ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଉତରପ୍ରଦେଶ ଅଯୋଧ୍ୟାରେ ନିର୍ମାଣ ହେଉଥିବା ଭବ୍ୟ ରାମ ମନ୍ଦିରର ଶୁଭାରମ୍ଭ ପାଇଁ ଜୋର ସୋରରେ ଚାଲିଛି ପ୍ରସ୍ତୁତି । ଆସନ୍ତାବର୍ଷ ଜାନୁଆରୀ ୨୨ ତାରିଖରେ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାର କାର୍ଯ୍ୟରମ ରହିଛି । ଏହାରି ମଧ୍ୟରେ ପାକିସ୍ତାନର ସିନ୍ଧ ପ୍ରାନ୍ତରୁ ଆସିଛି ରାମଲାଲାଙ୍କ ବସ୍ତ୍ର । ରାମଲାଲାଙ୍କ ପୋଷାକ ଅଯୋଧ୍ୟାର ସିନ୍ଧ କଲୋନୀ ସ୍ଥିତ ରାମନଗରରେ ପହଂଚିଛି ।
ରାମନଗର ମନ୍ଦିରରେ ଏହି ବସ୍ତ୍ରକୁ ପୂଜା କରାଯାଇଛି । ଆଜି ୨୧ ଜଣ ପୂଜାରୀ ବୈଦିକ ମନ୍ତ୍ର ଉଚ୍ଚାରଣ କରି ହିନ୍ଦୁ ରୀତିନୀତି ଅନୁଯାୟୀ ବସ୍ତ୍ରକୁ ଶୁଦ୍ଧ କରିବା ପାଇଁ ମନ୍ତ୍ର ଉଚ୍ଚାରଣ କରିଛନ୍ତି । ସେହିପରି ଆଜି ପାକିସ୍ତାନର ସିନ୍ଧ ପ୍ରାନ୍ତରୁ ସିଦ୍ଧି ସମୁଦାୟର ଶତାଧିକ ଲୋକ ରାମଲାଲାଙ୍କ ବସ୍ତ୍ରକୁ ମୁଖ୍ୟ ପୂଜାରୀଙ୍କୁ ଦେଇଛନ୍ତି । ତେବେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ୨୨ ଜାନୁଆରୀରେ ରାମମନ୍ଦିରର ପ୍ରତିଷ୍ଠା ହେବ । ଏହି ଉତ୍ସବରେ ୟୁପିର ସମସ୍ତ ପ୍ରତିଷ୍ଠିତ ମନ୍ଦିର ରାମମୟ ହେବ । ସମଗ୍ର ରାଜ୍ୟରେ ରାମାୟଣ-ରାମଚରିତମାନସ ଏବଂ ହନୁମାନ ଚାଳିଶା ପାଠ କରାଯିବ ।
ଏଥିପାଇଁ ପ୍ରତ୍ୟେକ ଜିଲ୍ଲାର ପର୍ଯ୍ୟଟକ ଏବଂ ସାଂସ୍କୃତିକ ପରିଷଦ ଜରିଆରେ କଳାକାର ଏବଂ ଲୋକଙ୍କୁ ଦାୟିତ୍ୱ ଦିଆଯାଇଛି । ୧୪ରୁ ୨୨ ଜାନୁଆରୀ ଯାଏ ହେବାକୁ ଥିବା ଆୟୋଜନ ପାଇଁ ପର୍ଯ୍ୟଟନ ବିଭାଗ ପଇସା ବ୍ୟବସ୍ଥା କରିବ । ଏଥିପାଇଁ ଏବେଠାରୁ ପ୍ରସ୍ତାବ ପ୍ରସ୍ତୁତ ହୋଇଛି । ରାମମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଆରମ୍ଭ କରି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହିତ ୬ହଜାରରୁ ଅଧିକ ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି । ଯାହାର ପ୍ରକ୍ରିୟା ଆରମ୍ଭ ହୋଇସାରିଛି ।