ଭାରତର ଆବେଦନକୁ ଗ୍ରହଣ କଲା କତାର

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କୁ ଫାଶୀଦଣ୍ଡ ଘଟଣା | କତାର କୋର୍ଟରେ ମୃତ୍ୟୁଦଣ୍ଡାଦେଶ ପାଇଥିବା ଭାରତୀୟ ନୌସେନାର ୮ ପୂର୍ବତନ ଅଧିକାରୀଙ୍କ ମାମଲାର ହେବ ପୁର୍ନବିଚାର। ଭାରତ ସରକାରଙ୍କ ତରଫରୁ ଏଥିନିମନ୍ତେ ଆବେଦନ କରାଯାଇଥିବା ବେଳେ ଏହାକୁ ଗ୍ରହଣ କରିଛି କତାର।ସୂତ୍ରରୁ ପ୍ରାପ୍ତ ସୂଚନା ମୁତାବକ, ଉପସାଗରୀୟ ଦେଶ କତାରର ଏକ କୋର୍ଟ ଗୁରୁବାର ଦିନ ଭାରତର ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି । କୋର୍ଟ ବର୍ତ୍ତମାନ ଏହି ଆବେଦନର ଅନୁଧ୍ୟାନ କରୁଛନ୍ତି ଏବଂ ଖୁବଶୀଘ୍ର ଏହା ଉପରେ ଶୁଣାଣି କରିବେ ବୋଲି ଜଣାପଡ଼ିଛି ।

କିଛି ଦିନ ତଳେ ଭାରତ ସରକାର ୮ ପୂର୍ବ ନୌସେନା ଅଧିକାରୀଙ୍କ ମୃତ୍ୟୁଦଣ୍ଡ ବିରୋଧରେ କତାରରେ ଆବେଦନ ଦାଖଲ କରିଥିବା ନେଇ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ ସୂଚନା ଦେଥିଲେ । କତାର ରାଜଧାନୀ ଦୋହାରେ ଥିବା ଭାରତୀୟ ଦୂତାବାସ ଜରିଆରେ ଏହି ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ଇସ୍ରାଏଲ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ଗତ ୨୦୨୨ ଅଗଷ୍ଟ ମାସରେ ଭାରତୀୟ ନୌସେନାର ଏହି ୮ ପୂର୍ବତନ ଅଧିକାରୀଙ୍କୁ କତାରର ଗୁଇନ୍ଦା ସଂସ୍ଥା ଗିରଫ କରିଥିଲା। ସେମାନେ କତାରର ଏକ କଂପାନୀରେ କାମ କରୁଥିଲେ। ତେବେ ଗତ ସେପ୍ଟେମ୍ବର ମାସରେ ପ୍ରଥମ ଥର ପାଇଁ ଭାରତୀୟ ଦୂତାବାସକୁ ଏ ସଂପର୍କରେ ସୂଚନା ଦିଆଯାଇଥିଲା। ପ୍ରାୟ ବର୍ଷେ ଧରି ଜେଲରେ ରଖିବା ପରେ ଗତ ମାସରେ ସେମାନଙ୍କୁ କତାରର ଏକ କୋର୍ଟ ମୃତ୍ୟୁଦଣ୍ଡାଦେଶ ଦେଇଥିଲେ।

ଏହି ୮ ପୂର୍ବତନ ଭାରତୀୟ ନୌସେନା ଅଧିକାରୀ ହେଉଛନ୍ତି- କ୍ୟାପଟେନ୍ ନବତେଜ ସିଂହ ଗିଲ୍, କ୍ୟାପଟେନ୍ ବୀରେନ୍ଦ୍ର କୁମାର ବର୍ମା, କ୍ୟାପଟେନ୍ ସୌରଭ ବଶିଷ୍ଟ, କମାଣ୍ଡର ଅମିତ ନାଗପାଲ, କମାଣ୍ଡର ପୂର୍ଣ୍ଣେନ୍ଦୁ ତିୱାରୀ, କମାଣ୍ଡର ସୁଗୁଣାକାର ପକାଲା, କମାଣ୍ଡର ସଞ୍ଜୀବ ଗୁପ୍ତା ଓ ସେଲର ରାଗେଶ। ସେମାନେ ବାରମ୍ବାର ଜାମିନ ପାଇଁ ଆବେଦନ କରିଥିଲେ। ହେଲେ ସବୁ ଖାରଜ ହୋଇଯାଇଥିଲା । ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏହି ୮ ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କ ପରିବାର ସହ ଯୋଗାଯୋଗ କରାଯାଇଥିବା ବେଳେ ସେମାନଙ୍କୁ ମୁକ୍ତ କରିବାକୁ ଯଥାସମ୍ଭବ ଚେଷ୍ଟା ଅବ୍ୟାହତ ରହିଛି।

Leave A Reply

Your email address will not be published.