ଶୃଙ୍ଖଳିତ ଏବଂ ସୁରୁଖୁରୁରେ ହେବ ରଥଯାତ୍ରା: ପୁରୀ ଏସପିଙ୍କ କାର୍ଯ୍ୟାଳୟରେ ଛତିଶା ନିଯୋଗ ବରିଷ୍ଠ ସେବାୟତଙ୍କୁ ନେଇ ବୈଠକରେ ନିଷ୍ପତ୍ତି
ଓଡିଆ ନ୍ୟୁଜ୍(ବ୍ୟୁରୋ): ଶୃଙ୍ଖଳିତ ଏବଂ ସୁରୁଖୁରୁରେ ହେବ ରଥଯାତ୍ରା। ଏନେଇ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି । ପୁରୀ ଏସପିଙ୍କ କାର୍ଯ୍ୟାଳୟରେ ଛତିଶା ନିଯୋଗର ବରିଷ୍ଠ ସେବାୟତଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଛି। ରଥଯାତ୍ରା ସମୟରେ ପୋଲିସ ଓ ସେବାୟତଙ୍କ ମଧ୍ୟରେ ଉତ୍ତମ ସମନ୍ଵୟ ରଖାଯିବ । ଏହାସହ ମହାପ୍ରଭୁଙ୍କ ଶୃଙ୍ଖଳିତ ନୀତିକାନ୍ତି, ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଥିବା ସେବାୟତ ସାହି ଗୁଡିକରେ ବ୍ୟାରିକେଡ ବ୍ୟବସ୍ଥା, ସେବାୟତ ଓ ତାଙ୍କ ପରିବାର ସଦସ୍ୟମାନଙ୍କ ଯାତାୟତରେ ଯେଭଳି କୌଣସି ଅସୁବିଧା ନହେବ, ସେବାୟତଙ୍କ ପାସ୍ ବ୍ୟବସ୍ଥା, ପ୍ରମୁଖ ଛକରେ ହାଇମାକ୍ସ ଲାଇଟ ବ୍ୟବସ୍ଥା ନେଇ ବୈଠକରେ ଆଲୋଚନା ହୋଇଛି। ସେହିପରି ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରଚାଳନା କମିଟି ସଦସ୍ୟ ଓ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକରେ ରଥଯାତ୍ରା ପୂର୍ବରୁ ସମସ୍ତ ସେବାୟତଙ୍କୁ ପ୍ରିକସନାରୀ କୋଭିଡ ଡୋଜ୍ ପ୍ରଦାନ, ଭକ୍ତଙ୍କ ପାଇଁ ମହାପ୍ରସାଦର ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଛି।
ଜ୍ୱରରେ ପୀଡ଼ିତ ମହାପ୍ରଭୁଙ୍କ ଜାରି ରହିଛି ଗୁପ୍ତ ସେବା । ଫୁଲୁରୀ ତେଲ ଲାଗି ହେବା ପରେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଚତୁର୍ଦ୍ଧାବିଗ୍ରହ । ଆଜିଠୁ ନବମୀ ତିଥି ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ଓଷ ଲାଗି କରାଯିବ । ସୁଦ୍ଧସୁଆର ମାନେ ପ୍ରସ୍ତୁତ କରିଥିବା ଝୁଣା, ତେଲ ଓ ବିଭିନ୍ନ ଚେର ମୂଳିରେ ପ୍ରସ୍ତୁତ ଔଷଧକୁ ଦଇତାପତି ସେବକମାନେ ଶ୍ରୀଜୀଉଙ୍କ ଅଙ୍ଗରେ ଲଗାଇବେ । ଦଶମୀ ଦିନ ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ମୋଦକ ଖାଇବା ପରେ ମହାପ୍ରଭୁ ସମ୍ପୂର୍ଣ୍ଣ ଉପଶମ ହେବେ । ଏପଟେ ତିନି ରଥର ବଡ ପୋଟଳ ଉଠିବା ସହ ପାରାଭାଡ଼ି କାମ ସରିଛି । ରଥର କଳସ ତିଆରି ସହ ଦୁଆରଘଡାର ଅଂଶ ଚନ୍ଦ୍ରଶାଳୀ ମଧ୍ୟ ଶେଷ ହୋଇଛି । ତିନି ରଥରେ ୪ଟି ଲେଖାଏଁ କତରା ଲାଗି ତାଗ ବାଡିଆ ଯାଇ ସେଥିରେ ପଟା କାର୍ଯ୍ୟ ଜାରି ରହିଛି । ପାଗ ଅନୁକୂଳ ଥିବାରୁ ରଥଯାତ୍ରାର ନିର୍ଦ୍ଧାରିତ ସମୟ ପୂର୍ବରୁ ରଥ ନିର୍ମାଣ ସରିବା ନେଇ ମହାରଣାମାନେ ଆଶାବାଦୀ ଅଛନ୍ତି।