ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୋନ୍ ଯୋଗେ କଥା ହୋଇଛନ୍ତି। ଏହି ସମୟରେ ଉଭୟ ନେତା ଓ୍ବାଗନର ବିଦ୍ରୋହ ଏବଂ ଋଷ-ୟୁକ୍ରେନ ଯୁଦ୍ଧ ବିଷୟରେ ଆଲୋଚନା କରିଥିଲେ । ଋଷର ରାଷ୍ଟ୍ରପତି ଭବନ କ୍ରେମଲିନ୍ ଏକ ବିବୃତ୍ତି ଜାରି କରି କହିଛି ଯେ, ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ପୁଟିନ ମଧ୍ୟ ଦ୍ୱିପାକ୍ଷିକ ସହଭାଗିତାକୁ ମଜବୁତ କରିବା ଉପରେ ଆଲୋଚନା କରିଥିଲେ । ଉଭୟ ନେତା ଋଷ ଏବଂ ଭାରତ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ପ୍ରମୁଖ ମିଳିତ ପ୍ରକଳ୍ପର ନିରନ୍ତର କାର୍ଯ୍ୟକାରିତା ଉପରେ ଗୁରୁତ୍ୱାରୋପ କରିଛନ୍ତି ।
ଏହା ସହିତ ସାଂଘାଇ ସହଯୋଗ ସଂଗଠନ ଏବଂ ଜି -20 ର ସହଯୋଗକୁ ନେଇ ଆଲୋଚନା ହୋଇଥିଲା । ଏହାପୂର୍ବରୁ ଗୁରୁବାର ପୁଟିନ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମସ୍କୋର ଜଣେ ‘ମହାନ ବନ୍ଧୁ’ ବୋଲି ବର୍ଣ୍ଣନା କରିଥିଲେ । ସେ କହିଥିଲେ ଯେ ମେକ୍ ଇନ୍ ଇଣ୍ଡିଆ ଅଭିଯାନ ଭାରତୀୟ ଅର୍ଥନୀତି ଉପରେ ପ୍ରକୃତରେ ପ୍ରଭାବଶାଳୀ ପ୍ରଭାବ ପକାଇଛି । ପୁଟିନ କହିଛନ୍ତି ଯେ, ଘରୋଇ ବ୍ୟବସାୟର ବିକାଶ ପାଇଁ ଶିଳ୍ପ ଏବଂ ଉତ୍ପାଦ ଡିଜାଇନ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ କରାଯିବା ଉଚିତ । ସେ ମସ୍କୋରେ ଋଷର ଏଜେନ୍ସି ଫର ଷ୍ଟ୍ରାଟେଜିକ୍ ଇନିସିଏଟିଭ୍ (ASI) ଦ୍ୱାରା ଆୟୋଜିତ ଏକ ସମ୍ମିଳନୀରେ କହିଛନ୍ତି ଯେ, ଯେଉଁ ଜିନିଷ ଭଲ କାମ କରେ, ତାକୁ ଅନୁକରଣ କରିବାରେ କୌଣସି କ୍ଷତି ନାହିଁ, ଯଦିଓ ଏହା ଆମ ଦ୍ବାରା ଆରମ୍ଭ ହୋଇନାହିଁ ବରଂ ଆମର ବନ୍ଧୁମାନଙ୍କ ଦ୍ବାରା ହୋଇଛି ।