ଓଡ଼ିଆ ନ୍ୟୁଜ୍: ବାଘ ଶୂନ୍ୟ ହୋଇଯାଇଛି ସାତକୋଶିଆ କହିଲେ ପିସିସିଏଫ୍ ପ୍ରେମ୍ ଝା। ସାତକୋଶିଆକୁ ବର୍ତ୍ତମାନ କୌଣସି ବାଘ ଆଣିବାକୁ ଯୋଜନା ନାହିଁ।୫ ବର୍ଷ ପୂର୍ବେ ବାଘ ରହିଥିଲେ, ବର୍ତ୍ତମାନ ଆଉ ବାଘ ନାହାନ୍ତି।ଶିମିଳିପାଳରେ ୨ ପ୍ରକାର ବାଘ ଅଛନ୍ତି, ନର୍ମାଲ ଟାଇଗର ଓ ବ୍ଲାକ୍ ଟାଇଗର।ପ୍ରତି ୪ ବର୍ଷରେ ଥରେ ବାଘ ଗଣାନା କରାଯାଉଛି।ଶିମିଳିପାଳରେ ବର୍ତ୍ତମାନ ବାଘଙ୍କ ସଂଖ୍ୟା ୩୦ ରହିଛି।ଶାବକଙ୍କୁ ୨ବର୍ଷ ହେଲା ପରେ ଗଣନାରେ ସାମିଲ କରାଯିବ।
ବାଘ ଦୁନିଆର ସବୁଠାରୁ ପରିଚିତ ପ୍ରାଣୀ। ଏମାନଙ୍କ ସଂରକ୍ଷଣ ଜୈବ ବିବିଧତା ତଥା ପରିବେଶର ସନ୍ତୁଳନ ବଜାୟ ରଖିବାରେ ସହାୟକ ହୋଇଥାଏ। ତେଣୁ ବାଘ ବଂଶବୃଦ୍ଧି ସହ ଏମାନଙ୍କ ସଂରକ୍ଷଣ ନିତାନ୍ତ ଆବଶ୍ୟକ। ଏନେଇ ଲୋକଙ୍କ ମନରେ ସଚେତନତା ତଥା ଜାଗ୍ରତ ବୃଦ୍ଧି କରିବା ପାଇଁ ପ୍ରତିବର୍ଷ ଜୁଲାଇ ୨୯କୁ ‘ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ’ ଭାବେ ପାଳନ କରାଯାଉଛି। ଚଳିତ ବର୍ଷର ଥିମ୍ ରହିଛି ‘ବାଘମାନଙ୍କ ପାଇଁ ଗର୍ଜନ’। ଦେଶ ତଥା ବିଶ୍ୱରେ ଦିନକୁ ଦିନ ବାଘଙ୍କ ସଂଖ୍ୟା କମିବାରେ ଲାଗିଛି। ଅବୈଧ ଶିକାର ଏହାର ଏକ ପ୍ରମୁଖ କାରଣ ସାଜିଥିବାବେଳେ ଆଧୁନିକତା ନାମରେ ଜଙ୍ଗଲ ନଷ୍ଟ ଏବଂ ଜଳବାୟୁ ପରିବର୍ତ୍ତନ ଭଳି କେତେକ ଆହ୍ବାନର ସମ୍ମୁଖୀନ ହେବାକୁ ପଡୁଛି। ତେବେ ଓଡ଼ିଶାର ଶିମିଳିପାଳରେ ପୂର୍ବାପେକ୍ଷା ବାଘ ସଂଖ୍ୟା ବଢିଥିବାରୁ ଏହାକୁ ନେଇ ବନ୍ୟପ୍ରାଣୀ ପ୍ରେମୀମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ୨୦୩୬ସୁଦ୍ଧା ଶିମିଳିପାଳରେ ବାଘ ସଂଖ୍ୟା ୧୦୦କୁ ପହଞ୍ଚାଇବା ଲକ୍ଷ୍ୟ ନେଇ ସରକାରଙ୍କ ପକ୍ଷରୁ ଚେଷ୍ଟା ଜାରି ରହିଛି। ଏହା ଭାରତର ବ୍ୟାଘ୍ର ସଂରକ୍ଷଣ ରୋଡ୍ମ୍ୟାପ୍ରେ ଶିମିଳିପାଳର ଭୂମିକାକୁ ଆହୁରି ସୁଦୃଢ଼ କରିବ ବୋଲି ବନ ବିଭାଗର ଆଶା ଉଜ୍ଜୀବିତ ହୋଇଛି।