ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ମହଙ୍ଗା ଦେଖି ବିଲରେ ପଶି ଚୋରି କରିନେଲେ ୨.୫ଲକ୍ଷ ଟଙ୍କାର ବିଲାତି । କର୍ଣ୍ଣାଟକର ହାସନ ଜିଲ୍ଲାର ଗୋନି ସୋମନହାଲି ଗାଁରେ ରହିଛି ଏହି ବିଲ । ଯେଉଁଠି ମହିଳା ଚାଷୀ ଧରଣୀ ବିଲାତି ଚାଷ କରିଛନ୍ତି । ହେଲେ ଚୋରମାନେ ତାଙ୍କ ଚାଷବିଲରେ ପଶି ୨.୫ ଲକ୍ଷ ଟଙ୍କାର ବିଲାତି ଚୋରି କରିନେଇଛନ୍ତି । ଏବେ ବିଲାତି ଗଛ ଅଛି କିନ୍ତୁ ବିଲାତି ନାହିଁ । କେବଳ କେଉଁଠି ଗୋଟିଏ ଦୁଇଟା ବିଲାତି ରହିଛି । ମଙ୍ଗଳବାର ହୋଇଥିବା ଏହି ଚୋରି ସେତେବେଳେ ସାମ୍ନାକୁ ଆସିଛି ଯେତେବେଳେ ସାରା ଦେଶରେ ଟମାଟୋ ଦର ଆକାଶଛୁଆଁ ରହିଛି । ଏବେ ପେଟ୍ରୋଲ ଲିଟର ପିଛା ଶହେ ଟଙ୍କାରେ ରହିଥିବା ବେଳେ ବିଲାତି ଦର ତାଠୁ ଅଧିକ ରହିଛି । ଚୋରି ହୋଇଥିବା ବିଲାତିର ଦାମ ପ୍ରାୟ ଅଢେଇ ଲକ୍ଷ ଟଙ୍କା ବୋଲି ଜଣାପଡିଛି ।
କର୍ଣ୍ଣାଟକର ପାଣିପାଗ ବିଲାତି ଭଳି ପରିବା ଚାଷକୁ ବେଶ ସୁହାଏ । ଏପରି ସ୍ଥିତିରେ ଅଧିକାଂଶ ଚାଷୀ ଗାଁ ଗୁଡିକରେ ଟମାଟୋ, ବାଇଗଣ ଆଦି ଚାଷ କରନ୍ତି । କିନ୍ତୁ ଧରଣୀଙ୍କ କ୍ଷେତ୍ରରେ ଯାହା ଘଟିଲା ତାହା ତାଙ୍କ ଚିନ୍ତା ବଢାଇ ଦେଇଛି । ସେ ବିଲରେ ପରିବା ଚାଷ କରିବାକୁ ଯାଇ ବ୍ୟାଙ୍କରୁ ଋଣ ଆଣିଥିବା ଦାବି କରିଛନ୍ତି । ଏବେ ଏହାକୁ ନେଇ ସେ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଆଉ ପୋଲିସ ମଧ୍ୟ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।