ଭୋଟ ଦେଉଛି ଧାମନଗର, କଡା ସୁରକ୍ଷାରେ ଚାଲିଛି ମତଦାନ ପ୍ରକ୍ରିୟା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଧାମନଗର ଉପ-ନିର୍ବାଚନ ଲାଗି ମତଦାନ ଆରମ୍ଭ ହୋଇଛି । ସକାଳୁ ଆରମ୍ଭ ହୋଇଥିବା ଏହି ମତଦାନ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିବ । ଲୋକେ ଭୋଟ ଦେଇ ନିଜ ପସନ୍ଦର ବିଧାୟକ ବାଛୁଛନ୍ତି । ଏଥିପାଇଁ ଧାମନଗରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମଇଦାନରେ ବିଜେଡିର ଅବନ୍ତୀ ଦାସ, ବିଜେପିର ସୂର୍ଯ୍ୟବଂଶୀ ସୂରଜ ଓ କଂଗ୍ରେସର ବାବା ହରେକୃଷ୍ଣ ସେଠୀ ଥିବା ବେଳେ ସମସ୍ତ ଦଳ ଲାଗି ନିର୍ବାଚନ ଅଗ୍ନିପରୀକ୍ଷା ପାଲଟିଛି । ତିନି ପ୍ରମୁଖ ଦଳର ପ୍ରାର୍ଥୀ ବିଭିନ୍ନ ପ୍ରସଙ୍ଗକୁ ନେଇ ମଇଦାନକୁ ଓହ୍ଲାଇଛନ୍ତି ।

ଦିନ ଗୋଟାଏ ସୁଦ୍ଧା ୩୮.୭୫ ପ୍ରତିଶତ ଭୋଟିଂ ହୋଇଛି । ଶାନ୍ତି ଶୃଙ୍ଖଳାର ସହ ମତଦାନ ଚାଲିଥିବା ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଲାଇନରେ ଆସି ପରିଚୟପତ୍ର ଦେଖାଇ ନିଜ ମତାଧିକାର ସାବ୍ୟସ୍ତ କରୁଛନ୍ତି ଧାମନଗର ଭୋଟର । ସନ୍ଧ୍ୟା ୬ଟା ଯାଏ ମତଦାନ ଚାଲିବ । ୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୨ ଲକ୍ଷ ୩୮ହଜାର ୪୧୭ ଭୋଟର୍‌ । ମୋଟ୍‌ ୨୫୨ଟି ବୁଥ୍‌ରେ ମତଦାନ ଚାଲିଛି ।

ଉପନିର୍ବାଚନରେ ୨ଲକ୍ଷ ୪୦ହଜାର ଭୋଟର ମତଦାନ କରିବେ । ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ସଂଧ୍ୟା ୬ଟା ଯାଏଁ ଚାଲିବ ମତଦାନ । ୨୫୨ ପୋଲିଂ ପାର୍ଟି ୧ ହଜାର ୮ ଜଣ ପୋଲିଂ କର୍ମଚାରୀ ଉପସ୍ଥିତିରେ ୨୫୨ଟି ବୁଥରେ ଚାଲିଛି ଭୋଟଦାନ ପ୍ରକ୍ରିୟା । ଏଥିରେ ୫ଟି ପିଙ୍କ ବୁଥ ଥିବା ବେଳେ ୨୦ଟି ଆଦର୍ଶ ବୁଥ ରହିଛି । ନିର୍ବାଚନରେ କିଏ ମାରିବେ ବାଜିମାତ୍ ଆସନ୍ତା ୬ ତାରିଖରେ ତାହା ହେବ ସ୍ପଷ୍ଟ ।

ଧାମନଗର ଉପନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ଲାଗି ବ୍ୟାପକ ବ୍ୟବସ୍ଥା ବ୍ୟବସ୍ଥା କରାଯାଇଛି । ୧୧୦ଟି ଉତ୍ତେଜନାପୂର୍ଣ୍ଣ ବୁଥରେ କଡା ସୁରକ୍ଷା ବଳୟରେ ଭୋଟ ଗ୍ରହଣ ଚାଲିଛି । ୧୨୬ଟି ବୁଥରେ ଓ୍ବେବକାଷ୍ଟିଂ କରାଯିବ ।। ଦୃଷ୍ଟିହୀନଙ୍କ ପାଇଁ ବ୍ରେଲ୍ ଇଭିଏମ୍ ବ୍ୟବସ୍ଥା ହୋଇଥିବା ବେଳେ ଭିନ୍ନକ୍ଷମ ଭୋଟରଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଭୋଟର ପରିଚୟ ପତ୍ର ଛଡା ୧୨ ଟି ଅନ୍ୟ ଡକ୍ୟୁମେଣ୍ଟ ଦେଖାଇ ବି ଭୋଟ ଦେଇ ପାରିବେ ଭୋଟର । ସବୁ ବୁଥରେ ହେଲ୍ପ ଡେସ୍କ ରହିଛି । ଉପନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି । ନିର୍ବାଚନମଣ୍ଡଳୀରେ ମୋଟ ୧୩ଟି ଚେକ ପଏଣ୍ଟରେ ଗାଡି ଗୁଡିକୁ କଡାକଡ଼ି ଚେକିଂ କରାଯାଉଛି । ୧ହଜାର ପୋଲିସ ନିୟୋଜିତ ହେବା ସହ ୪ କମ୍ପାନୀ ସିଆରପିଏଫ୍ , ୨୨ ପ୍ଲାଟୁନ୍ ରାଜ୍ୟ ସଶସ୍ତ୍ର ପୋଲିସ ବଳ, ୨୪ଟି ମୋବାଇଲ ପେଟ୍ରୋଲିଂ ଭ୍ୟାନ୍ ମୁତୟନ ହୋଇଛନ୍ତି । କୌଣସି ଅପ୍ରୀତିକର ପରିସ୍ଥିତି ଯେପରି ନହୁଏ ସେନେଇ କଡ଼ା ନଜର ରଖାଯାଇଛି।

Leave A Reply

Your email address will not be published.