ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସୁବର୍ଣ୍ଣପୁର ଜିଲା ବିନିକା ଥାନା ଭଣ୍ଡାର ପଞ୍ଚାୟତ ଚୁଲିମାଲରେ ଅଭାବନୀୟ ଘଟଣା ଘଟିଛି। ପୁଲିସ୍ ସର୍ଭିସ୍ ପିସ୍ତଲରୁ ଗୁଳି ଫୁଟି ୨ଜଣ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ପୁଲିସର ସର୍ଭିସ୍ ପିସ୍ତଲ ଗୁଳିରେ କନଷ୍ଟେବଳ ତଥା ସୋନପୁର ବିଧାୟକ ନିରଞ୍ଜନ ପୂଜାରୀଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ (ପିଏସ୍ଓ) ମନୋଜ ଝାଙ୍କର (୩୦) ଓ ତାଙ୍କ ସମ୍ପର୍କୀୟ ଭାଇ ଶେଷଦେବ ଝାଙ୍କର (୨୮)ଙ୍କର ମୃତ୍ୟୁ ଘଟିଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ମନୋଜ ନିଜ ଗାଁ ଚୁଲିମାଲକୁ ଯାଇଥିଲେ। ସନ୍ଧ୍ୟାରେ କାକାପୁଅ ଶେଷଦେବ ଓ ଅନ୍ୟ ଦୁଇଜଣଙ୍କ ସହ ଚୁଲିମାଲ ଗାଁର ପାତ୍ରବେର୍ଣ୍ଣା ପଡ଼ିଆକୁ ଆସିଥିଲେ। ୪ ଜଣ ଯାକ ପାତ୍ରବେର୍ଣ୍ଣା ପଡ଼ିଆରେ ଏକାଠି ହୋଇଥିଲେ। ତେବେ କିଛି ସମୟ ପରେ ଉଭୟ ମନୋଜ ଓ ଶେଷଦେବଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ପଡ଼ିଆରେ ପଡ଼ିଥିବା ଲୋକେ ଦେଖିବାକୁ ପାଇଥିଲେ। ଉଭୟଙ୍କ ମୁଣ୍ଡରେ ଗୁଳି ବାଜିଥିବା ଜଣାଯାଇଛି। ଉଭୟ ଅଭିଯୁକ୍ତ ଚୁଲିମାଲ ଗାଁର ବୋଲି ଜଣାପଡିଛି। ମଙ୍ଗଳବାର ପୁଲିସ୍ ପିସ୍ତଲରୁ ଅତି ରହସ୍ୟଜନକ ଭାବେ ଗୁଳି ଫୁଟି ଦୁଇ ଜଣଙ୍କର ପ୍ରାଣହାନୀ ହୋଇଥିଲା। ମୃତକ ଦୁଇ ଜଣ ହେଉଛନ୍ତି ମନୋଜ ଝାଙ୍କର ଏବଂ ସହଦେବ ଝାଙ୍କର। ଉଭୟ ସମ୍ପକୀୟ ଭାଈ।
ଏବଂ ଏମାନଙ୍କ ଘର ବିନିକା ଥାନା ଭଣ୍ଡାର ପଞ୍ଚାୟତ ଚୁଲିମାଲ ଗାଁରେ ବୋଲି ଜଣାପଡିଛି। ଖୋଲା ପଡିଆରୁ ଉଭୟଙ୍କ ରକ୍ତାକ୍ତ ମୃତଦେହ ମିଳିଥିଲା। ମୃତଦେହ ନିକଟରୁ ପୁଲିସ୍ ସର୍ଭିସ୍ ପିସ୍ତଲ ମିଳିଥିବାବେଳେ ମୃତ ପୁଲିସ୍ କନେଷ୍ଟବଳ ଜଣକ ପିଏସଓ ଥିବାର ସୂଚନା ମିଳିଛି। ଦୁଇ ଜଣଙ୍କ ମୁଣ୍ଡରେ ଗୁଳି ବାଜିଛି। ଏବଂ ଦୁଇ ଜଣଙ୍କୁ କିଏ ଏବଂ କାହିଁକି ଗୁଳି କଲା, କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଛି, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ। ପୁଲିସ୍ ଏହି ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛି।