୭ ଜିଲାକୁ ବର୍ଷା ସତର୍କତା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୌସୁମୀ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା। ଉତ୍ତରରୁ ଦକ୍ଷିଣ, ପୂର୍ବରୁ ପଶ୍ଚିମ ସବୁଠି ବର୍ଷା ଜାରି ରହିଛି। ଆଜି ବର୍ଷା ନେଇ କେବଳ ଗଞ୍ଜାମ, ଗଜପତି, ରାୟଗଡ଼ା ଏବଂ କଳାହାଣ୍ଡି ଜିଲ୍ଲାକୁ ଛାଡ଼ି ବାକି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୨୬ ଜିଲ୍ଲାରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ଜାରି ରହିଛି।

ଆସନ୍ତାକାଲି ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼ ଓ ବରଗଡ଼ ଜିଲାର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ (୭ରୁ ୨୦ ସେ.ମି.) ବର୍ଷା ହୋଇପାରେ। ଏନେଇ ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଅନ୍ୟ ୧୯ଜିଲାରେ ପ୍ରବଳ ବର୍ଷା (୭ରୁ ୧୧ ସେ.ମି.) ହୋଇପାରେ। ଗତ ୨୪ ଘଣ୍ଟାରେ ବରଗଡ଼ର ଝାରବନ୍ଧରେ ୧୫୫ ମି.ମି., କଳାହାଣ୍ଡିଆର ଥୁଆମୂଳ ରାମପୁରରେ ୯୯ ମି.ମି.,ନୂଆପଡ଼ାରେ ୭୬ ମି.ମି., ବରଗଡ଼ର ପାଇକମାଳରେ ୭୪ ମି.ମି., ବୁର୍ଲାରେ ୬୬.୨ ମି.ମି, କୋରାପୁଟରେ ୬୦.୨ ମି.ମି., ହୀରାକୁଦରେ ୫୯ମି.ମି., ନବରଙ୍ଗପୁରରେ ୫୮.୪ ମି.ମି. ବର୍ଷା ହୋଇଛି।

ଆଜି ଅପରାହ୍ଣ ସୁଦ୍ଧା ବୌଦ୍ଧରେ ୪୫ ମି.ମି. ଏବଂ ବାରିପଦାରେ ୪୪.୬ ମି.ମି ବର୍ଷା ରେକର୍ଡ଼ ହୋଇଛି। ସେପଟେ ରାଜଧାନୀ ଦିଲ୍ଲୀରେ ପୁଣି ଜଳ ପ୍ରଳୟ। ଭୀଷଣ ବର୍ଷାରେ ଅସ୍ତବ୍ୟସ୍ତ ଜନଜୀବନ। ବୁଡ଼ିଛି ରାସ୍ତା, ଘରେ ପଶିଛି ପାଣି। ରାଜଧାନୀର ଶାନ୍ତି ପଥ, ନାରୋଜୀ ନଗର, ଭିକାଜୀ କାମା ଅଞ୍ଚଳ ଏବେ ପାଣି ଘେରରେ। ପରିସ୍ଥିତି ଏମିତି ହୋଇଛି କି ବନ୍ୟା ଭଳି ସ୍ଥିତି ଉପୁଜିଛି। ଶାନ୍ତି ପଥ ଅଞ୍ଚଳ ଯେଉଁଠି ଅନ୍ୟ ଦିନରେ ଚକାଚକ୍ ରାସ୍ତା ଥାଏ ଆଜି ପାଣିରେ ବୁଡ଼ି ବନ୍ୟା ଭଳି ପରିସ୍ଥିତି ଦେଖା ଦେଇଛି। ଦୂର ଦୂର ଯାଏଁ ରାସ୍ତା ଦେଖାଯାଉନି। ତା’ସହ ଅନେକ ତଳିଆ ଅଞ୍ଚଳ ପାଣିରେ ଏବେ ବୁଡ଼ି ଯାଇଛି।

Leave A Reply

Your email address will not be published.