ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଦୁର୍ବଳ ପଡ଼ିଲା ଲଘୁଚାପ। ଆଜିଠୁ କମିବ ବର୍ଷା ବିସ୍ତୃତି । ଗତକାଲି ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଆନ୍ଧ୍ରପ୍ରଦେଶ ଉପକୂଳରେ ଥିବା ଲଘୁଚାପ କ୍ରମଶଃ ଦୂର୍ବଳ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହୋଇଛି। ଏହା ସହ ଆନ୍ଧ୍ର ପ୍ରଦେଶ ଉପକୂଳରୁ ଉତ୍ତରାଖଣ୍ଡ ପର୍ଯ୍ୟନ୍ତ ସକ୍ରିୟ ରହିଛି ଏକ ଟ୍ରଫ୍ ଲାଇନ। ଏହାର ପ୍ରଭାବରେ ରାଜ୍ୟରେ ବିକ୍ଷିପ୍ତ ବର୍ଷା ଲାଗି ରହିଛି। ଆସନ୍ତା ୨୪ ଘଣ୍ଟା ପାଇଁ ପ୍ରବଳ ବର୍ଷା ନେଇ ୧୬ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଓ୍ଵାର୍ଣ୍ଣିଂ । ଉପକୂଳ ଓ ଦକ୍ଷିଣ ଓଡ଼ିଶା ଜିଲ୍ଲାର କିଛି ସ୍ଥାନରେ ୭ରୁ ୧୧ ମିଲିମିଟର ବର୍ଷା ହୋଇପାରେ । ଆସନ୍ତାକାଲି ପାଇଁ ୩ ଜିଲ୍ଲା ପୁରୀ, ଗଞ୍ଜାମ ଓ ଗଜପତିକୁ ୟେଲୋ ସତର୍କତା ଦିଆଇଛି । ଲଘୁଚାପ ଦୁର୍ବଳ ହେବା ପରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହ ଆନ୍ଧ୍ର ଉପକୂଳ ମୁହାଁ ହେଉଛି।
ଲଘୁଚାପ ପ୍ରଭାବରେ ରାଜ୍ୟରେ ଦୁଇ ଦିନ ତୁହାକୁ ତୁହା ବର୍ଷା ହୋଇଥିଲା । ସକ୍ରିୟ ମୌସୁମୀ ତଥା ଲଘୁଚାପ ପ୍ରଭାବରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୪.୯ ମିଲିମିଟିର ବର୍ଷା ରେକର୍ଡ କରିଛି ପାଣିପାଗ ବିଭାଗ । ଯାହା ସ୍ୱାଭାବିକ ବର୍ଷା ୫.୮ ମିଲିମିଟର ତୁଳନାରେ ୩୨୯ ପ୍ରତିଶତ ଅଧିକ। ରାଜ୍ୟରେ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ଫଳରେ ଜୀବନଯାତ୍ରା ବ୍ୟାହତ ହୋଇଥିଲା। ଲଗାଣ ବର୍ଷାରେ ବେହାଲ ଭଦ୍ରକ ସହର। ବର୍ଷା ଜଳରେ ବୁଡ଼ିଲା ବନ୍ତ ଛକ ପୋଲିସ ଫାଣ୍ଡି। ଫାଣ୍ଡି ଭିତରେ ଆଣ୍ଠୁଏ ପାଣି ରହିଥିବାରୁ ପୋଲିସ କର୍ମଚାରୀଙ୍କ ଜିନିଷ ପତ୍ର ସମେତ ଅଫିସର ଆସବାବପତ୍ର ବର୍ଷା ଜଳରେ ଭାସୁଥିବା ଦେଖିବାକୁ ମିଳିଛି।ଘୂର୍ଣ୍ଣିବଳୟ ଆନ୍ଧ୍ର ପ୍ରଦେଶ ମୁହାଁ। ଆଜି ଠାରୁ ବର୍ଷା କମିବା ସହ ବଦଳିବ ପାଣିପାଗ। ସେପଟେ ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ଅର୍ଥାତ ୧୩-୧୪ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟର ସମ୍ଭାବନା ରହିଛି।