ଓଡ଼ିଆ ନ୍ୟୁଜ୍: ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ରେଳମନ୍ତ୍ରୀଙ୍କ ଚିଠି।ଓଡ଼ିଶାକୁ ମିଳିଲା ୨ଟି ଅମୃତ ଭାରତ ଟ୍ରେନ। ଓଡିଶା-ଆସାମ-ତେଲେଙ୍ଗାନାକୁ ଯୋଡ଼ିବ। ଭୁବନେଶ୍ବର-ଧାନବାଦ୍ ଏବଂ ପୁରୀ-ପାଟନା ଦୁଇଟି ନୂଆ ରେଳସେବା। ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ।
ଓଡ଼ିଶାରେ ରେଳ ସଂଯୋଗୀକରଣକୁ ଅଧିକରୁ ଅଧିକ ଗୁରୁତ୍ବ ଦେଇ କେନ୍ଦ୍ର ସରକାର ଓଡ଼ିଶା ସହିତ ଆସାମ ଓ ତେଲେଙ୍ଗାନାକୁ ସଂଯୋଗ କରିବା ପାଇଁ ଏକ ନୂଆ ଅମୃତ ଭାରତ ଟ୍ରେନ ସେବା ଆରମ୍ଭ କରିବାକୁ ଅନୁମୋଦନ ଦେଇଛନ୍ତି । ଏହା ସହିତ ଦୁଇଟି ସ୍ବତନ୍ତ୍ର ରେଳସେବାକୁ ନିୟମିତ ରେଳସେବାରେ ପରିଣତ କରିବା ପାଇଁ ମଧ୍ୟ ଅନୁମୋଦନ ଦିଆଯାଇଛି ।
ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସମ୍ପର୍କରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସହ ଆଲୋଚନା କରି ଓଡ଼ିଶାର ଜନସାଧାରଣଙ୍କ ପାଇଁ ଅଧିକ ରେଳସେବା ଯୋଗାଇଦେବା ପାଇଁ ଅନୁରୋଧ କରିଥିଲେ । ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ମାଧ୍ୟମରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।