ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା । ସକାଳ ସାଢେ ୧୦ଟାରୁ ଆରମ୍ଭ ହେବ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(CHSE) ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା । ସକାଳ ୧୦ଟାରୁ ଆରମ୍ଭ ପରୀକ୍ଷା ଆରମ୍ଭ ହୋଇ ଦିନ ଗୋଟାଏରେ ସରିବ । ତେବେ ୩୦ ମିନିଟ ପୂର୍ବରୁ ପହଞ୍ଚିବେ ପରୀକ୍ଷାର୍ଥୀ । କଳା, ବାଣିଜ୍ୟ, ବିଜ୍ଞାନ ସହ ଧନ୍ଦାମୂଳକ ପାଠ୍ୟକ୍ରମରେ ପରୀକ୍ଷା ଦେବେ ୩ ଲକ୍ଷ ୮୬ ହଜାର ୨୫୦ ପରୀକ୍ଷାର୍ଥୀ ।
ରେଗୁଲାର ୩ ଲକ୍ଷ ୬୦ ହଜାର ୧୯୮ ଏବଂ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ୨୬ ହଜାର ୫୨ ଜଣ ରହିଛନ୍ତି । ମୋଟ ୧ ଲକ୍ଷ ୮୬ ହଜାର ୮୮୯ ଜଣ ଛାତ୍ର ପରୀକ୍ଷା ଦେଉଥିବା ବେଳେ ଛାତ୍ରୀଙ୍କ ସଂଖ୍ୟା ୧ ଲକ୍ଷ ୯୯ ହଜାର ୩୬୧ । କଳାରେ ୨ ଲକ୍ଷ ୩୭ ହଜାର ୭୫୦, ବିଜ୍ଞାନରେ ୧ ଲକ୍ଷ ୧୬ ହଜାର ୬୨୦, ବାଣିଜ୍ୟରେ ୨୬ ହଜାର ୮୯ ଜଣ ପରୀକ୍ଷା ଦେଉଥିବା ବେଳେ ଧନ୍ଦାମୂଳକରେ ୫ ହଜାର ୭୯୧ ଜଣ ଚଳିତଥର ପରୀକ୍ଷା ଦେବେ । ଆଜି ପ୍ରଥମ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଦେବେ ବିଜ୍ଞାନ ଛାତ୍ରଛାତ୍ରୀ । ପ୍ରତ୍ୟେକ ଦିନ ଗୋଟିଏ ବିଷୟରେ ହିଁ ପରୀକ୍ଷା ହେବ । ପରୀକ୍ଷାର୍ଥୀଙ୍କୁ ଉତ୍ତର ଖାତା ବ୍ୟତୀତ ଆଡିସନାଲ ସିଟ୍ ଦିଆଯିବ ନାହିଁ ।
ଲେଖିବା ପାଇଁ କଳା ବଲ୍ ପେନ ଏବଂ ଆଡମିଟ୍ କାର୍ଡ ବ୍ୟତୀତ ଅନ୍ୟ କୌଣସି ସାମଗ୍ରୀ ନେଇ ପ୍ରବେଶ କରିପାରିବେ ନାହିଁ ।ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ନେଇ ଅନେକ ବିଭ୍ରାଟ ଦେଖିବାକୁ ମିଳେ । ତେବେ ପରୀକ୍ଷା ସମୟରେ କିମ୍ବା ପୂର୍ବରୁ ସୋସିଆଲ ମିଡିଆରେ ଏଭଳି ଭାଇରାଲ ପ୍ରଶ୍ନପତ୍ରର ଗୁଜବକୁ ବିଶ୍ବାସ ନ କରିବାକୁ ପରିଷଦ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ପରୀକ୍ଷା ନେଇ ତ୍ରିସ୍ତରୀୟ ସ୍କ୍ବାଡ ବ୍ୟବସ୍ଥା ହୋଇଛି । କଡାକଡି ଯାଞ୍ଚ କରିବେ ତ୍ରିସ୍ତରୀୟ ସ୍କ୍ବାଡ । ପରୀକ୍ଷା ହଲ୍ ବ୍ୟତୀତ ପ୍ରଶ୍ନପତ୍ର ଥିବା ହବରୁ ସିସିଟିଭିର ଲାଇଭ ଷ୍ଟ୍ରିମିଂ ହେବ । କଣ୍ଟ୍ରୋଲ ରୁମରୁ ପରୀକ୍ଷା କେନ୍ଦ୍ର ଏବଂ ହବର ନିରୀକ୍ଷଣ ହେବ ।