ନିର୍ବାଚନୀ ଇସ୍ତାହାରରେ ଦେଇଥିବା ପ୍ରତିଶୃତି ପୂରଣ କଲେ ରେବନ୍ତ ରେଡ୍ଡୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ତେଲେଙ୍ଗାନାରେ କଂଗ୍ରେସ ସରକାର ଗୁରୁବାର ଦିନ ‘ମହା ଲକ୍ଷ୍ମୀ ଯୋଜନା’ ଆରମ୍ଭ କରିଛନ୍ତି, ଯାହା ମହିଳା, ବାଳିକା ଏବଂ ଟ୍ରାନ୍ସଜେଣ୍ଡର ବ୍ୟକ୍ତିଙ୍କ ପାଇଁ ମାଗଣା ଯାତ୍ରା ଯୋଗାଇଥାଏ। ଏକ ସରକାରୀ ପ୍ରକାଶନ ଅନୁଯାୟୀ, ତେଲେଙ୍ଗାନା ସରକାରଙ୍କ ପରିବହନ ବିଭାଗ ‘6 ଗ୍ୟାରେଣ୍ଟି-ମହା ଲକ୍ଷ୍ମୀ’ ଯୋଜନା ଆରମ୍ଭ କରିବାକୁ ଘୋଷଣା କରିଛି। କଥା ଦେଇ କଥା ରଖିଲା କଂଗ୍ରେସ ।

ନିର୍ବାଚନୀ ଇସ୍ତାହାରରେ ଦେଇଥିବା ପ୍ରତିଶୃତି ପୂରଣ କଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ । ରାଜ୍ୟରେ ମହାଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ନିର୍ବାଚନ ପୂର୍ବରୁ ସେପ୍ଟେମ୍ବର 18 ତାରିଖରେ ନିର୍ବାଚନୀ ଇସ୍ତାହାରରେ ମହାଲକ୍ଷ୍ମୀ ଯୋଜନାର ଘୋଷଣା କରିଥିଲା କଂଗ୍ରେସ । ଏହି ଯୋଜନାରେ କଂଗ୍ରେସ ତେଲେଙ୍ଗାନାର ମହିଳାମାନଙ୍କ ପାଇଁ ମାଗଣା ବସ୍ ସେବା ଯୋଗାଇବା ସହିତ ମହିଳାଙ୍କୁ ପ୍ରତି ମାସରେ 2500 ଟଙ୍କା ଯୋଗାଇ ଦେବ ବୋଲି ଘୋଷଣା କରିଥିଲା । ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ରେବନ୍ତ ରେଡ୍ଡୀ ତେଲେଙ୍ଗାନାରେ କଂଗ୍ରେସ ଦଳ ଦେଇଥିବା ଏହି ପ୍ରତିଶୃତିକୁ ଅନୁମୋଦନ କରିଛନ୍ତି ।

ମହାଲକ୍ଷ୍ମୀ ଯୋଜନାରେ ତେଲେଙ୍ଗାନା ଟିଏସଆରଟିସି ଦ୍ବାରା ଚଳାଚଳ କରୁଥିବା ପଲେ ଭେଲୁଗୁ ଓ ଏକ୍ସପ୍ରେସ ବସରେ ସମସ୍ତ ବର୍ଗର ମହିଳା, ଯୁବତୀ ଓ କିନ୍ନରଙ୍କୁ ମାଗଣା ଯାତ୍ରା ଯୋଗାଇବା ଲକ୍ଷ୍ୟ ରହିଛି । ଆଜି ଠାରୁ ଏହି ଯୋଜନା କାର୍ଯ୍ୟକାରି ହେବ । ସରକାରୀ ବସରେ ରାଜ୍ୟ ମଧ୍ୟରେ ସମ୍ପୂର୍ଣ୍ଣ ମାଗଣାରେ ଯାତାୟତ କରିବେ ସବୁ ବର୍ଗର ମହିଳା ଓ କିନ୍ନର ।18 ବର୍ଷରୁ ଊର୍ଦ୍ଧ୍ୱ ଛାତ୍ରୀଙ୍କୁ ମାଗଣାରେ ଇଲେକ୍ଟ୍ରିକ୍‌ ସ୍କୁଟି ଦିଆଯିବ ବୋଲି ମଧ୍ୟ କୁହାଯାଇଥିଲା । ସେହିପରି ସ୍ବତନ୍ତ୍ର ତେଲେଙ୍ଗାନା ରାଜ୍ୟ ଗଠନ ପାଇଁ ଆନ୍ଦୋଳନରେ ଶହୀଦଙ୍କ ପରିବାରକୁ ମାସିକ 25 ହଜାର ଟଙ୍କା ପେନସନ ସହିତ ପରିବାରର ଜଣକୁ ସରକାରୀ ଚାକିରି ମିଳିବ ବୋଲି ଘୋଷଣା କରାଯାଇଥିଲା । ଏହି ସବୁ ପ୍ରତିଶୃତି କଂଗ୍ରେସ ପୂରଣ କରୁଛି ନା ନାହିଁ ତାହା ଉପରେ ଜନତାଙ୍କ ନଜର ।

Leave A Reply

Your email address will not be published.