ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ପ୍ରଚଣ୍ଡ ଖରାରେ ଡହଳ ବିକଳ ହେଉଛି ଓଡିଶା। ସକାଳୁ ସକାଳୁ ବାଘ ଭଳିଆ ମାଡି ଆସୁଛି ଖରା। ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଠାରୁ ଏପ୍ରିଲ ୧୬ ପର୍ଯ୍ୟନ୍ତ ରାଜ୍ୟର ସବୁ ସ୍କୁଲ ଛୁଟି। ରାଜ୍ୟ ସରକାର ଏହି ଛୁଟି ଘୋଷଣା କରିଛନ୍ତି। ତେଣୁ ଆସନ୍ତା ୫ ଦିନ ସ୍କୁଲ ବନ୍ଦ ରହିବ ବୋଲି ସ୍ପଷ୍ଟ ହୋଇଛି।ଆସନ୍ତା ୫ଦିନ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଥିବାରୁ ଏହାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି।
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିବା ପରେ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଥିଲା। ଆଜିଠାରୁ ସକାଳୁଆ ସ୍କୁଲ ଖୋଲିଥିଲେ ହେଁ ସରକାରଙ୍କ ନୂଆ ନିଷ୍ପତ୍ତି ଯୋଗୁ ପୁଣି ପିଲାମାନଙ୍କୁ ଆଶ୍ବସ୍ତି ମିଳିଛି ।
ଅନ୍ୟପଟେ ଆଜି ସକାଳ ସାଢ଼େ ୮ ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରର ତାପମାତ୍ର ୩୨ଡିଗ୍ରୀ ଛୁଇଁଥିଲା ବେଳେ ଦିନ ୧୧ଟା ୩୦ ସୁଦ୍ଧା ତାପମାତ୍ରା ୩୯ଡିଗ୍ରୀ ରେକର୍ଡ କରାଯାଇଥିଲା।
ଦିନ ୧୧ଟା ୩୦ ସୁଦ୍ଧା ସମ୍ବଲପୁରରେ ୩୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡ଼ା ୩୭.୬, ଚାନ୍ଦବାଲି ୩୭.୪ ଡିଗ୍ରୀ ବାଲେଶ୍ୱର ୩୬.୮, ହୀରାକୁଦ ୩୬.୨, କେନ୍ଦୁଝର ୩୫.୪,ଗୋପାଳପୁରରେ ୩୪ ଡ଼ିଗ୍ରୀ, ପୁରୀରେ ୩୩.୮ ଡ଼ିଗ୍ରୀ ଓ ପାରାଦୀପ: ୩୨.୮ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଆହୁରି ୫ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗ କେନ୍ଦ୍ର। ସ୍ଥଳଭାଗକୁ ସାମୁଦ୍ରିକ ବାୟୁ ପ୍ରବାହ କମିଥିବାରୁ ତାପମାତ୍ରା ବଢୁଛି।
ଉତ୍ତର- ଉତ୍ତର ପଶ୍ଚିମ ଦିଗରୁ ବହୁଥିବା ଶୁଷ୍କ ବାୟୁ ପ୍ରଭାବରେ ତାପମାତ୍ରା ଆହୁରି ବଢ଼ିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ। ଆସନ୍ତା ୧୬ ତାରିଖ ଯାଏ ଅଗ୍ନିବର୍ଷା ନେଇ ସତର୍କ କରାଇଛି ପାଣିପାଗ ବିଭାଗ।