ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ଭୁବନେଶ୍ୱର ୟୁନିଟ୍ ୯ ସରକାରୀ ବାଳିକା ବିଦ୍ୟାଳୟକୁ ୟୁନିଟ୍ ୯ ବାଳକ ବିଦ୍ୟାଳୟରେ ମିଶ୍ରଣ କରିବାକୁ ନିଷ୍ପତ୍ତି ହୋଇଛି। ହେଲେ ଏହି ନିଷ୍ପତ୍ତିକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ବାଳିକା ବିଦ୍ୟାଳୟର ଛାତ୍ରୀ ଓ ଅଭିଭାବକ। ୟୁନିଟ୍ ୯ ସରକାରୀ ବାଳିକା ବିଦ୍ୟାଳୟକୁ ମିଶ୍ରଣ ନ କରିବା ପାଇଁ ସେମାନେ ଅଡ଼ି ବସିଛନ୍ତି। ଆଜି ଅଭିଭାବକ ଓ ଛାତ୍ରୀମାନେ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ବିକ୍ଷୋଭ କରିଛନ୍ତି। ବାଳିକା ବିଦ୍ୟାଳୟକୁ ଅନ୍ୟ କାହା ସହିତ ମିଶ୍ରଣ ନକରିବାକୁ ଦାବି କରିଛନ୍ତି। ୧୯୬୭ ମସିହାରେ ପ୍ରତିଷ୍ଠିତ ଏଇ ସ୍କୁଲରେ ପ୍ରାୟ ୫୦୦ ଛାତ୍ରୀ ପଢୁଥିବା ବେଳେ କାହିଁକି ସ୍କୁଲକୁ ମିଶ୍ରଣ କରାଯିବ ବୋଲି ପ୍ରଶ୍ନ କରିଛନ୍ତି ଛାତ୍ରୀ ଓ ଅଭିଭାବକ। ବିଇଓ ପ୍ରଜ୍ଞା ପରମିତା ଜେନା କହିଛନ୍ତି, ଘଟଣାସ୍ଥଳରେ ପହଞ୍ଚି ପିଲାମାନଙ୍କୁ ବୁଝାସୁଝା କରିଛନ୍ତି। ସେ କହିଛନ୍ତି, ଏ ବିଷୟରେ ସରକାରଙ୍କୁ ଅବଗତ କରାଇବି। ମୋ ହାତରେ କିଛି ନାହିଁ। ଜଣେ ଛାତ୍ରୀ କହିଛନ୍ତି, ଆମ ସ୍କୁଲରେ ଭଲ ପାଠ ପଢ଼ାଯାଉଛି। ଏଠାରେ ଆମକୁ ସମସ୍ତ ସୁବିଧା ସୁଯୋଗ ମିଳୁଛି। ଆମ ସ୍କୁଲକୁ ଅନ୍ୟ ସ୍କୁଲ ସହ ମିଶ୍ରଣ କରାଗଲେ ଆମେ ପାଉଥିବା ସୁବିଧା ସୁଯୋଗ ଆମକୁ ମିଳିବ ନାହିଁ।
ସରକାର ଆମ ଦାବି ମାନି ନିଅନ୍ତୁ। ସରକାର ଆମ ସ୍କୁଲକୁ ଅନ୍ୟ ସ୍କୁଲ ସହ ମିଶ୍ରଣ କରନ୍ତୁ ନାହିଁ। କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ଏହି ବାଳିକା ବିଦ୍ୟାଳୟ ଉଠିବ ନାହିଁ। ଯଦି ସରକାର ରମାଦେବୀ କଲେଜକୁ ଏତେ ଭଲ ପାଉଛନ୍ତି, ତା’ହେଲେ ଆଉ କେଉଁଠି ଜାଗା ଦିଅନ୍ତୁ। କିନ୍ତୁ ଏଠୁ ୟୁନିଟ୍ ୯ ସରକାରୀ ବାଳିକା ବିଦ୍ୟାଳୟ ଉଠିବ ନାହିଁ। ସୂଚନାଯୋଗ୍ୟ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରୁ ରମାଦେବୀ ଜୁନିୟର କଲେଜକୁ ଭୁବନେଶ୍ୱରର ୟୁନିଟ ୯ ବାଳିକା ସ୍କୁଲକୁ ଉଠିଯିବ ବୋଲି ଗଣଶିକ୍ଷା ବିଭାଗ ସ୍ୱତନ୍ତ୍ର ସଚିବଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦଶାଳୟର ନିର୍ଦ୍ଦେଶକ।
ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ କଳା ଓ ବାଣିଜ୍ୟ ବିଭାଗ ସ୍ଥାନାନ୍ତର ହେବ । ୟୁନିଟ ୯ ବାଳିକା ସ୍କୁଲରେ ଲାବୋରୋଟୋରୀ ନଥିବାରୁ ଥିବାରୁ ବିଜ୍ଞାନ ବିଭାଗକୁ ଏବେ ସେଠାକୁ ସ୍ଥାନାନ୍ତର କରାଯିବ ନାହିଁ।