ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଆସୁଛି 2024 ନିର୍ବାଚନ | ଆଉ ହାତ ଉପରେ 4 କିମ୍ବା 5 ମାସର ସମୟ | ଏହାରି ଭିତରେ ସରଗରମ ହୋଇ ଉଠିଛି ରାଜ୍ୟ ରାଜନୀତି | ଆଉ ଛକାପାଞ୍ଝ ଚାଲିଛି ଦଳ ମାନଙ୍କ ମଧ୍ୟରେ |ବିକାଶ ଯେଉଁଠି ଭୋଟ ସେଇଠି । ଭୋଟ ଯେତେବେଳେ ମୁଣ୍ଡ ଉପରେ, ବିକାଶ ଓ ପ୍ରକଳ୍ପର ବର୍ଷା ହେବା ଥୟ । ପାଖେଇ ଆସୁଛି ୨୦୨୪ ନିର୍ବାଚନ । ନୂଆବର୍ଷରୁ ରାଜ୍ୟରେ ପ୍ରକଳ୍ପ ବର୍ଷା କରିବେ ସରକାର । ପ୍ରକଳ୍ପ ଏମିତି ଯାହା ଲୋକଙ୍କ ହୃଦୟକୁ ଛୁଇଁବ ।
ଏହା ହିଁ ରାଜ୍ୟରେ ସରକାର ସପକ୍ଷ ହାୱାକୁ ବଳଶାଳୀ କରିବ । ସେ ହାୱାରେ ଉଡ଼ି ହଜିଯିବ ବିରୋଧୀଙ୍କ ସବୁ ରଣନୀତି ଆଉ ଅଭିଯୋଗ । ନିର୍ବାଚନ ପୂର୍ବରୁ ଯେତେ ପ୍ରକଳ୍ପ ବର୍ଷା ହେବ, ସେତେ ଭୋଟ ଅଜାଡ଼ି ହେବ ବିଜେଡି ସରକାର ସପକ୍ଷରେ । ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରର ଭବ୍ୟ ସମାରୋହ କରି ସାରା ଦେଶରେ ବିଜେପି ସପକ୍ଷରେ ହାୱା ସୃଷ୍ଟି କରିବାକୁ ମୋଦି ସରକାର ଲକ୍ଷ୍ୟ ରଖୁଛନ୍ତି । ଏ ନେଇ ସବୁ ରାଜ୍ୟରେ ବିଜେପି ଜୋରଦାର ପ୍ରସ୍ତୁତି, ଆୟୋଜନ ଚଳାଇଛି । ଠିକ୍ ସେତିକିବେଳେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ରାଜ୍ୟ ସରକାରଙ୍କ ମେଗା ଆୟୋଜନ । ଅଯୋଧ୍ୟା ରାମମନ୍ଦିରର ସପ୍ତାହେ ଆଗରୁ ଓଡ଼ିଶାରେ ଘରେ ଘରେ ଶୁଭିବ ଜୟ ଜଗନ୍ନାଥ ନାରା ।
ପଶ୍ଚିମ ଓଡ଼ିଶାରେ ବି ଆଉ ଏକ ଭବ୍ୟ ପ୍ରକଳ୍ପ ଭେଟି ଦେବେ ବିଜେଡି ସରକାର । ଜାନୁଆରୀ ଶେଷ ସପ୍ତାହବେଳକୁ ସମ୍ବଲପୁରରେ ମା’ସମଲେଇ ମନ୍ଦିର ଚାରିପାଶ୍ବର୍ର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ଉଦଘାଟନ କାର୍ଯ୍ୟକ୍ରମ ରହିଛି । ୨୫୦ କୋଟି ଟଙ୍କା ବ୍ୟୟରେ ଏହି ପୀଠକୁ ଏମିତି ରୂପ ଦିଆଯାଉଛି, ଦେଖିଲେ ଆଖୁ ଲାଖୁଯିବ । ଏ ପ୍ରକଳ୍ପ ପଶ୍ଚିମ ଓଡ଼ିଶାରେ ନବୀନଙ୍କ ପ୍ରତି ଭଲ ପାଇବାକୁ ଆହୁରି ବଢ଼ାଇ ଦେବ । ୨୦୧୯ ନିର୍ବାଚନରେ ପଶ୍ଚିମ ଓଡ଼ିଶାକୁ ବିଜେପି ଗଡ଼ କରିଥିଲା । ହେଲେ ୨୦୨୪ ନିର୍ବାଚନ ପୂର୍ବରୁ ମା’ ସମଲେଶ୍ବରୀ ମନ୍ଦିରର ଉନ୍ନତିକରଣ ପ୍ରକଳ୍ପ ଭେଟି ଦେଇ ପଶ୍ଚିମ ଓଡ଼ିଶାବାସୀଙ୍କ ମନ ଜିଣିନେବେ ନବୀନ ।
ଜାନୁଆରୀ ପ୍ରଥମ ଭାଗରେ ବଲାଙ୍ଗିରର ପ୍ରସିଦ୍ଧ ହରିଶଙ୍କର ପୀଠର ଉନ୍ନତିକରଣ ପ୍ରକଳ୍ପର ଲୋକାର୍ପଣ ହେବ ବୋଲି ଜଣାପଡ଼ିଛି । ଏସବୁ ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ଶ୍ରଦ୍ଧାଳୁ ଓ ସ୍ଥାନୀୟ ଲୋକଙ୍କ ବିରାଟ ସମାଗମ ହେବା ସମ୍ଭାବନା ଅଛି । ଏହି ପ୍ରକଳ୍ପକୁ ଆଧାର କରି ବିଜେଡି ମଧ୍ୟ ଭୋଟ ପାଇଁ ଲୋକଙ୍କ ପାଖକୁ ଯିବା ଯୋଜନାରେ ଅଛି । କେବଳ ଧାର୍ମିକ ପୀଠର ରୂପାନ୍ତରଣ ନୁହେଁ, ଭିତ୍ତିଭୂମି ଓ ଆଧୁନିକ ଓଡ଼ିଶାର ନିଅଁ ପଡ଼ିବ ଜାନୁଆରୀରେ ।ତେବେ ଦେଖିବାକୁ ବାକି ରହିଲା ପ୍ରକଳ୍ପ ଦ୍ୱାରା ରାଜ୍ୟ ବାସୀକୁ ଛୁଇଁବ କି ?