ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବଡଜାରୀ ଗ୍ରାମମୁଣ୍ଡ ଠାରୁ କିତାବେଡା ଗ୍ରାମ ପର୍ଯ୍ୟନ୍ତ ପିଚୁ ରାସ୍ତା ନିର୍ମାଣ ନିମନ୍ତେ ରାଇରଙ୍ଗପୁର ବନଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ | ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ଡାହୁପାଣି ବନ ସୁରକ୍ଷା ସମିତି, ବଡଜାରୀ ବନ ସୁରକ୍ଷା ସମିତି, ଫୁଲବାଡିଆ ବନ ସୁରକ୍ଷା ସମିିିତି ଓ କିତାବେଡା ବନ ସୁରକ୍ଷା ସମିତିର ସଭ୍ୟସଭ୍ୟା ଗଣ ସେମାନଙ୍କ ଗାଁ ରାସ୍ତାର ଉନ୍ନତି ନିମନ୍ତେ ରାଇରଙ୍ଗପୁର ବନଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ |
ଉଲ୍ଲେଖଯୋଗ୍ୟ, ଗାଁ ଗୁଡିକ ଅତି ଉପାନ୍ତ ଅଞ୍ଚଳ ଏବଂ ଏଠାକୁ ଯାତାୟତ ନିମନ୍ତେ ରାସ୍ତାର ସୁବିଧା ନାହିଁ | ଏହି ରାସ୍ତାର ଉନ୍ନତି ପାଇଁ ଦୀର୍ଘ ଦିନରୁ ଦାବୀ କରିଆସୁଥିଲେ, ତାପରେ ବଡଜାରୀ ଗ୍ରାମମୁଣ୍ଡ ଠାରୁ କିତାବେଡା ଗ୍ରାମ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ଅର୍ଥ ମଞ୍ଜୁର ହୋଇଥିଲା | ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ଗତ ୧ ଡିସେମ୍ବର ୨୩ ଠାରୁ ଠିକାଦାର ଶ୍ରୀଯୁକ୍ତ ହରିହର ଗିରି ଆରମ୍ଭ କରିଥିଲେ | କିନ୍ତୁ କିଛି ଦିନ କାମ ଚାଲିବା ପରେ , ଏହା ଜଙ୍ଗଲ ଅଞ୍ଚଳ ପଡୁଥିବାରୁ ବନ ବିଭାଗ ଦ୍ବାରା କାର୍ଯ୍ୟ ବନ୍ଦ କରାଯାଇଥିଲା | ଗ୍ରାମବାସୀଗଣ ଉଜୁଡା ଜଙ୍ଗଲ ପୁନଃରୁଦ୍ଧାର କରିବା ସହିତ ଗ୍ରୀଷ୍ମ ଦିନରେ ନିଆଁ ଲିଭା କାର୍ଯ୍ୟ କରିଆସୁଛନ୍ତି | ଏଣୁ ଏହି ସମସ୍ୟାର ଯଥାଶୀଘ୍ର ସମାଧାନ କରି ପୁନଃ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ଜୋର ଦେଇଥିଲେ |
ତେଣୁ ଗ୍ରାମବାସୀ ଗଣ ରାଇରଙ୍ଗପୁର ବନଖଣ୍ଡ କାର୍ଯ୍ୟାଳୟ ପହଞ୍ଚି ବନଖଣ୍ଡ ଅଧିକାରୀଙ୍କ ଏକ ଦାବୀପତ୍ର ପ୍ରଦାନ କରିଥିଲେ | ଏହି ସମୟରେ ରାଇରଙ୍ଗପୁର ବ୍ଲକ ଅଧ୍ୟକ୍ଷ ଉପସ୍ଥିତ ଥିଲେ | ଏହାର ଅବିକଳ ନକଲ ସୁଦର୍ଶନ ପୁର ସରପଞ୍ଚ, ରାଇରଙ୍ଗପୁର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ବାମନଘାଟୀ ଉପଜିଲ୍ଲାପାଳ ଓ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି | ଉକ୍ତ ବିକ୍ଷୋଭ ସମୟରେ ଡାହୁପାଣି, ବଡଜାରୀ, ଫୁଲବାଡିଆ ଓ କିତାବେଡା ଗ୍ରାମବାସୀ ଯୋଗ ଦେଇଥିଲେ |