ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଆଜି କୁମାର ପୂର୍ଣ୍ଣିମା। ଆଉ ପୂର୍ଣ୍ଣିମାରେ ଏଥର ଚନ୍ଦ୍ରଗ୍ରହଣବି ଲାଗୁଛି। ରାତି ୧ଟା ୦୫ମି ୨୩ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ହେବ। ରାତି ୧ଟା ୪୪ମି. ୦୩ ସେକେଣ୍ଡରେ ମଧ୍ୟାନ୍ତର ହୋଇ ରାତି ୨ଟା ୨୨ମିନିଟ୍ ୩୮ ସେକେଣ୍ଡରେ ସର୍ବମୋକ୍ଷ ହେବ । ଗ୍ରହଣର ଅବଧି ରହିବ ମୋଟ୍୧ ଘଣ୍ଟା ୧୯ ମିନିଟ୍। ତେଣୁ ଗ୍ରହଣ ସ୍ପର୍ଶର ୯ଘଣ୍ଟା ପୂର୍ବରୁ ପାକ ନିଷେଧ କରାଯାଇଛି । ଏହିଦିନ ପୁରୀକୁ ରାତି ୧ ଘଣ୍ଟା ୪ ମିନିଟ୍ ୫୫ ସେକେଣ୍ଡ୍ରେ ଗ୍ରହଣ ସ୍ପର୍ଶ କରୁଛି। ରାତି ୨ ଘଣ୍ଟା ୨୪ ମିନିଟ୍ ୨ ସେକେଣ୍ଡ୍ରେ ସର୍ବମୋକ୍ଷ(ଗ୍ରହଣ ଛାଡ଼ିବ) ହେଉଛି। ଗ୍ରହଣର ଅବଧି ୧ ଘଣ୍ଟା ୧୯ ମିନିଟ୍ ୭ ସେକେଣ୍ଡ୍। ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍ ଅପରାହ୍ଣ ୪ ଘଣ୍ଟା ୪ ମିନିଟ୍ ୫୫ ସେକେଣ୍ଡ୍ରୁ ପାକତ୍ୟାଗ ସହ ଦେବ ନୀତି ନିଷେଧ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ଚୂଡ଼ାନ୍ତ ହୋଇଛି।
ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ଆଜି ବିଳମ୍ବିତ ରାତିରୁ ଆସନ୍ତାକାଲିର ନୀତିକାନ୍ତି ଆରମ୍ଭ ହୋଇଛି। ସେପଟେ କୁମାର ପୂର୍ଣ୍ଣିମାରେ ଚକ୍ରରାଜ ସୁଦର୍ଶନ ଚାରି ଆଶ୍ରମ ବିଜେ କରିବେ। ମଧ୍ୟାହ୍ନଧୂପ ପରେ ଅର୍ଥାତ୍ ପ୍ରାୟ ୧୨ଟା ପରେ ଚଉଦୋଳରେ ବିଜେ ପର୍ବ ଆରମ୍ଭ ହେବ। ଅପରାହ୍ଣ ପ୍ରାୟ ସାଢ଼େ ୨ଟାରେ ଶ୍ରୀମନ୍ଦିରରୁ ବାହାରି ଚକ୍ରରାଜ ସୁଦର୍ଶନ ମାର୍କଣ୍ଡେୟ, ଅଙ୍ଗିରା, ଭୃଗୁ ଓ କଣ୍ଡ ଆଦି ଚାରି ଆଶ୍ରମ ବିଜେ କରିବେ। ଚନ୍ଦ୍ରଗ୍ରହଣ ଭାରତ ସମେତ ପଶ୍ଚିମ ପ୍ରଶାନ୍ତ ମହାସାଗର, ଅଷ୍ଟ୍ରେଲିଆ, ଏସିଆ, ୟୁରୋପ, ଆଫ୍ରିକା, ପୂର୍ବ ଦକ୍ଷିଣ ଆମେରିକା, ଉତ୍ତର ପୂର୍ବ ଉତ୍ତର ଆମେରିକାରେ ଦୃଶ୍ୟମାନ ହେବ। ଚନ୍ଦ୍ରଗ୍ରହଣ ଭାରତର ସମସ୍ତ ସ୍ଥାନରୁ ମଧ୍ୟରାତ୍ରିରେ ଦେଖାଯିବ। ପରବର୍ତ୍ତୀ ଚନ୍ଦ୍ର ଗ୍ରହଣ ୨୦୨୫ ସେପଟେମ୍ବର ୭ରେ ଦୃଶ୍ୟମାନ ହେବ।
ସେପଟେ ଚନ୍ଦ୍ରଗ୍ରହଣ ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ନୀତି । ଆଜି ଚକ୍ରରାଜ ସୁଦର୍ଶନ ଚାରି ଆଶ୍ରମ ପରିକ୍ରମା କରି ରତ୍ନ ସିଂହାସନରେ ବିଜେ କରିବେ। ଯାହା ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ପାକ ତ୍ୟାଗ ସମୟ ଦିନ ୪ଟା ୪ମିନିଟ୍ ୫୫ ସେକେଣ୍ଡ ପୂର୍ବରୁ ସମ୍ପନ୍ନ ହେବ।ପୂର୍ବାହ୍ଣ ୧୦ଟାରେ ଭୋଗମଣ୍ଡପ ଶେଷ ହେବ। ପୂର୍ବାହ୍ଣ ସାଢ଼େ ୧୦ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟାହ୍ନ ଧୂପ, ଦକ୍ଷିଣି ଘର ଭୋଗ ପରେ ଅପରାହ୍ଣ ସାଢ଼େ ଗୋଟାଏରେ ମା’ ଲକ୍ଷ୍ମୀ ଓ ସରସ୍ବତୀ ଖଟ ଶେଜ ଘରକୁ ବିଜେ କରିବେ। ସନ୍ଧ୍ୟା ୬ଟାରେ ସୁଦର୍ଶନ ଦେବଙ୍କ ବାହୁଡ଼ା ବିଜେ ପରେ ରାତି ୭ଟାରେ ତଡ଼ପ ଉତ୍ତରି ଲାଗି, ରାତି ସାଢ଼େ ଗୋଟାଏରେ ମଇଲମ, ରାତି ୨ଟାରେ ଗ୍ରହଣ ମହାସ୍ନାନ ଶେଷ ହେବ। ରାତି ସାଢ଼େ ୨ଟାରେ ଦ୍ବାରପାଳ ପୂଜା, ସୂର୍ଯ୍ୟପୂଜା, ବେଶ ଶେଷ ପରେ ଭୋର ସାଢ଼େ ୪ଟାରେ ଆଳତି, ୪ଟା ୫୦ରେ ଫଳ ସମର୍ପଣ, ୫ଟାରେ ମାଧବ ଲକ୍ଷ୍ମୀ ମନ୍ଦିରକୁ ବିଜେ କରିବେ।