ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଲାଞ୍ଚ ମାଗି ଗ୍ରାମ୍ୟ କୃଷି କର୍ମଚାରୀ (VAW) ନିଲମ୍ବିତ। ବାତ୍ୟା ‘ଦାନା’ ତ ଯାହା କ୍ଷୟକ୍ଷତି ଘଟଇଲା ତାଠୁ ଅଧିକ ଦାଉ ସାଧିଲା ସରକାରୀ ମାଡାମଙ୍କ ଲାଞ୍ଚ। ହେକ୍ଟର ପିଛା, ଏକର ପିଛା ଅଲଗା ଅଲଗା ଲାଞ୍ଚ ଦର। ଏଭଳି କିଛି ସାଂଘାତିକ ଅଭିଯୋଗ ଆସିଛି, ଭଦ୍ରକ ଚାନ୍ଦବାଲି ବ୍ଲକ ଭାଟପଡ଼ା ପଞ୍ଚାୟତରେ। ରବିବାର ଚାନ୍ଦବାଲି ବ୍ଲକ ଅଧୀନ ଭାଟପଡ଼ା ପଞ୍ଚାୟତ କାର୍ଯ୍ୟାଳୟରେ ଗ୍ରାମ୍ୟ କୃଷି କର୍ମଚାରୀ ଚାଷୀଙ୍କଠାରୁ ଜମି ଅନ୍ଲାଇନ କରିବା ପାଇଁ ୫ ଶହ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି।
କେଉଁ ଆଧାରରେ ୫ଶହ ଟଙ୍କା ନେଉଛନ୍ତି ବୋଲି ଚାଷୀମାନେ ପ୍ରଶ୍ନ କରିବାରୁ ସେମାନଙ୍କୁ ନାଲି ଆଖି ଦେଖାଇବା ସହ ଜମି ଅନ୍ଲାଇନ୍ କରିବେ ନାହିଁ ବୋଲି ସେ କହୁଥିବାର ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି। ଏ ସମ୍ପର୍କରେ ଗ୍ରାମ୍ୟ କୃଷି କର୍ମଚାରୀ ଭଗବତୀ କିସାନଙ୍କୁ ପଚାରିବାରୁ ସେ ଟଙ୍କା କେବେ ନେଇନାହାନ୍ତି, ଖାଲି ମାଗିଥିଲେ ବୋଲି କହିଛନ୍ତି।
ବ୍ଲକ କୃଷି ଅଧିକାରିଣୀ ଲିପ୍ସା ପ୍ରିୟଦର୍ଶିନୀ କହିଛନ୍ତି, ଏହି ବିଷୟରେ ଭିଏଲ୍ଡବ୍ଲ୍ୟୁଙ୍କୁ କଲ୍ କରି କୁହାଯାଇଛି। ତହସିଲଦାରଙ୍କୁ ନେଇ ଏକ କମିଟି କରି ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବ। ଗ୍ରାମ୍ୟ କୃଷି ଅଧିକାରୀ ଭଗବତୀ କିଷାନ ଚାଷୀଙ୍କଠାରୁ ଲାଞ୍ଚ ମାଗୁଥିବାର ଭିଡିଓ ଭାଇରାଲ୍ ପରେ ଭଦ୍ରକ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।