ଖୋର୍ଦ୍ଧା ରୋଡ୍ ରେଳ ଷ୍ଟେସନ ନୂଆ ବିଲଡିଂର ଲୋକାର୍ପଣ ସହ ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ କଲେ ରେଳମନ୍ତ୍ରୀ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):   ମୋଦି ସରକାର ଆସିବା ପରେ ଓଡ଼ିଶା ବିଧାନସଭାରୁ ଗୃହ କମିଟିକୁ ରେଳ ଅନୁଦାନ ବଢ଼ାଇବା ଦାବୀ ପାଇଁ ଆଉ ଦିଲ୍ଲୀ ଯିବାକୁ ପଡ଼ୁନାହିଁ ବୋଲି ଗୁରୁବାର ଖୋର୍ଦ୍ଧା ରୋଡ୍ ରେଳ ଷ୍ଟେସନ ଠାରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ରେଳ ମନ୍ତ୍ରୀଙ୍କ ସହ ଖୋର୍ଦ୍ଧା ରୋଡ୍ ରେଳ ଷ୍ଟେସନର ନୂଆ ବିଲଡିଂର ଲୋକାର୍ପଣ କରିଥିଲେ । ସେହିପରି ଭୁବନେଶ୍ୱର-ବେଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସର ଏଲଏଚବି କୋଚ୍ ଓ ଭୁବନେଶ୍ୱର-ଆନନ୍ଦବିହାର ଦୁରୋନ୍ତ ଏକ୍ସପ୍ରେସର ଉଦଘାଟନ କରିବା ସହ ସେହି ସ୍ଥାନରୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଭୁବନେଶ୍ୱର ସ୍ଥିତ ପଟିଆ ଓ ବାଣୀବିହାର ପିଏଚର ନୂଆ ବିଲଡ଼ିଂର ଲୋକାର୍ପଣ କରିଥିଲେ । ରଥଯାତ୍ରା ଭଳି ଏକ ଶୁଭ ଅବସରରେ ଯାତ୍ରୀଙ୍କ ସୁବିଧା ପାଇଁ ଏଭଳି ବ୍ୟବସ୍ଥା କରିଥିବାରୁ ପ୍ରଧାନମନ୍ତ୍ରୀ, କେନ୍ଦ୍ର ରେଳ ମନ୍ତ୍ରୀ ଏବଂ ରେଳ ବିଭାଗକୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି ।

rail minisyer

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଓ ରେଳ ମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶାରେ ରେଳ କାମ କ୍ଷୀପ୍ର ଗତିରେ ଆଗକୁ ବଢ଼ୁଛି । ମୋଦି ସରକାର ୨୦୨୨-୨୩ ଆର୍ଥିକ ବର୍ଷ କେନ୍ଦ୍ର ବଜେଟରେ ରାଜ୍ୟକୁ ରେଳ କ୍ଷେତ୍ରରେ ୯,୭୩୪ କୋଟି ଟଙ୍କା ସର୍ବକାଳୀନ ସର୍ବାଧିକ ଅର୍ଥ ଦେଇଛନ୍ତି । ଆଉ ଓଡ଼ିଶା ବିଧାନସଭାରୁ ଗୃହ କମିଟିକୁ ରେଳ ଅନୁଦାନ ବଢ଼ାଇବା ପାଇଁ ଦାବୀ କରିବାକୁ ଦିଲ୍ଲୀ ଯିବାକୁ ପଡ଼ୁନାହିଁ । ମୋଦି ସରକାର ଆଶାରୁ ଅଧିକ ରେଳ ଅନୁଦାନ ଦେଉଛନ୍ତି । ଆଜି ଟ୍ରେନ ଗୁଡ଼ିକର ରୂପ ବଦଳୁଛି । ଓଡ଼ିଶାରେ ରାଜଧାନୀ ଏକ୍ସପ୍ରେସ ଭଳି ଅନେକ ରେଳ କୋଚ ଗୁଡ଼ିକୁ ପରିବର୍ତ୍ତନ କରାଯାଉଛି । ରେଳ ଷ୍ଟେସନର ଉନ୍ନତିକରଣ, ନୂଆ ରେଳ ଲାଇନ ହେଉଛି ।

