ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଜଗତପୁର ପୋଲିସ ଓ ସ୍ପେସାଲ ସ୍କ୍ୱାଡ ମିଳିତ ଭାବେ ବେଆଇନ ଜୁଆ ଆଡା ଉପରେ ଚଢାଉ କରି ଜୁଆରେ ସଂପୃକ୍ତ ୩୦ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ପୁରୀ, ଖୋର୍ଦ୍ଧା ଓ କଟକ ଜିଲ୍ଲାର ବିଭିନ୍ନ ଅଞ୍ଚଳର ବୋଲି ଜଣା ପଡିଛି। ସୁଚନା ଅନୁଯାଇ ଡିସିପି କଟକଙ୍କ ନିର୍ଦ୍ଦେଶକ୍ରମେ ଗତ କାଲି ସ୍ପେସାଲସ୍କ୍ୱାର୍ଡ ଓ ଜଗତପୁର ଥାନା ଅଧିକାରୀ ରବିନ୍ଦ୍ର ନାଥ ମେହେରଙ୍କ ତତ୍ୱାବଧାନରେ ଏକ ଟିମ ପ୍ରସ୍ତୁତ କରାଯାଇ ଜଗତପୁରସ୍ଥିତ ଶିକାରୀପୁର ପାଗାସାହିରେ ଏକ କୋଠା ଘରେ ଚାଲିଥିବା ବେଆଇନ ଜୁଆ ଆଡା ଉପରେ ଚଢ଼ାଉ କରାଯାଇଥିଲା।
ଚଢ଼ାଉ ସମୟରେ ଜୁଆ ଖେଳର ମାଷ୍ଟର ମାଇଣ୍ଡ ଓ. କ୍ରିଷ୍ଣା ରାଓଙ୍କ ସମେତ ଉକ୍ତ ଆଡ୍ଡାରୁ ଜୁଆରେ ସଂପୃକ୍ତ ୩୦ଜଣଙ୍କୁ ଗିରଫ କରିବା ସହ ଜୁଆରେ ବ୍ୟବହୃତ ୧୬ ପକେଟ୍ ତାସ୍ ପତି, ଏକ ପ୍ଲାଷ୍ଟିକ ଜାରରେ ଥିବା ଖେଳରେ ବ୍ୟବହୃତ ଟୋକନ୍ ୩୧ଟି ମୋବାଇଲ ଫୋନ, ୪ଟି ବାଇକ ଓ ନଗଦ ୮ଲକ୍ଷ ୪ହଜାର ୮ଶହ ଟଙ୍କା ଜବତ କରିଛି ଜଗତପୁର ପୋଲିସ। ଜୁଆ ଖେଳର ମାଷ୍ଟର ମାଇଣ୍ଡ ଓ.କ୍ରିଷ୍ଣା ରାଓ ଜଣେ ପେସାଦାର ଜୁଆ ଖେଳାଳି। ପୁର୍ବରୁ ଓ.କ୍ରିଷ୍ଣା ରାଓ ଅନେକ ଥର ଗିରଫ ହୋଇ ଜେଲ୍ ଯାଇଥିବା କଟକ ଜୋନ୍ ୧ ଏସିପି ଅରୁଣ କୁମାର ସ୍ୱାଇଁ ପ୍ରେସ ମିଟିଙ୍ଗରେ ସୂଚନା ଦେଇଛନ୍ତି।