ବାଙ୍ଗିରିପୋଷି ଘାଟିରେ ଭାରି ଯାନ ପାଇଁ କଟକଣା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଚାରି ଦିନ ଧରି ବାଙ୍ଗିରିପୋଷି ଘାଟି ରାସ୍ତାରେ ଜାମ ଲାଗି ରହିବା ପରେ ଆଜି ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି। ମୟୁରଭଞ୍ଜ ଜିଲ୍ଲାର ଲାଇଫ ଲାଇନ କୁହାଯାଉଥିବା ବାଙ୍ଗିରିପୋଷି ଘାଟି ରାସ୍ତା କିଛି ଦିନ ହେଲାଣି ଅତ୍ୟନ୍ତ ଖରାପ ହେବା ଯୋଗୁ ବିଭିନ୍ନ ସମୟରେ ଛୋଟ ବଡ଼ ଦୁର୍ଘଟଣା ଲାଗି ରହୁଛି। କିଛି ମିନିଟ୍‌ର ରାସ୍ତା ଅତିକ୍ରମ କରିବାକୁ ଲାଗୁଛି ୩ରୁ ୪ ଘଣ୍ଟା।

ଘାଟି ରାସ୍ତାରେ ଶହ ଶହ ଟ୍ରକ୍ ସମେତ ଛୋଟ ବଡ଼ ଗାଡ଼ି ଅଟକି ରହିଛନ୍ତି । ଘାଟି ରାସ୍ତାର ଉଭୟ ପାର୍ଶ୍ୱରେ ୧୭ କିମି ଯାଏଁ ଏପରି ଚିତ୍ର ଦେଖିବାକୁ ମିଳିଛି। ଚାରି ଦିନ ଧରି ବାଙ୍ଗିରିପୋଷି ଘାଟିରେ  ରାସ୍ତା ଜାମ ସ୍ଥିତି ଲାଗି ରହିବା ପରେ ଆଜି ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି। ତୁରନ୍ତ ରାସ୍ତା ଜାମ୍‌ ହଟାଇବା ସହ ଏହାର ସୁପରିଚାଳନା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି ମୟୂରଭଞ୍ଜ ଜିଲ୍ଲାପାଳ । ମୟୂରଭଞ୍ଜ ଜିଲ୍ଲାପାଳ ଗତକାଲି ବାଙ୍ଗିରିପୋଷି ଏବଂ ବିଶୋଇ ପୁଲିସକୁ ସ୍ୱତନ୍ତ୍ର ଚିଠି କରିଛନ୍ତି। ଏହି ଚିଠିରେ ଘାଟି ରାସ୍ତାର ଉଭୟ ପାର୍ଶ୍ୱରେ ୨୪ ଘଣ୍ଟା ପୁଲିସ ପାଟ୍ରୋଲିଂ କରିବାକୁ ନିର୍ଦ୍ଦେଶ କରିଛନ୍ତି।

ଏଥିସହ ଭାରିଯାନ ଯାତାୟତ ଉପରେ କଟକଣା ଜାରି କରିଛନ୍ତି । ୪୯ ନଂ ଜାତୀୟ ରାଜପଥ ଘାଟି ରାସ୍ତାର ଉଭୟ ପାର୍ଶ୍ବରେ ଭାରି ଯାନକୁ ପ୍ରତି ଦେଢ଼ ଘଣ୍ଟାରେ ଥରେ ଛଡାଯିବ, ଅନ୍ୟ ସମୟରେ ଭାରି ଯାନ ଗୁଡିକ ରାସ୍ତାର ବାମ ପାଶ୍ୱର୍ରେ ପାର୍କିଂ କରିବେ। ଘାଟି ରାସ୍ତା ଯେଭଳି ଜାମ ନ ହୁଏ ସେ ନେଇ ବିଡ଼ିଓ, ତହସିଲଦାର ତଦାରଖ କରିବେ। ଏହି କଟକଣା ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଜିଲ୍ଲାପାଳଙ୍କ ଚିଠିରେ ଉଲ୍ଲେଖ ରହିଛି।

Leave A Reply

Your email address will not be published.