ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭରତପୁର ଥାନା ମାମଲାରେ ସମ୍ପୃକ୍ତ ଥାନାଧିକାରୀ ଓ ଅନ୍ୟମାନଙ୍କ ମିଛଧରା ପରୀକ୍ଷା ରିପୋର୍ଟ (ପଲିଗ୍ରାଫ୍ ପରୀକ୍ଷା ରିପୋର୍ଟ), ବ୍ରେନ୍ ମ୍ୟାପିଂ ଓ ନାର୍କୋ ଆନାଲିସିସ୍ ରିପୋର୍ଟ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି। ତଦନ୍ତକାରୀ ଦଳ ଉକ୍ତ ରିପୋର୍ଟକୁ ସମୀକ୍ଷା କରୁଛନ୍ତି। ଗୁଜରାଟ ଗାନ୍ଧୀନଗର ଡିଏଫ୍ଏସ୍ଏଲରୁ ଏହି ରିପୋର୍ଟ ଆସିଛି। ଏନେଇ ଆଡଭକେଟ୍ ଜେନେରାଲ କୋର୍ଟଙ୍କୁ ଜଣାଇଛନ୍ତି।
ଏହାର ଏକ କପି ହାଇକୋର୍ଟ ଓ ଆମିକସ୍ କ୍ୟୁରୀଙ୍କୁ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଭରତପୁର ଥାନା ଘଟଣାରେ ହୋଇଥିବା ସମସ୍ତ ମାମଲାର ତଦନ୍ତ ଜାରି ରହିଥିବା ନେଇ କୋର୍ଟଙ୍କୁ ଜଣାଇଛନ୍ତି ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ। ସୂଚନା ଅନୁସାରେ, ଗୁଜୁରାଟ ଫରେନସିକ୍ ଲାବ୍ରେ ଭରତପୁର ଥାନା ଅଧିକାରୀଙ୍କର ଫରେନସିକ୍ ଓ ପଲିଗ୍ରାଫ ଟେଷ୍ଟ କରିଥିଲା କ୍ରାଇମବ୍ରାଞ୍ଚ । ଭରତପୁର ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କ ର ବ୍ରେନମ୍ୟାପିଂ, ପଲିଗ୍ରାଫ ଓ ନାର୍କୋଟେଷ୍ଟ କରାଯାଇଥିଲା । ସେହିପରି ତିନି ଜଣ ଏସ୍ଆଇ ଓ ଜଣେ ଏଏସ୍ଆଇଙ୍କର ପଲିଗ୍ରାଫ ଟେଷ୍ଟ କରିଥିଲା କ୍ରାଇମବ୍ରାଞ୍ଚ ।
ଗତ ଦୁଇ ଦିନ ତଳେ କ୍ରାଇମବ୍ରାଞ୍ଚ ହାତରେ ଫରେନସିକ୍ ରିପୋର୍ଟ ହସ୍ତଗତ ହୋଇଥିବା ବେଳେ ଆଜି ସାଇଣ୍ଟିଫିକ୍ ଟେଷ୍ଟ ରିପୋର୍ଟ ହସ୍ତଗତ ହୋଇଛି । ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୧୪ ତାରିଖ ରାତିରେ ଭରତପୁର ଥାନାରେ ଆର୍ମି ମେଜର ଓ ବାନ୍ଧବୀଙ୍କୁ ପୋଲିସ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ପୁରୁଷ ବନ୍ଧୁଙ୍କ ସହ ପୀଡ଼ିତା ରାତି ୧ଟା ବେଳେ ଅଭିଯୋଗ କରିବାକୁ ଯାଇଥିବା ବେଳେ ପୋଲିସ ଆକ୍ରମଣ କରିବା ସହ ଥାନା ଆଇଆଇସିଙ୍କ ବିରୋଧରେ ଅଭିଯୋଗ ହୋଇଥିଲା ।