ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଏବେ ପର୍ଯ୍ୟଟନ ଋତୁ ଚାଲିଥିବା ବେଳେ ପର୍ଯ୍ୟଟନ ସ୍ଥଳୀର ମଜା ନେବା ସହିତ ପରିବାର ସହିତ ସମୟ ଅତିବାହିତ କରିବା ପାଂଇ ବିଭିନ୍ନ ବେଳାଭୂମି ସମେତ ପର୍ଯ୍ଯଟନସ୍ଥଳୀ ଗୁଡିକ ରେ ପର୍ଯ୍ଯଟକଙ୍କ ଭିଡ ଜମୁଛି। ତେବେ ସ୍ଥାନୀୟ କିଛି ଅସାମାଜିକ ଲୋକ ବାହାରୁ ଆସୁଥିବା ପର୍ଯ୍ଯଟକ ମାନଙ୍କୁ ହଇରାଣ କରିବା ସହିତ ସେମାନଙ୍କର ଭିଡିଓ ଉତ୍ତୋଳନ କରି ଭାଇରାଲ୍ କରିବାର ଧମକ୍ ଦେଇ ଅର୍ଥ ଆଦାୟ କରୁଥିବା ଅଭିଯୋଗ ହୋଇଛି। ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଡଗରା ବେଳାଭୂମିରେ ପର୍ଯ୍ଯଟକ ଙ୍କୁ ଧମକାଇ ଅର୍ଥ ଆଦାୟ କରୁଥିବା ର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବାଲେଶ୍ଵରରୁ ଦୁଇଜଣ ଯୁବକ ଏବଂ ଜଣେ ଝିଅ ଡଗରା ବେଳାଭୂମିକୁ ବୁଲିବା ପାଇଁ ଆସିଥିବା ବେଳେ ସେମାନେ ଝାଉଁ ଜଙ୍ଗଲ ମଧ୍ୟରେ ଫଟୋ ଉଠାଉଥିବା ସମୟରେ ସ୍ଥାନୀୟ କିଛି ଅସାମାଜିକ ଲୋକ ସେମାନଙ୍କୁ ଘେରିଯିବା ସହିତ ତାଙ୍କର ଭିଡିଓ ଉତ୍ତୋଳନ କରିଥିଲେ।
ସେମାନେ ଝିଅକୁ ଖରାପ ଭାଷା ରେ ଗାଳିଗୁଲଜ କରୁଥିବା ବେଳେ ଯୁବକ ଜଣକ ଏହାକୁ ବିରୋଧ କରିଥିଲେ। ଏହାପରେ ଅସାମାଜିକ ଯୁବକମାନେ ସେମାନଙ୍କ ଠାରୁ ୬ ହଜାର ଟଙ୍କା ଦେବା ପାଇଁ ଦାବି କରିଥିବା ବେଳେ ଯୁବକ ଜଣକ ବହୁ ନିବେଦନ ପରେ ହଜାରେ ଟଙ୍କା ଦେଇ ସେଠାରୁ ଚାଲି ଯାଇଥିଲେ। ପରବର୍ତ୍ତୀ ସମୟରେ ଉକ୍ତ ଅସାମାଜିକ ଯୁବକ ମାନେ ଉତ୍ତୋଳନ କରିଥିବା ଭିଡିଓକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଦେଇଥିବାରୁ ଏହା ଏବେ ମୋବାଇଲରୁ ମୋବାଇଲ ଭାଇରାଲ୍ ହେବାରେ ଲାଗିଛି। ତେଣୁ ସ୍ଥାନୀୟ ପ୍ରଶାସନ ଏପରି ଅସାମାଜିକ କାର୍ଯ୍ୟ କରିଥିବା ଯୁବକ ମାନଙ୍କ ଉପରେ ଦୃଢ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।