ଅଗଷ୍ଟରେ ୟୁକ୍ରେନ ଯିବେ ପ୍ରଧାନମନ୍ତ୍ରୀ ମୋଦି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆସନ୍ତା ଅଗଷ୍ଟ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନ ଗସ୍ତରେ ଯାଇପାରନ୍ତି। ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ହେବା ପରେ ମୋଦୀଙ୍କର ଏହା ପ୍ରଥମ ଗସ୍ତ ହେବ। ମୋଦୀ ନିକଟରେ ରୁଷ ଗସ୍ତ କରିବା ସମୟରେ ଆମେରିକା ଏବଂ ୟୁରୋପୀୟ ଦେଶଗୁଡ଼ିକ ଖପ୍ପା ହୋଇଯାଇଥିଲେ। ତେଣୁ ସମ୍ପର୍କକୁ ସନ୍ତୁଳିତ ରଖିବା ଲାଗି ମୋଦୀ ୟୁକ୍ରେନ ଗସ୍ତ କରିପାରନ୍ତି ବୋଲି ସୂଚନା ମିଳିଛି।

୨୦୨୨ରେ ରୁଷ ୟୁକ୍ରେନ ଉପରେ ଆକ୍ରମଣ କରିବା ପରଠାରୁ ଏହା ପ୍ରଧାନମନ୍ତ୍ରୀଙ୍କର ଯୁଦ୍ଧଗ୍ରସ୍ତ ରାଷ୍ଟ୍ରକୁ ପ୍ରଥମ ଗସ୍ତ ହେବ। ଜୁନରେ ଇଟାଲୀରେ ଅନୁଷ୍ଠିତ G୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ଜେଲେନସ୍କିଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। କିନ୍ତୁ ଯୁଦ୍ଧ ପରଠାରୁ ଜେଲେନସ୍କି ଭାରତର ସହାୟତା ଲୋଡ଼ି ଆସିଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ୟୁକ୍ରେନ ଗସ୍ତ କରିନଥିଲେ, ଯୁଦ୍ଧ ପରେ ଏହା ତାଙ୍କର ପ୍ରଥମ ଗସ୍ତ ହେବ। ମୋଦୀଙ୍କ ରୁଷ ଗସ୍ତକୁ ନେଇ ପଶ୍ଚିମ ଦେଶଗୁଡ଼ିକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଓ୍ବାଶିଂଟନରେ ନାଟୋ ଦେଶଗୁଡ଼ିକ ମଧ୍ୟରେ ବୈଠକ ଚାଲିଥିବାବେଳେ ମୋଦୀ ନିଜର ୩ୟ କାର୍ଯ୍ୟକାଳର ପ୍ରଥମ ବିଦେଶ ଗସ୍ତ ପାଇଁ ରୁଷକୁ ବାଛିବା ୟୁରୋପକୁ ଝଟ୍‌କା ଦେଇଛି। କାରଣ ରୁଷ ଯେଉଁଦିନ ୟୁକ୍ରେନ ରାଜଧାନୀ କିଭ୍‌ରେ ଥିବା ଏକ ଶିଶୁ ଡାକ୍ତରଖାନାରେ ବୋମାମାଡ଼ କରିଥିଲା, ସେହିଦିନ ମୋଦୀ ମସ୍କୋରେ ପହଞ୍ଚିଥିଲେ। ତେଣୁ ଏହାକୁ ନେଇ ସେତେବେଳେ ପ୍ରଧାନମନ୍ତ୍ରୀଙ୍କ ରୁଷ ଗସ୍ତକୁ ପଶ୍ଚିମ ଦେଶଗୁଡ଼ିକ ସମାଲୋଚନା କରିଥିଲେ।

Leave A Reply

Your email address will not be published.