ ସୁରକ୍ଷା ବ୍ଯବସ୍ଥା ଦାୟିତ୍ବରେ ରହିବେ। କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ଶ୍ରୀମନ୍ଦିର ଭିତରେ, ଆଇଜି ହେଡ କ୍ଵାଟର ଏସ୍‌. ଦେବଦତ ସିଂ ଓ ଏସଟିଏଫ ଡିଆଇଜି ଜେ.ଏନ୍‌. ପଙ୍କଜ ରଥଟଣା ଓ କର୍ଡନ ପରିଚାଳନା ଦାୟିତ୍ବରେ ରହିବେ। ଏମାନଙ୍କୁ ସହଯୋଗ କରିବା ପାଇଁ ନୋଡାଲ ଅଧିକାରୀ ଭାବେ ଅତିରିକ୍ତ ଏସପି, ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ନିୟୋଜିତ ରହିବେ। ଟ୍ରାଫିକ ସୁପରିଚାଳନା ପାଇଁ ସ୍ୱତନ୍ତ୍ର ପ୍ଲାନ ହେବା ସହ ଇଣ୍ଟିଗ୍ରେଟେଡ କଣ୍ଟ୍ରୋଲ ରୁମ୍‌ କାର୍ଯ୍ଯ କରିବ। ଜନଗହଳି ନିୟନ୍ତ୍ରଣ ଓ ଟ୍ରାଫିକ ପରିଚାଳନାକୁ ସର୍ବାଧିକ ଗୁରୁତ୍ବ ଦିଆଯିବ ବୋଲି ଅତିରିକ୍ତ ଡିଜି ସୂଚନା ଦେଇଛନ୍ତି। ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଅତିରିକ୍ତ ଡିଜି ରାଧାକୃଷ୍ଣ ଶର୍ମାଙ୍କ ଅଧ୍ୟକ୍ଷତାରେ ଏସପିଙ୍କ କାର୍ଯ୍ଯାଳୟରେ ଆୟୋଜିତ ଗୁରୁତ୍ୱପୁର୍ଣ୍ଣ ବୈଠକରେ ଆଇଜି ଅମିତାଭ ଠାକୁର, ନରସିଂହ ଭୋଳ, ସତ୍ୟବ୍ରତ ଭୋଇ, ଏସ. ଦେବଦତ୍ତ ସିଂହ, ଡିଆଇଜି ଅନିରୁଦ୍ଧ କୁମାର ସିଂହ, ଜେ.ଏନ.ପଙ୍କଜ ସହ ପୁରୀ ଏସପି କନୱର ବିଶାଳ ସିଂ ଉପସ୍ଥିତ ଥିଲେ ।

Leave A Reply

Your email address will not be published.