ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାୟଗଡ଼ା ଜିଲ୍ଲାର ଲୋକ ମହୋତ୍ସବ ଚଇତି ୨୦୨୩ର ଶୁଭାରମ୍ଭ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ | ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କାର୍ଯ୍ୟାଳୟର ସଦଭାଵନା ଗୃହଠାରେ ଚଳିତ ବର୍ଷର ଲୋକ ମହୋତ୍ସବ ଚଇତି ୨୦୨୩ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଉକ୍ତ ବୈଠକ ବିଡ଼ିଓ ରାଜୀବ ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l
ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଏହି ବୈଠକରେ ପର୍ଯ୍ୟବେକ୍ଷକ ଭାବେ ପ୍ରକଳ୍ପ ନିର୍ଦ୍ଦେଶ ଡ଼ଃ ଦୟାନିଧି ବାଗ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ , କ ଜୋନ ଜିଲା ପରିଷଦ ସଦସ୍ୟ ବି ୱାରା ପ୍ରସାଦ ରାଓ,ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକ , ଏସ ଆଇ ସଞ୍ଜୟ କୁମାର ମୁର୍ମୁ, ରାୟଗଡ଼ା ଜିଲ୍ଲା କଳା ସଂସ୍କୃତି ସଂଘ ଉପ ସଭାପତି ସନ୍ତୋଷ କୁମାର ବଛା ପ୍ରମୁଖ ମଞ୍ଚାସିନ ରହିଥିଲେ । ଦକ୍ଷିଣ ଓଡ଼ିଶାର ସୁବିଖ୍ୟାତ ଐତିହାସିକ ସର୍ବପୁରାତନ ପ୍ରସିଦ୍ଧ ଶୈବପୀଠ ଦେବଗିରି ପାହାଡ ଉପରେ ଥିବା ଗଙ୍ଗା, ଯମୁନା କୁଣ୍ଡରୁ ପବିତ୍ର ଜଳ ସଂଗ୍ରହ କରି ରୀତିନୀତି ଅନୁଯାୟୀ ପୂଜାପାଠ କରିବା ପରେ ରାୟଗଡା ଜିଲ୍ଲାର ଏଗାର ଗୋଟି ବ୍ଲକକୁ ଉକ୍ତ ଜଳ ନେଇ ଅସ୍ଥାୟୀ ମଣ୍ଡପରେ ସ୍ଥାପନ କରି ଚଇତି ମହୋତ୍ସବ ୨୦୨୩ ଆରମ୍ଭ କରାଯିବ ବୋଲି ଆଲୋଚନା ହୋଇଛି ।
ଚଳିତ ମାସ ୧୧ ତାରିଖରେ କଲ୍ୟାଣସିଂହପୁର ଠାରେ ଶୁଭାରମ୍ଭ ସହ ବ୍ଲକ ସ୍ତରୀୟ ଚଇତି ମହୋତ୍ସବ ଅନୁଷ୍ଠିତ ହେବ। ଏଥିରେ ଆଞ୍ଚଳିକ ଭାଷା କଳା ସଂସ୍କୃତିର ପାରମ୍ପରିକ ଆଦିବାସୀ ଗୁର୍କି ନାଚ, ଘାଗଡା ନାଚ, ଡଙ୍ଗରିଆ ନାଚ , ଘୁମୁରା ନାଚ ଓ ସଙ୍କୀର୍ତ୍ତନ ମଣ୍ଡଳୀ ସହ ଭଳି କି ଭଳି ଅନ୍ୟ ପାରମ୍ପରିକ ଲୋକକଳା ନାଚ ବାଦ୍ୟର ତାଳେ ତାଳେ ଶିବ ମନ୍ଦିର ଠାରୁ କଳସ ଯାତ୍ରା ଆରମ୍ଭ କରି ନଗର ପରିକ୍ରମା କରିବା ପରେ ଅସ୍ଥାୟୀ ମଣ୍ଡପରେ ସ୍ଥାପନ କରି କାର୍ଯ୍ୟକ୍ରମ ଉଦଘାଟନ କରାଯିବ ବୋଲି ଏହି ବୈଠକରେ ଆଲୋଚନା ହୋଇଥିଲା ।
ଉକ୍ତ ବୈଠକରେ ବ୍ଲକ ମଙ୍ଗଳ ଅଧିକାରୀ ଚନ୍ଦନ ଦାସ ବାଙ୍ଗାରି , ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ବିଶ୍ୱଜିତ ସିଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବିଭାଗର କନିଷ୍ଠ କିରାଣୀ ଦୟାନିଧି ଭତ୍ରା, ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି , ବୁଦ୍ଧିଜୀବୀ, ସାମାଜିକ କର୍ମଚାରୀ, ବିଭିନ୍ନ ବିଭାଗର ଅଧିକାରୀ, ବିଭିନ୍ନ ରାଜନୈତିକ କର୍ମୀ ଏବଂ ଆଞ୍ଚଳିକ କଳାକାର ବୃନ୍ଦ ଉପସ୍ଥିତ ଥିଲେ।