ଓଡ଼ିଆ ନ୍ୟୁଜ(ବ୍ୟୁରୋ): ବିଜୁ ଜନତା ଦଳର ସ୍ଥାୟୀ ମୁଖ୍ୟ କାର୍ଯ୍ୟାଳୟ ‘ଶଙ୍ଖ ଭବନ’ ଆଜି ଲୋକାର୍ପିତ ହୋଇଛି । ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପିତ କରିଛନ୍ତି । ଓଡ଼ିଶାକୁ ଭଲ ପାଉଥିବା, ଓଡ଼ିଶାର ବିକାଶ ପାଇଁ, ଓଡ଼ିଆ ସ୍ୱାଭିମାନର ସୁରକ୍ଷା ପାଇଁ ତଥା ଏକ ନୂତନ ଓ ସଶକ୍ତ ଓଡ଼ିଶା ଗଠନ ପାଇଁ କାମ କରିବାକୁ ଆଗ୍ରହୀ ସମସ୍ତଙ୍କ ପାଇଁ ଏହି ଶଙ୍ଖ ଭବନ ମିଳନସ୍ଥଳୀ ହେବ । ଶଙ୍ଖ ଭବନର ସବୁ କାର୍ଯ୍ୟକ୍ରମ ଓଡ଼ିଶାବାସୀଙ୍କ ସେବାରେ ସମର୍ପିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ଆଜିର ଲୋକାର୍ପଣ କାର୍ଯ୍ୟକ୍ରମରେ ଦଳର ସବୁ ତୁଙ୍ଗ ନେତା, ବିଧାୟକ, ସାଂସଦଙ୍କ ସମେତ ଓ ୩୦ ଜିଲ୍ଲା ପଦାଧିକାରୀମାନେ ଉପସ୍ଥିତ ଥିଲେ ।
ଶଙ୍ଖ ଭବନରୁ ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କୁ ସମ୍ବୋଧିତ କରି ବିଜୁ ଜନତା ଦଳର ଜନ୍ମ ବୃତ୍ତାନ୍ତ କହିଥିଲେ । ସେ କହିଥିଲେ, ୧୯୯୭ ଥିଲା ଓଡ଼ିଶା ରାଜନୀତିରେ ଏକ ନୂଆ ଯୁଗର ଆରମ୍ଭ । ବିଜୁ ବାବୁଙ୍କ ଆଦର୍ଶ, ସେବା, ସ୍ୱାଭିମାନ ଓ ସଂଗ୍ରାମର ମନ୍ତ୍ର ନେଇ ବିଜୁ ଜନତା ଦଳ ଜନ୍ମ ନେଇଥିଲା । ଆଞ୍ଚଳିକ ଦଳ ଭାବରେ ଓଡିଶାବାସୀଙ୍କ ସେବାରେ ରହି ସେଦିନର ବିଜୁ ଜନତା ଦଳ ଆଜି ଏକ ସାମାଜିକ ଆନ୍ଦୋଳନରେ ରୂପାନ୍ତରିତ ହୋଇଯାଇଛି । ବିଜୟର ଶୁଭଶଙ୍ଖ ବାଜି ଚାଲିଛି।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏ ଶଙ୍ଖ ଭବନ ହେବ ସାଢେ ଚାରି କୋଟି ଓଡିଶାବାସୀଙ୍କ ପ୍ରିୟ ଭବନ । ଓଡିଶାର ଅତୀତ ସହ ଏହା ଭବିଷ୍ୟତକୁ ଯୋଡିବ । ସାଢେ ଚାରି କୋଟି ଓଡଶାବାସୀକୁ ଏକାଠି କରିବ । ଓଡିଶାର ବିକାଶ ପାଇଁ ସମର୍ପିତ ହେବ । ଓଡ଼ିଆ ସ୍ୱାଭିମାନର ସୁରକ୍ଷା ପାଇଁ ସମର୍ପିତ ହେବ । ଓଡିଶାର କଳା, ସାହିତ୍ୟ, ସଂସ୍କୃତିର ବିକାଶ ପାଇଁ ସମର୍ପିତ ହେବ । ଶଙ୍ଖ ଭବନ କେବଳ ଆମର ଭୌତିକ, ସାମାଜିକ, ଅର୍ଥନୈତିକ ସାଂସ୍କୃତିକ ଓ ରାଜନୈତିକ ଉନ୍ନତି ପାଇଁ ପ୍ରେରଣାର କେନ୍ଦ୍ର ହେବ ନାହିଁ, ଏହା ଜଗନ୍ନାଥ ସଂସ୍କୃତିର ମୂଳତତ୍ତ୍ଵ ଆଧାରରେ ଆମର ଆଧ୍ୟାତ୍ମିକ ଉତ୍ତରଣର କେନ୍ଦ୍ର ମଧ୍ୟ ହେବ। ବିଶ୍ଵ ଦରବାରରେ ଓଡ଼ିଶାର ଇଷ୍ଟ ଦେବତା ଶ୍ରୀ ଜଗନ୍ନାଥଙ୍କ ମହାନ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଶଙ୍ଖ ଭବନ କାମ କରି ଚାଲିବ ଏବଂ ବସୁଧୈବ କୁଟୁମ୍ବକମର ବାର୍ତ୍ତା ପ୍ରଚାର କରିଚାଲିବ।
