ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଅଷ୍ଟ୍ରେଲିଆର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ ହେଲେ ଭାରତର ବରିଷ୍ଠ ଉଦ୍ୟୋଗପତି ରତନ ଟାଟା । ଅଷ୍ଟ୍ରେଲିଆର ରାଷ୍ଟ୍ରଦୂତ ବେରି ଓ’ ଫାରେଲ୍ ଟ୍ୱିଟରରେ ଏହି ସୂଚନା ଦେଇଛନ୍ତି । ଏହା ସହିତ ଫାରେଲ୍ କହିଛନ୍ତି ଯେ, ରତନ ଟାଟାଙ୍କ ଅବଦାନ ଅଷ୍ଟ୍ରେଲିଆ ଉପରେ ଏକ ମହତ୍ୱପୂର୍ଣ୍ଣ ପ୍ରଭାବ ପକାଇଛି। ଅଷ୍ଟ୍ରେଲିଆ-ଭାରତ ଦ୍ୱିପାକ୍ଷିକ ସମ୍ପର୍କ, ବିଶେଷ କରି ବାଣିଜ୍ୟ, ପୁଞ୍ଜି ବିନିଯୋଗ ଓ ସମାଜସେବା କ୍ଷେତ୍ରରେ ଅବଦାନ ପାଇଁ ରତନ ଟାଟାଙ୍କୁ ଅର୍ଡର ଅଫ୍ ଅଷ୍ଟ୍ରେଲିଆର ଜେନେରାଲ୍ ଡିଭିଜନରେ ସମ୍ମାନିତ ଅଧିକାରୀ ଭାବରେ ନିଯୁକ୍ତ କରାଯାଇଛି ।
ଅଷ୍ଟ୍ରେଲୀୟ ରାଷ୍ଟ୍ରଦୂତ ବେରି ଓ’ ଫାରେଲ୍ ଶନିବାର ନିଜ ଟ୍ୱିଟର ଆକାଉଣ୍ଟରୁ ଏକ ଟୁଇଟ୍ କରି କହିଛନ୍ତି ଯେ ରତନ ଟାଟା କେବଳ ଭାରତର ଜଣେ ବରିଷ୍ଠ ଶିଳ୍ପପତି ନୁହନ୍ତି, ଅଷ୍ଟ୍ରେଲିଆରେ ମଧ୍ୟ ତାଙ୍କର ଅବଦାନ ମହତ୍ୱପୂର୍ଣ୍ଣ ପ୍ରଭାବ ପକାଇଛି । ସେ ଲେଖିଛନ୍ତି, ଅଷ୍ଟ୍ରେଲିଆ-ଭାରତ ସମ୍ପର୍କ ପ୍ରତି ତାଙ୍କର ଦୀର୍ଘ ଦିନର ପ୍ରତିବଦ୍ଧତାକୁ ସ୍ୱୀକୃତି ଦେଇ ରତନ ଟାଟାଙ୍କୁ ଅର୍ଡର ଅଫ୍ ଅଷ୍ଟ୍ରେଲିଆ (AO) ସମ୍ମାନ ପ୍ରଦାନ କରିବା ଅତ୍ୟନ୍ତ ଆନନ୍ଦଦାୟକ ଅଟେ । ଫାରେଲ୍ ତାଙ୍କ ଟ୍ୱିଟରରେ ରତନ ଟାଟାଙ୍କୁ ସମ୍ମାନିତ କରୁଥିବାର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି। ଭାରତରେ ଅଷ୍ଟ୍ରେଲୀୟ ରାଷ୍ଟ୍ରଦୂତ ସେୟାର କରିଥିବା ଏହି ଫଟୋରେ ଟାଟା ସନ୍ସ ଚେୟାରମ୍ୟାନ୍ ଏନ ଚନ୍ଦ୍ରଶେଖରନ୍ ମଧ୍ୟ ନଜର ଆସିଛନ୍ତି । ଟାଟା ଗ୍ରୁପକୁ ଆକାଶର ଉଚ୍ଚତାକୁ ନେଇଥିବା ରତନ ଟାଟା ଦେଶର ସଫଳ ଶିଳ୍ପପତିମାନଙ୍କ ମଧ୍ୟରୁ ଜଣେ । ତାଙ୍କର ସମ୍ପତ୍ତି ପ୍ରାୟ ଚାରି ହଜାର କୋଟି ଟଙ୍କା ଅଟେ। ଗତ ମାସରେ ଆସିଥିବା ଆଇଆଇଏଫଏଲ ୱେଲଥ ହୁରୁନ୍ ଇଣ୍ଡିଆ ରିଚ୍ ଲିଷ୍ଟ ୨୦୨୨ରେ ଭାରତୀୟ ଧନୀ ତାଲିକାରେ ୪୨୧ ନମ୍ବର ସ୍ଥାନରେ ରହିଥିଲେ ରତନ ଟାଟା ।