ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ମାଲକାନଗିରି ସ୍ୱାଭିମାନ ଅଂଚଳର ପାଦଦେଶକୁ ଲାଗିଥିବା ତଥା ଅନ୍ଧ୍ରପ୍ରଦେଶ ତରାବୁରେ ପୁଷ୍ପାର ପାର୍ଟ-୨ ସୁଟିଂ ଆରମ୍ଭ ହୋଇଛି । ପୁଷ୍ପା ଫିଲ୍ମ ନିର୍ମାତା ସଂସ୍ଥାର ପୂରା ଟିମ୍ ତରାବୁ ଜଳ ପ୍ରପାତରେ ପହଂଚି ସୁଟିଂ କରିଛନ୍ତି । ସୁଟିଂ ପାଇଁ ପୂର୍ବରୁ ଅସ୍ଥାୟୀ ଘର ସହ ଜଙ୍ଗଲରେ କିଭଳି ସୁପର ଷ୍ଟାର ଅଲ୍ଲୁ ଅର୍ଜୁନ ଜୀବନ ଶୈଳୀ ବିତାଉଥିଲେ, ଟିମ୍ ତାହା ପୂର୍ବରୁ ଯାଇ ପ୍ରସ୍ତୁତି କରିଥିଲେ । ଫିଲ୍ମ ନିର୍ମାଣ ସଂସ୍ଥାର ଏକ ଟିମ୍ ଗତ ୧ ମାସ ଧରି ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନ ବୁଲିଥିବା ବେଳେ ଶେଷରେ ସ୍ୱାଭିମାନ ଅଂଚଳର ଝୁଲା ପୋଲ, ହନ୍ତାଳଗୁଡା ଘାଟି ଓ ଚିତ୍ରକୋଣ୍ଡା ସ୍ପିଲବେରେ ନିର୍ମାଣାଧୀନ ପୋଲ ନିକଟରେ ସୁଟିଂ କରିବା ନିମନ୍ତେ ଯୋଜନା କରିଛନ୍ତି । ଏବେ ପୁଷ୍ପା-୨ ଲାଗି ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଂଚଳ ଓ ସପ୍ତଧାରା ନଦୀର ବିଭିନ୍ନ ସ୍ଥାନରେ ସୁଟିଂ କରିବା ନିମନ୍ତେ ଆଗ୍ରହ ପ୍ରକାଶ କରିଛି ଟିମ୍ । ଜଙ୍ଗଲରେ ସୁପର ଷ୍ଟାର ଅଲୁ ଅର୍ଜୁନଙ୍କ ସମେତ ସହ ଅଭିନେତା, ଅଭିନେତ୍ରୀମାନେ ପହଂଚି ଫିଲ୍ମ ନିର୍ଦ୍ଦେଶକଙ୍କ କହିବା ମୁତାବକ ଅଭିନୟ କରୁଛନ୍ତି । ସ୍ଥାନୀୟ କିଛି ଲୋକେ ଏହି ସୁଟିଂ ସେଟ୍ ପାଖରେ ପହଂଚି ଏହାର ଦୃଶ୍ୟ ଦେଖିବାକୁ ଭିଡ ଲଗାଇଥିଲେ ।
ଆସନ୍ତା ମାସରେ ସ୍ୱାଭିମାନ ଅଂଚଳରେ ଏହି ଫିଲ୍ମର ସୁଟିଙ୍ଗ ହେବାର ଅଛି ବୋଲି ଜଣାପଡିଛି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଉତ୍ସାହ ବଢିବାରେ ଲାଗିଛି । ନକ୍ସଲ ଦମନ ପରେ ପ୍ରକୃତିର ଏହି ସୁନ୍ଦର ସ୍ଥାନରେ ଫିଲ୍ମ କରାଯିବା ଚର୍ଚ୍ଚାକୁ ବଢାଇଛି । ପ୍ରାୟ ୩୫୦ କୋଟି ଟଙ୍କା ବଜେଟ ଖର୍ଚ୍ଚରେ ଏହି ଫିଲ୍ମ ନିର୍ମାଣ ହେଉଛି । ଫିଲ୍ମ ପାଇଁ ଆଲୁ ଅର୍ଜୁନ ପ୍ରାୟ ଶହେ କୋଟି ଟଙ୍କା ନେଉଥିବା ଇଣ୍ଡିଆ ଟୁଡେ ରିପୋର୍ଟରୁ ଜଣାପଡିଛି ।