ଓଡ଼ିଆ ନ୍ୟୁଜ୍: ସୁସ୍ଥ ହେଉଛନ୍ତି ମହାବାହୁ। ଆଜି ଅଣସର ଗୃହରେ ମହାପ୍ରଭୁଙ୍କ ଚକାବିଜେ ନୀତି ଅନୁଷ୍ଠିତ ହେବ। ବଡ଼ଠାକୁର ବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ଦେବୀ ସୁଭଦ୍ରା ଅଣସର ପିଣ୍ଡିରୁ ଚକାକୁ ବିଜେ କରିବେ। ଦଇତାପତି ସେବକମାନେ ମହାପ୍ରଭୁଙ୍କ ଏହି ଗୁପ୍ତ ନୀତି ସମ୍ପାଦନ କରିବେ।
ସୂଚନାଯୋଗ୍ୟ, ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା ବା ସ୍ନାନପୂର୍ଣ୍ଣିମାରେ ଚତୁର୍ଦ୍ଧାମୂର୍ତ୍ତି ସ୍ନାନବେଦିରେ ୧୦୮ ଗଡ଼ୁ ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପୀଡ଼ିତ ହୋଇ ଅଣସର ପିଣ୍ଡିରେ ଗୁପ୍ତସେବା ଜାରି ରହିଛି। ପରମ୍ପରା ଅନୁଯାୟୀ, ପଞ୍ଚମୀ ତିଥିରେ ମହାପ୍ରଭୁଙ୍କୁ ଫୁଲୁରି ତେଲ ଲାଗି ହୋଇଥିଲା। ଷଷ୍ଠୀରୁ ନବମୀ ଯାଏ ଠାକୁରଙ୍କୁ ଓଷୁଅ ଲାଗି କରାଯାଇଥିଲା।
ଦଶମୀ ତିଥିରେ ଅସୁସ୍ଥ ଥିବା ଶ୍ରୀବିଗ୍ରହ ସାମାନ୍ୟ ସୁସ୍ଥ ଅନୁଭବ କରିଥିବାରୁ ଚକାବିକେ ନୀତି ଅନୁଷ୍ଠିତ ହେବ।ଦଇତାପତି ସେବକମାନେ ବଳଭଦ୍ର, ଜଗନ୍ନାଥ ଓ ସୁଭଦ୍ରାଙ୍କୁ ଅଣସର ପିଣ୍ଡିରୁ ଚକାକୁ ବିଜେ କରାଇବେ। ସେହିପରି ଦଶମୀ ତିଥି ଅବସରରେ ବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ମୋଦକ ପ୍ରସ୍ତୁତ କରାଯାଇ ଶ୍ରୀବିଗ୍ରହଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିରକୁ ପଠାଯିବ।