ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆନନ୍ଦ ବଜାରରେ ବାସି ଅବଢା ବିକ୍ରି ଉପରେ ଲାଗିବ ରୋକ୍। ଅଣସୂପକାରମାନଙ୍କୁ ପ୍ରସାଦ ବିକ୍ରି ବାରଣ କରାଯିବ। ସେପ୍ଟେମ୍ବର 1 ତାରିଖରୁ ଆନନ୍ଦବଜାରରେ ଲାଗୁ ହେବ ନୂଆ ନିୟମ । ବାସି ମହାପ୍ରସାଦ ବା ଅବଢ଼ା ବିକ୍ରି ଉପରେ ଲାଗିବ ରୋକ । ଅଣ ସେବାୟତ ବିକ୍ରି କରିପାରିବେନି ମହାପ୍ରସାଦ । ଆନନ୍ଦ ବଜାର ବ୍ୟତିତ ଶ୍ରୀ ମନ୍ଦିରର ଅନ୍ୟ କୌଣସି ସ୍ଥାନରେ ମହାପ୍ରସାଦ ବିକ୍ରି ପାଇଁ ଅନୁମତି ଦିଆଯିବ ନାହିଁ ।
ନିର୍ଦ୍ଧାରିତ ସ୍ଥାନରେ ବସି ସୁଆର ମହାସୁଆର ସେବକ ମହାପ୍ରସାଦ ବିକ୍ରି କରିବେ । ଏଥିସହ ଶ୍ରୀମନ୍ଦିର ବାହାରେ ତିଆରି ହୋଇ ବିକ୍ରି ହେଉଥିବା ଖାଦ୍ୟ ଉପରେ ଲାଗିବ ରୋକ । ଆନନ୍ଦ ବଜାରରେ କିପରି ଶୃଙ୍ଖଳା ବଜାୟ ରଖିହେବ, ସେ ନେଇ ଗତକାଲି ମନ୍ଦିର ପ୍ରଶାସନର ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି । ସୂପକାର ଓ ଅଣସୂପକାରଙ୍କ ଉପରେ ନଜର ରଖିବେ ସ୍ବତନ୍ତ୍ର ସୁରକ୍ଷା କର୍ମୀ। ଏଥିପାଇଁ ୨୦ ଜଣ ଦକ୍ଷ ଅବସରପ୍ରାପ୍ତ ସେନାନିବୃତ୍ତ କର୍ମୀ ନିଯୁକ୍ତ ହେବେ । ଏନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଆରମ୍ଭ ହୋଇଛି ନିଯୁକ୍ତି ପ୍ରକ୍ରିୟା।
ପ୍ରାୟ ୬୦ ଜଣ ସେନାନିବୃତ କର୍ମୀ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକଙ୍କ ନିକଟରେ ସାକ୍ଷାତକାର ଦେଇଛନ୍ତି। ଆସନ୍ତା ୩୦ ତାରିଖ ସୁଦ୍ଧା ସମସ୍ତ ୨୦ଟି ଯାକ ପଦବୀ ପୂରଣ ହେବ। ସେପଟେମ୍ବର ୧ ତାରିଖରୁ ଆନନ୍ଦ ବଜାରରେ ମୁତୟନ ହେବେ ଏହି ସ୍ବତନ୍ତ୍ର ସୁରକ୍ଷା କର୍ମୀ। ଏମାନଙ୍କ ପାଇଁ ସ୍ବତନ୍ତ୍ର ଡ୍ରେସକୋଡ୍ ଲାଗୁ ହେବ। ନିଯୁକ୍ତି ପରେ ଆନନ୍ଦ ବଜାରରେ ବିଭିନ୍ନ ବିଶୃଙ୍ଖଳା ଉପରେ ଏମାନେ ନଜର ରଖିବେ ଏବଂ ଏଥିପାଇଁ ସ୍ବତନ୍ତ୍ର ପ୍ରଶିକ୍ଷଣ ନେବେ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ସୂଚନା ଦେଇଛନ୍ତି।
Comments are closed.