ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସୋମବାର ଦିନ ନୂଆଦିଲ୍ଲୀର ବାୟୁ ପ୍ରଦୂଷଣ ସ୍ତର ‘ସଂଘାତିକ ସ୍ତର’ରେ ପହଞ୍ଚିଛି। ଏହି କାରଣରୁ ସହରରେ ପ୍ରଦୂଷଣ ନିୟନ୍ତ୍ରଣ ପଦକ୍ଷେପ କାର୍ଯ୍ୟକାରୀ ହେବାପରେ ଦଶମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଥିବା ସମସ୍ତ ଶ୍ରେଣୀକୁ ଅନଲାଇନରେ ପାଠପଢ଼ା ପାଇଁ ନିର୍ଦ୍ଦେଶ ମିଳିଛି। କେବଳ ସେତିକି ନୁହେଁ; ପ୍ରଦୂଷିତ ଯାନ ଏବଂ କାର୍ଯ୍ୟକଳାପ ଉପରେ ମଧ୍ୟ କଡ଼ା ପ୍ରତିବନ୍ଧକ ଲଗାଯାଇଛି। ଆଜି ସକାଳୁ ଦିଲ୍ଲୀରେ ବାୟୁର ମାନ ୪୮୦ ଉପରେ ଥିବା ରେକର୍ଡ କରାଯାଇଛି।
ଫଳରେ ମୁକାବିଲା ପାଇଁ ଆଜିଠୁ ସକାଳ ୮ଟାରୁ ଦିଲ୍ଲୀ-ଏନସିଆରରେ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍-୪ ଲାଗୁ ହୋଇଛି। ଏହି କଟକଣା ପରେ ଦିଲ୍ଲୀକୁ ବାହାର ରାଜ୍ୟରୁ ଆସୁଥିବା ଟ୍ରକ ପ୍ରବେଶ କରି ପାରିବେ ନାହିଁ। କେବଳ ସିଏନଜି, ଇଲେକ୍ଟ୍ରି ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଆସୁଥିବା ଟ୍ରକକୁ ପ୍ରବେଶ ଅନୁମତି ରହିବ। ଦିଲ୍ଲୀ ବାହାରେ ପଞ୍ଜିକୃତ ହାଲୁକା ବ୍ୟବସାୟିକ ଯାନ ବି ପ୍ରବେଶ କରିପାରିବେ ନାହିଁ।ସୋମବାର ସନ୍ଧ୍ୟାରେ ଜାତୀୟ ରାଜଧାନୀରେ କ୍ରମାଗତ ଭାବେ ଗମ୍ଭୀର ଅବସ୍ଥାରେ ବାୟୁ ରହିଛି। ରବିବାର ସଂଧ୍ୟାରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୫୭ ରହିଥିଲା।
ଆଜି ସକାଳ ସୁଦ୍ଧା ଆହୁରି ବୃଦ୍ଧି ପାଇ ଗୁରୁତର ଅବସ୍ଥାରେ ପହଞ୍ଚିଛି। ଦିଲ୍ଲୀର ୩୯ଟି ମନିଟରିଂ ଷ୍ଟେସନ ମଧ୍ୟରୁ ଅଧିକାଂଶ ‘ଗମ୍ଭୀର’ ବର୍ଗରେ ୪୫୦+ ବାୟୁ ଗୁଣବତ୍ତା ରେକର୍ଡ ହୋଇଛି। ଘନ କୁହୁଡ଼ି ଦୃଶ୍ୟମାନତାକୁ ଯଥେଷ୍ଟ ହ୍ରାସ କରିଥିଲା ଏବଂ ଦିଲ୍ଲୀ ବିମାନବନ୍ଦରରେ ଅଧିକାଂଶ ବିମାନକୁ ୩୦ମିନିଟରୁ ଏକ ଘଣ୍ଟା ବିଳମ୍ବ ଘଟାଇଥିଲା। କର୍ତ୍ତୃପକ୍ଷ ଯାତ୍ରୀମାନଙ୍କୁ ନିଜ ନିଜ ଅପରେଟରଙ୍କ ସହିତ ବିମାନ କାର୍ଯ୍ୟସୂଚୀ ନିଶ୍ଚିତ କରିବାକୁ ପରାମର୍ଶ ଦେଇଥିବା ବେଳେ ସ୍ପାଇସଜେଟ ଏବଂ ଇଣ୍ଡିଗୋ ଯାତ୍ରୀମାନଙ୍କୁ ଚେତାବନୀ ଦେଇଛନ୍ତି ଯେ କୁହୁଡି ହେତୁ ଟ୍ରାଫିକ ଧୀର କିମ୍ବା ବିଳମ୍ବ ହୋଇପାରେ।
Comments are closed.