ବହୁ ପ୍ରତିକ୍ଷୀତ ଖୋର୍ଦ୍ଧା –ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର କାମ ଶୀଘ୍ର ଶେଷ କରିବାକୁ ଯୋଜନା କରାଯାଉଛି । ଏହି କାମ ସମ୍ପୂର୍ଣ୍ଣ ହେଲେ ସବୁଠୁ ଲାଭ କନ୍ଧମାଳ, ଫୁଲବାଣୀ ଓ ଦାରିଙ୍ଗବାଡ଼ି ପାଇବ । ଓଡ଼ିଶାର କାଶ୍ମିର କୁହାଯାଉଥିବା ଦାରିଙ୍ଗବାଡ଼ି ଜାତୀୟ ପର୍ଯ୍ୟଟନ ମାନଚିତ୍ରରେ ରହିପାରିବ । ଅପରପକ୍ଷରେ ଓଡ଼ିଶା ସମେତ ଭାରତବର୍ଷରେ ରେଳ, ରାସ୍ତା ସମେତ ବିଭିନ୍ନ କ୍ଷେତ୍ରରେ ଦୀର୍ଘ ଦିନ ଧରି ପଡ଼ି ରହିଥିବା ପ୍ରକଳ୍ପ ଗୁଡ଼ିକୁ ଶୀଘ୍ର ସାରିବା ଓ ଅନୁମତି ମିଳିବା ପାଇଁ ପ୍ରଧାନମନ୍ତ୍ରୀ ‘ଗତି ଶକ୍ତି ଯୋଜନା’ ଆରମ୍ଭ କରିଛନ୍ତି । ଏଥିପାଇଁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ସମ୍ମତି ପ୍ରକାଶ କରିଛନ୍ତି ।

ମୋଦି ସରକାର ଆସିବା ପରେ ଓଡ଼ିଶାରେ ଅନେକ ଧାରଣା ପରିବର୍ତ୍ତନ ହୋଇଛି । ବକ୍ସି ଜଗବନ୍ଧୁ, ଡ଼.ହରେକୃଷ୍ଣ ମହତାବଙ୍କ ଭଳି ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ମାନ ଦିଆଯାଇଛି । ପ୍ରଥମ ଥର ପାଇଁ ଓଡ଼ିଶାର ଜନଜାତି ମହିଳା ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ମନୋନୀତ କରାଯାଇଛି, ଯାହା ସମଗ୍ର ଓଡ଼ିଶା ପାଇଁ ଗର୍ବର ବିଷୟ ।

ଓଡ଼ିଶାରେ ଏମ୍ସ, ଆଇଆଇଟି, ନାଇଜର, ଆଇସିଟି, ଏସଡ଼ିଆଇ ଭଳି ଅନୁଷ୍ଠାନ ପ୍ରତିଷ୍ଠା କରାଯାଇଛି । ମୋଦି ସରକାର ଦେଶରେ ସେମିକଣ୍ଡକ୍ଟରର ଉତ୍ପାଦନ ବଢ଼ାଇବା ପାଇଁ ଯୋଜନା ଆରମ୍ଭ କରିଛନ୍ତି । ଓଡ଼ିଶାରେ ସେମିକଣ୍ଡକ୍ଟରର ଉତ୍ପାଦନ ପାଇଁ ଏଠାରେ ‘ସେମି କଣ୍ଡକ୍ଟର ୟୁନିଟ୍’ ପ୍ରତିଷ୍ଠା ପାଇଁ ଶ୍ରୀ ପ୍ରଧାନ ରେଳ ମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.