ଯୋଗୀ ଆସିବା ପରେ ମାତ୍ର ୨୪ ଘଣ୍ଟା ମଧ୍ୟରେ ଫ୍ରାନ୍ସରେ ଦଙ୍ଗାର ପରିସମାପ୍ତି ଘଟିବ : ପ୍ରଫେସର ଏନ୍‌ ଜନ୍‌ କେମ୍‌

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ଗତ ୪ ଦିନ ହେଲା ଫ୍ରାନ୍ସ ଦଙ୍ଗାର ନିଆଁରେ ଜଳୁଛି । ୨୭ ଜୁନ୍‌ରେ ଜଣେ ଟ୍ରାଫିକ୍‌ ପୋଲିସ ଅଲ୍ଜିରିଆୟୀ ସମ୍ପ୍ରଦାୟର ଜଣେ ୧୭ ବର୍ଷିୟ ନାହେଲ ଏମ୍‌ ନାମକ ବ୍ୟକ୍ତିଙ୍କୁ ଗୁଳି କରିଥିଲେ । ଏହାକୁ ବିରୋଧ କରିଥିଲେ ଉକ୍ତ ସମ୍ପ୍ରଦାୟର ଲୋକ । ଯାହାଫଳରେ ଦଙ୍ଗା ସୃଷ୍ଟି ହୋଇଥିଲା । ଏବେ ସୁଦ୍ଧା ଅନେକ ଘର ଏବଂ ଦୋକାନ ବଜାର ଭାଙ୍ଗି ରୁଜି ନଷ୍ଟ ହୋଇଯାଇଛି ।

କେମିତି ଏଠାରେ ଦଙ୍ଗାକୁ ଶାନ୍ତ କରାଯିବ ସେନେଇ ସମସ୍ତେ ଚିନ୍ତାରେ ଅଛନ୍ତି, ଏହି ଦଙ୍ଗାର ପ୍ରଭାବ ଏବେ ସାରା ଫ୍ରାନ୍ସ ଉପରେ ପଡ଼ିବାରେ ଲାଗିଛି । ତେବେ ଏହାରି ଭିତରେ ଫ୍ରାନ୍ସର ଜଣେ ଜଣାଶୁଣା ଡାକ୍ତର ତଥା ପ୍ରଫେସର ଏନ୍‌ ଜନ୍‌ କେମ୍‌ ଏକ ବଡ଼ କଥା କହିଛନ୍ତି । ଯାହାକୁ ନେଇ ଭାରତରେ ଆରମ୍ଭ ହୋଇଛି ବିତର୍କ । ସେ ନିଜ ଟ୍ୱିଟରେ ଲେଖିଛନ୍ତି, ‘ଫ୍ରାନ୍ସରେ ଦଙ୍ଗା ବନ୍ଦ କରିବାକୁ ହେଲେ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଦାୟିତ୍ୱ ଦେବା ଉଚିତ୍‌ ।

ଭାରତ ସରକାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଫ୍ରାନ୍ସକୁ ପଠାଇବା ଜରୁରୀ । ମୋର ବିଶ୍ୱାସ ଯୋଗୀ ଆସିବା ପରେ ମାତ୍ର ୨୪ ଘଣ୍ଟା ମଧ୍ୟରେ ଫ୍ରାନ୍ସରେ ଦଙ୍ଗାର ପରିସମାପ୍ତି ଘଟିବ ।’ ଏନ୍‌ ଜନ୍‌ କେମ୍‌ଙ୍କ ଏହି ଟ୍ୱିଟ୍‌କୁ ନେଇ ଭାରତର ବଡ଼ ବଡ଼ ଗଣମାଧ୍ୟମରେ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ସବୁଠାରୁ ବଡ଼ କଥା ହେଲା, ଜନ୍‌ କେମ୍‌ଙ୍କ ଟ୍ୱିଟର ଜବାବ ମଧ୍ୟ ଦେଇଛି ଯୋଗୀ ଆଦିତ୍ୟନାଥଙ୍କ ଅଫିସ୍ । ଆଉ ଏହା ମଧ୍ୟ ଆଉ ଏକ ଚର୍ଚ୍ଚାର କାରଣ ପାଲଟିଛି ।

