ଓଡ଼ିଆ ନ୍ୟୁଜ(ବ୍ୟୁରୋ): ମଦ ବିକ୍ରିକୁ ବିରୋଧ କରି ମଦଭାଟି ଭାଙ୍ଗିଲେ ସ୍ବୟଂ ସହାୟକ ଗୋଷ୍ଠୀ ମହିଳା। ଚୋରା ମଦ ବିକ୍ରିକୁ ବିରୋଧ କରିବା ସହ ମଦଭାଟି ଭାଙ୍ଗିଲେ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା। ଘଟଣାଟି ଘଟିଛି ବୈପାରିଗୁଡା ବ୍ଲକ ଅନ୍ତର୍ଗତ ପେନ୍ଦାପଡା ପଞ୍ଚାୟତର ବଡପଡା ଗ୍ରାମରେ। ବଡପଡାରେ ରହିଥିବା ଗୁପ୍ତେଶ୍ୱର ସ୍ବୟଂ ସହାୟକ ଗୋଷ୍ଠୀ, ମାଆ ତାରିଣୀ ସ୍ବୟଂ ସହାୟକ ଗୋଷ୍ଠୀ, ମାଆ ଧରଣୀ ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ମାଆ ବୃନ୍ଦାବତୀ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ଆଜି ମିଳିତ ଭାବେ ମଦ ବିରୋଧ ଆନ୍ଦୋଳନ ଆରମ୍ଭ କରିବା ସହ ଚୋରା ମଦ ବିକ୍ରି ଏବଂ ମଦଭାଟି ଉପରେ ଚଢ଼ଉ କରିଥିଲେ। ବଡପଡା ଗ୍ରାମର ଏକ ସାହିରେ ପ୍ରତ୍ୟେକ ଘରେ ଚୋରା ମଦ ଖୁଲମଖୁଲା ଭାବେ ବିକ୍ରି କରାଯାଉଥିବା ବେଳେ ଅନେକ ମଦ ପିଇ ବିଶୃଙ୍ଖଳା ସୃଷ୍ଟି କରିବା ସହ ପାରିବାରିକ ଅଶାନ୍ତିର କାରଣ ସାଜୁଥିଲେ। ଏହାଛଡ଼ା ଏକ ବର୍ଷ ଭିତରେ ୪୦ ବର୍ଷରୁ କମ ବୟସର ୮ ଜଣ ମଦ ପିଇ ଅକାଳରେ ମୃତ୍ୟୁବରଣ କରିବା ଫଳରେ ସେମାନଙ୍କ ସଂସାର ଉଜୁଡି ଯାଇଥିବାରୁ ଆଜି ଏହି ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଚରମ ପଦକ୍ଷେପ ନେଇଥିଲେ।
ମଦ ବିକ୍ରି ହେଉଥିବା ସାହିର ପ୍ରତ୍ୟେକ ଘରୁ ଚୋରା ଦେଶୀ ଓ ବିଦେଶୀ ମଦ ବାହାରକୁ ଆଣି ନଷ୍ଟ କରିଥିଲେ। ରାମଗିରି ଥାନା ଏଏସ୍ଆଇ ବଳରାମ ହିକକାଙ୍କ ଉପସ୍ଥିତିରେ ମଦ ନଷ୍ଟ କରିବା ସହ ପାଖ ଜଙ୍ଗଲ ଭିତରକୁ ପଶିଥିଲେ। ଜଂଗଲ ଭିତରେ ସାତଟି ଜାଗାରେ ଚୋରାରେ ମଦ ରନ୍ଧା ଯାଉଥିବାରୁ ସେଠାରେ ପହଞ୍ଚି ମଦ ଏବଂ ପୋଚ ଢାଳି ନଷ୍ଟ କରିଥିଲେ। ଏଥିସହ ତିନୋଟି ମଦଭାଟି ମଧ୍ୟ ଭାଙ୍ଗିଥିଲେ। ପୁଲିସ ଏବଂ ଗ୍ରାମବାସୀଙ୍କ ଉପସ୍ଥିତିରେ ଘଣ୍ଟା ଘଣ୍ଟା ଧରି ଏହି ଅଭିଯାନ ଚାଲିଥିଲା। ବଡପଡା ଗ୍ରାମକୁ ଆଦର୍ଶ ଗ୍ରାମ ରୂପେ ଗଠନ କରିବା ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଚୋରା ମଦ ବିକ୍ରି ଏହି ଯୋଜନାର ବାଧକ ସାଜି ଥିବାରୁ ସେମାନେ ଏଭଳି ଦୃଢ଼ ପଦକ୍ଷେପ ନେଇଥିବା ପ୍ରକାଶ କରିଛନ୍ତି। ଆଗକୁ ଯଦି ମଦ ବିକ୍ରି ଚାଲେ ତେବେ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ବାରମ୍ବାର ଏଭଳି ପଦକ୍ଷେପ ନେବେ ବୋଲି କହିଛନ୍ତି |