ଓଡ଼ିଆ ନ୍ୟୁଜ୍: ସରିଲା ଆଡ଼ପମଣ୍ଡପ ଲୀଳା । ଭାଇ, ଭଉଣୀଙ୍କୁ ଧରି ବାହୁଡ଼ିଲେ କାଳିଆ ସାଆନ୍ତେ । ବାହୁଡ଼ା ଯାତ୍ରା ପାଇଁ ଶରଧାବାଲିରେ ଭକ୍ତଙ୍କ ଭିଡ। ଆଜି ଆଷାଢ଼ ଶୁକ୍ଳପକ୍ଷ ଦଶମୀ ବା ବାହୁଡ଼ା ଦଶମୀ । ଶ୍ରୀଜଗନ୍ନାଥ ମହାପ୍ରଭୁ ବଡ଼ଭାଇ , ଭଉଣୀ ଓ ଚକ୍ରରାଜ ସୁଦର୍ଶନଙ୍କୁ ସାଙ୍ଗରେ ନେଇ ରଥରେ ଗୁଣ୍ଡିଚା ଘରୁ ବଡ଼ ଦେଉଳକୁ ଫେରିବାର ପର୍ବ । ଏହି ଫେରନ୍ତା ଯାତ୍ରାକୁ ବାହୁଡ଼ା ଯାତ୍ରା କୁହାଯାଏ । ଶୁକ୍ରବାର ରାତିରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ପ୍ରସ୍ତୁତି ଚାଲିଛି।
ବାହୁଡ଼ାରେ ପ୍ରାତଃ ୪ଟାରେ ମଙ୍ଗଳା ଆଳତି ବଢ଼ିବା ପରେ ସୂର୍ୟ୍ୟପୂଜା ସରିଛି। ଦ୍ୱାରପାଳ ପୂଜା ଓ ବେଶଶେଷ ସହ ଗୋପାଳବଲ୍ଲଭ ବଢ଼ି ଓ ସକାଳ ଧୂପରେ ପୂଜାପଣ୍ଡା ସାଆନ୍ତେ ଠାକୁରମାନଙ୍କୁ ଖେଚୁଡି ଭୋଗ ଅର୍ପଣ ସରିଛି । ମୁଦିରସ୍ତ ସେବକମାନେ ଡୋରଲାଗି ଓ ପୁଷ୍ପାଞ୍ଜଳି ନୀତି ବଢାଇବା ପରେ ଠାକୁରମାନଙ୍କ ପହଣ୍ଡି ବିଜେ ଆରମ୍ଭ ହେବ । ଘଣ୍ଟ ଓ ପଖଉଜର ପାରମ୍ପରିକ ବାଦ୍ୟର ତାଳେ ତାଳେ ଠାକୁରମାନେ ଧାଡି ପହଣ୍ଡିରେ ଆସି ରଥ ଉପରେ ବିଜେ ହେବେ ।