ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଡିସେମ୍ବର ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବଲପୁର ଆସୁଥିବା ଜଣାଯାଇଛି। ଏନେଇ ପିଏମଓରୁ କୌଣସି ସୂଚନା ଦିଆଯାଇ ନଥିଲେ ବି ବିଶ୍ବସ୍ତ ସୂତ୍ରରୁ ଏନେଇ ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବଲପୁରରେ ଆଇଆଇଏମର ନୂତନ କ୍ୟାମ୍ପସ୍ ଉଦଘାଟନ କରିବା ସହ ଏକ ସାଧାରଣ ସଭାରେ ଯୋଗ ଦେବେ ବୋଲି ଜଣାଯାଇଛି। ଏନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ସୂଚନା ଦେଇଛନ୍ତି । ମୋଦିଙ୍କ ପରେ ଅନ୍ୟ କେନ୍ଦ୍ରୀୟ ନେତୃତ୍ୱ ମଧ୍ୟ ଡିସେମ୍ବରରୁ ଜାନୁଆରୀ ମଧ୍ୟରେ ଓଡ଼ିଶା ଆସିପାରନ୍ତି ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଓଡିଶା ଆସିବା ନେଇ କାର୍ଯ୍ୟକ୍ରମ ଅଛି ବୋଲି ସୂଚନା ଦେଇଛନ୍ତି ମୋହନ ମାଝୀ । ଏହା ସହିତ ପଶ୍ଚିମ ଓଡ଼ିଶାର କିଛି ସରକାରୀ ଯୋଜନା କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି । ସମ୍ବଲପୁରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ନେଇ ସୂଚନା ରହିଛି । ସେପଟେ ୩ ରାଜ୍ୟରେ ବିଜେପିର ବିଜୟ ପରେ ରାଜ୍ୟ ବିଜେପି ଆକ୍ଟିଭ୍‌ ରହିଛି । ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ବିଜେପିର ବିଜୟ ହେବା ନେଇ ଦୃଢ଼ୋକ୍ତି ବାଢ଼ିଛି ରାଜ୍ୟ ବିଜେପି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏନେଇ ଦୃଢ଼ୋକ୍ତି ବାଢ଼ିବା ସହ ଦଳ ସାଧାରଣ ଲୋକଙ୍କ ଆହୁରି ନିକଟତର ହେବ ବୋଲି କହିଛନ୍ତି ମନମୋହନ ।

ରାଜ୍ୟରେ ଏପରି ରାଜନୀତି ସରଗରମ ରହିଥିବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ଆହୁରି ଦଳକୁ ଆକ୍ଟିଭ୍‌ କରାଇବା ନେଇ ସାଧାରଣରେ କୁହାଯାଉଛି । ଖାଲି ଏତିକି ଯେ ତାହାନୁହେଁ, ପୂର୍ବରୁ ଡବଲ ଇଞ୍ଜିନ୍‌ ସରକାର ଗଢ଼ିବାକୁ ନେଇ ବିଜେପି ପକ୍ଷରୁ ବାରମ୍ବାର କୁହାଯାଉଥିଲା । ଯାହା ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଦଳ କରିଦେଖାଇଛି । ବର୍ତ୍ତମାନ ଓଡ଼ିଶା ଉପରେ ବିଜେପିର ଫୋକସ ରହିଥିବା ବିଜେପିର ନେତାମାନେ କହିଆସୁଛନ୍ତି । ଏପରି ସମୟରେ ମୋଦୀଙ୍କ ଓଡ଼ିଶା ଗସ୍ତ ଆହୁରି ରାଜ୍ୟ ରାଜନୀତିକୁ ସରଗରମ କରିବ ।

Leave A Reply

Your email address will not be published.