ଓଡିଆ ନ୍ୟୁଜ୍(ବ୍ୟୁରୋ): ଓଡିଶାରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଦିଲ୍ଲୀ ବିମାନବନ୍ଦରରୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ବରରେ ପହଞ୍ଚିବା ପରେ ସେଠାରୁ ସେ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି। ପୁରୀ ଗଭର୍ଣ୍ଣର ହାଉସରେ ରାଷ୍ଟପତିଙ୍କ ରହଣିର ସ୍ବତନ୍ତ୍ର ବ୍ୟବସ୍ଥା କରଯାଇଛି।
ଭୁବନେଶ୍ବର ବିମାନବନ୍ଦରରେ ରାଷ୍ଟପତିଙ୍କୁ ସ୍ୱାଗତ କରିବା ପାଇଁ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଥିଲେ । ଭୁବନେଶ୍ୱରରୁ ହେଲିକପ୍ଟରରେ ଯାଇ ପୁରୀ ତାଳବଣିଆ ହେଲିପ୍ୟାଡରେ ପହଞ୍ଚିଛନ୍ତି ରାଷ୍ଟ୍ରପତି । ପୁରୀ ରାଜଭବନରେ କିଛି ସମୟ ରହିବା ପରେ ସଂଧ୍ୟା ୫ଟାରେ ଶ୍ରୀମନ୍ଦିର ଯାଇ ଗର୍ଭଗୃହରେ ମହାପ୍ରଭୁଙ୍କ ଦର୍ଶନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।
ସିଂହଦ୍ୱାର ନିକଟରେ ରାଷ୍ଟ୍ରପତିଙ୍କ କାର୍କେଡ ପହଞ୍ଚିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା କାର୍ଯ୍ୟକ୍ରମ ରହିଛି । ଶ୍ରୀମନ୍ଦିରରେ ୪୫ ମିନିଟ୍ ବିତାଇବା ପରେ ପୁରୀ ରାଜଭବନକୁ ପ୍ରତ୍ୟାବର୍ତ୍ତନ କରିବେ । ସୁରକ୍ଷା ଦୃଷ୍ଟିରୁ ରାଷ୍ଟ୍ରପତି ଓ ତାଙ୍କ ପରିବାରବର୍ଗ ରାଜଭବନରେ ରାତ୍ରୀଯାପନ କରିବେ । ରାଷ୍ଟ୍ରପତିଙ୍କ ସହ ଆସିଥିବା ଅଧିକାରୀ ଓ ସହାୟକମାନେ ଏକ ଘରୋଇ ହୋଟେଲ ଓ ସର୍କିଟ ହାଉସରେ ରହିବା ପାଇଁ ବ୍ୟବସ୍ଥା ହୋଇଛି ।
୨୦ ତାରିଖ ସକାଳ ୧୦ଟା ୩୫ରେ ରାଷ୍ଟ୍ରପତି ବଡ଼ଦାଣ୍ଡ ସ୍ଥିତ ଶ୍ରୀଚୈତନ୍ୟ ଗୌଡ଼ୀୟ ମଠ ପରିଦର୍ଶନରେ ଯିବେ । ୧୧ଟା ସମୟରେ ଶରଧାବାଲିରେ ହେବାକୁ ଥିବା ବିଶ୍ଵ ବୈଷ୍ଣବ ସମ୍ମିଳନୀରେ ଯୋଗ ଦେବେ । ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ କାରକେଡ୍ ରିହରସଲ କରାଯାଇଥିଲା । ସୁରକ୍ଷା ପାଇଁ ପ୍ରାୟ ୪୦ ପ୍ଲାଟୁନ ପୋଲିସ ମୁତୟନ ହୋଇଥିବାର ସୂଚନା ମିଳିଛି ।