ସୋସିଆଲ ମିଡିଆରେ ଏନ୍‌ ଜନ୍‌ କେମ୍‌ଙ୍କ ଟ୍ୱିଟ୍‌କୁ ଅନେକ ସମର୍ଥନ କରିବା ସହ ଯୋଗୀ ହିଁ ଦଙ୍ଗା ରୋକି ପାରିବେ ବୋଲି ଅନେକ ମତ ଦେଇଛନ୍ତି । ଆଉ କିଛି ୟୁଜର୍ସ କହିଛନ୍ତି ଯୋଗୀ ଆଦିତ୍ୟନାଥଙ୍କ ଅଫିସ୍‌ ପ୍ରଥମେ ସ୍ପଷ୍ଟ କରୁ ଯେ ସେ ଯେଉଁ ଏନ୍‌ ଜନ୍ କେମ୍‌ଙ୍କ ଟ୍ୱିଟ୍‌ର ଉତ୍ତର ରଖିଛନ୍ତି ସେ ତାଙ୍କୁ ଜାଣିଛନ୍ତି ନା ନାହିଁ । ତାଙ୍କ ପ୍ରକୃତ ନାଁ କ’ଣ ବା ତାଙ୍କ ପରିଚୟ କ’ଣ ଯୋଗୀ ଆଦିତ୍ୟନାଥଙ୍କ ଅଫିସ୍ ଜାଣିଛି ନା ନାହିଁ । ଏଭଳି ପ୍ରଶ୍ନ ମଧ୍ୟ ଏବେ ସୋସିଆଲ ମିଡିଆରେ ଖୁବ୍‌ ଘୁରି ବୁଲୁଛି । ଜନ୍‌ କେମ୍‌ ନିଜ ଟ୍ୱିଟ୍‌ରେ ଯୋଗୀ ଆଦିତ୍ୟନାଥଙ୍କ ବୁଲ୍‌ଡୋଜର ଟ୍ରିଟ୍‌ମେଣ୍ଟ କଥା ମଧ୍ୟ ଉଲ୍ଲେଖ କରିଛନ୍ତି । ସେ ଲେଖିଛନ୍ତି ଦଙ୍ଗା ଭିଆଉଥିବା ଲୋକଙ୍କୁ ବା ଦଙ୍ଗା ରୋକିବାକୁ, ବୁଲ୍‌ଡୋଜର ଟ୍ରିଟ୍‌ମେଣ୍ଟଠାରୁ ଭଲ ଚିକିତ୍ସା ଆଉ କିଛି ହୋଇନପାରେ ।

ସୂଚନାଥାଉକି କୋଟି କୋଟି ଟଙ୍କାର ସମ୍ପତି ଜଳି ପୋଡ଼ି ପାଉଁଶ ହୋଇଗଲାଣି । ତଥାପି ଦଙ୍ଗା ଥମିବାର ନାଁ ଧରୁନି । ଅନ୍ୟପଟେ ପୋଲିସ ଏହି ଘଟଣାରେ ଏବେ ସୁଦ୍ଧା ୮୭୫ ଜଣଙ୍କୁ ଗିରଫ ମଧ୍ୟ କରି ସାରିଛି । ତଥାପି ଦଙ୍ଗା ଥମିନି ବରଂ ବେଳକୁ ବେଳ ଦଙ୍ଗା ବଢ଼ିବାରେ ଲାଗିଛି । ଦଙ୍ଗାକାରୀ କାହା କଥା ଶୁଣିବାକୁ ନାରାଜ । ଲୋକଙ୍କ ମଧ୍ୟରେ ଏତେ ମାତ୍ରାରେ ଉତ୍ତେଜନା ରହିଛି ଯେ କେହି କାହା କଥା ଶୁଣିବାକୁ ପ୍ରସ୍ତୁତ ନୁହଁନ୍ତି ।

Leave A Reply

Your email address will not be published.