ଶଙ୍ଖ ଭବନ ନିର୍ମାଣରେ ଅବଦାନ ରଖିଥିବା ଶ୍ରମିକଙ୍କ ଠାରୁ ଆରମ୍ଭ କରି ସ୍ଥପତି ପର୍ଯ୍ୟନ୍ତ ତଥା ଯୁବ , ଛାତ୍ର ,ମହିଳା କର୍ମୀ ଏବଂ ନେତା, ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଧନ୍ୟବାଦ ଜଣାଇଥିଲେ। ସେବାର ସଂସ୍କୃତିକୁ ଆଗକୁ ନେବା , ବିକାଶକୁ ଆଗକୁ ନେବା ,ଓଡିଶା ମା’ର ଗୌରବକୁ ଆହୁରି ଉଜ୍ଜଳ କରିବା ପାଇଁ ନିଜକୁ ସମର୍ପିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆହ୍ଵାନ ଜଣାଇଥିଲେ।
ସୂଚନାଯୋଗ୍ୟ, ବିଜେଡିର ଏହି ତିନି ମହଲା କୋଠାରେ ଓଡ଼ିଶାର ଐତିହ୍ୟ, ସଂସ୍କୃତି ଓ ପରମ୍ପରା ଛାପ ଦିଆଯାଇଛି । ବେସମେଣ୍ଟରେ ୪୦ ଟି କାର୍ ପାର୍କିଂ କରିବା ଭଳି ପାର୍କିଂ ସ୍ଥାନ ରଖାଯାଇଛି । ବେସମେଣ୍ଟ ଉପରେ ଛିଡ଼ା ହୋଇଥିବା ୩ ମହଲା କୋଠାର ପ୍ରଥମ ମହଲାରେ ରହିଛି ବିରାଟ ଏସି ହଲ୍ । ଏଥିରେ ୨୦୦୦ ଲୋକ ବସିପାରିବେ । ଏହାକୁ ଲାଗି ୨୫୦ ଆସନ ବିଶିଷ୍ଟ ଏକ ଅଡିଟୋରିୟମ୍ ରହିଛି । ପ୍ରଥମ ମହଲାରେ ପ୍ରେସ୍ କନଫରେନ୍ସ ହଲ୍ ମଧ୍ୟ ରହିଛି । ବିଲଡିଂର ଦ୍ୱିତୀୟ ମହଲାରେ ୩୦ ଟି ପ୍ରକୋଷ୍ଠ ରହିଛି । ଏଥିରେ ଛାମୁଆ ସଂଗଠନ ଓ ଦଳର ରାଜ୍ୟ ପଦାଧିକାରୀଙ୍କ କାର୍ଯ୍ୟାଳୟ ରହିବ । ଆଇଟି ସେଲ୍ ମଧ୍ୟ କାର୍ଯ୍ୟ କରିବ । ବିଲଡିଂର ତୃତୀୟ ମହଲାରେ ଦଳର ସଭାପତିଙ୍କ ଦପ୍ତର ରହିଛି । ୨୦୨୧ ରଥଯାତ୍ରା ସମୟରେ ବିଜେଡିର ନୂଆ କାର୍ଯ୍ୟାଳୟ ପାଇଁ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଦୁଇବର୍ଷରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ।
ଶଙ୍ଖ ଭବନର ସମ୍ମିଳନୀ କକ୍ଷଗୁଡିକରେ ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳଗୌରବ ମଧୁସୂଦନ ଦାସ, ଆଦିକବି ସାରଳା ଦାସ, ବୀର ସୁରେନ୍ଦ୍ର ସାଏ , ବକ୍ସି ଜଗବନ୍ଧୁ, ଭୀମ ଭୋଇ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ,ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ସହିଦ୍ ଲକ୍ଷ୍ମଣ ନାୟକ ପଣ୍ଡିତ ରଘୁନାଥ ମୁର୍ମୁ, ବିର୍ସା ମୁଣ୍ଡା, ରେଣ୍ଡୋ ମାଝି , ଧରଣୀଧର ଭୂୟାଁ, ମା ରମାଦେବୀ , ପାର୍ବତୀ ଗିରି , ଫକୀମୋହନ ସେନାପତି , ଗଙ୍ଗାଧର ମେହେର , କୁନ୍ତଳାକୁମାରୀ ସାବତ ଓ ବାଜି ରାଉତଙ୍କ ପରି ବରପୁତ୍ରମାନଙ୍କ ଉକ୍ତି ଖୋଦିତ ହେବ। ଏହା ସହିତ ଏଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରସିଦ୍ଧ Talisman (ତାବିଜ ) ଶୋଭା ପାଇବ ଏବଂ ଓଡ଼ିଶାର ୩୦ଟି ଜିଲ୍ଲାର ପ୍ରସିଦ୍ଧ ସାମଗ୍ରୀ ଓ ଶ୍ରେଷ୍ଠ କଳାକୃତି ମଧ୍ୟ ସ୍ଥାନ ପାଇବ। ଶଙ୍ଖ ଭବନରେ ପ୍ରତି ସପ୍ତାହରେ ରକ୍ତ ଦାନ କାର୍ଯ୍ୟକ୍ରମ କରାଯିବ। ଏହା ସହିତ ଗରିବ ଲୋକଙ୍କ ବିବାହ ଓ ଅନ୍ୟ ସାମାଜିକ କାର୍ଯ୍ୟକ୍ରମ ମଧ୍ୟ ନିୟମିତ ଜାରି ରହିବ ବୋଲି କୁହାଯାଇଛି ।