ସମ୍ବଲପୁର ବିଶ୍ବବିଦ୍ୟାଳୟରେ ‘ଜାତୀୟ ଶିକ୍ଷାନୀତି-୨୦୨୦’ ଉପରେ ଅନୁଷ୍ଠିତ ଆଲୋଚନା ସଭାରେ ଏହା କହିଲେ ଧର୍ମେନ୍ଦ୍ର

0

ଓଡିଆ ନ୍ୟୁଜ (ବ୍ୟୁରୋ) : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ବିଶ୍ବବିଦ୍ୟାଳୟରେ ‘ଜାତୀୟ ଶିକ୍ଷାନୀତି-୨୦୨୦’ ଉପରେ ଅନୁଷ୍ଠିତ ଏକ ଆଲୋଚନା ସଭାରେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସଂପନ୍ନ ଜାତୀୟ ଶିକ୍ଷାନୀତିରେ ଅନେକ ବିଷୟରେ ଅଧିକ ଗୁରୁତ୍ୱ ଦିଆଯାଇଛି। ୩ ବର୍ଷରୁ ୮ବର୍ଷର ଶିଶୁଙ୍କ ଶିକ୍ଷା ପ୍ରବେଶ ସହ ମାତୃଭାଷାରେ ପଢ଼ାଇବାର ବ୍ୟବସ୍ଥା ହୋଇଛି। ଏକାଧିକ ଶିକ୍ଷା ପ୍ରବେଶ ସହ ବହୁମୁଖୀ ଶିକ୍ଷାର କଳ୍ପନା କରାଯାଇଛି। ଆଜିର ପ୍ରାଦ୍ୟୋଗିକ ଦୁନିଆରେ ଜାତୀୟ ଶିକ୍ଷା ନୀତି ଆଧାରରେ ଯୁବପିଢ଼ିଙ୍କୁ ନିଯୁକ୍ତିଦାତା ବନାଇବା ସହ ଜ୍ଞାନ ଓ ଦକ୍ଷତା ବୃଦ୍ଧି କରିବା ଏବଂ ବିଶ୍ୱ ସମସ୍ୟାର ସମାଧାନ ପାଇଁ ଗୁରୁତ୍ୱ ଦିଆଯାଉଛି। ଅତ୍ୟାଧୁନିକ ଗବେଷଣା କ୍ଷେତ୍ରରେ ଆଗେଇ ନେବା ପାଇଁ ପ୍ରୟାସ କରାଯାଉଛି। ଅମୃତକାଳରେ ଭାରତର ଅମୃତ ବିନ୍ଦୁ ଭାବରେ ଛାତ୍ରଛାତ୍ରୀମାନେ ବିକଶିତ ଭାରତ ପାଇଁ ବଡ଼ ଦାୟିତ୍ୱ ନିଅନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ, ରଙ୍ଗବତୀ କେବଳ ଏକ ଗୀତ ନୁହେଁ, ଏହା ଏକ ବିଚାର ଓ ସଂସ୍କୃତିର ଅଭିବ୍ୟକ୍ତି।

ଏହି ଗୀତର ଲୋକପ୍ରିୟତା ଜାଣିବା ପାଇଁ ମଧ୍ୟ ଗବେଷଣା ହେବା ଆବଶ୍ୟକ। ଏହି ଅବସରରେ ଶ୍ରୀ ପ୍ରଧାନ ବିଶ୍ୱବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ସହ ବୃକ୍ଷରୋପଣ କରିଥିଲେ। ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ବିଧୁଭୂଷଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ପିଜି କାଉନ୍‌ସିଲ ଅଧ୍ୟକ୍ଷ ପ୍ରଫେସର ସଂଯୁକ୍ତ ଦାସ, କୁଳସଚବ ଡ. ନୃପରାଜ ସାହୁ ଓ ଜାତୀୟ ଶିକ୍ଷାନୀତିର ସଂଯୋଜକ ଡ. ରାମନରେଶ ମହାଲିଂଗ ଉପସ୍ଥିତ ଥିଲେ। ଏହା ପୂର୍ବରୁ ସେ ଆଇଆଇଏମ୍‌ ସମ୍ବଲପୁର କ୍ୟାମ୍ପସ୍‌ ପରିଦର୍ଶନ କରିଥିଲେ। ୪୦୦ କୋଟି ବ୍ୟୟ ଅଟକଳରେ ନିର୍ମିତ ଏହି ଶିକ୍ଷାନୁଷ୍ଠାନର କୋଠାକୁ ଶୀଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ଘାଟନ କରିବାକୁ ଆସିବେ। ସ୍ଥାନୀୟ ଯୁବକ ଯୁବତୀଙ୍କୁ ଉଦ୍ୟମିତା କରିବା ପାଇଁ ଆଇଆଇଏମ୍‌ ପରିସରରେ ଶୀଘ୍ର ଇନକ୍ୟୁବେସନ ସେଣ୍ଟର ପ୍ରତିଷ୍ଠା ହେବ। ବୁଣାକାରମାନଙ୍କର ଦକ୍ଷତା ବୃଦ୍ଧି ସହ ଗ୍ରାମୀଣ ଅର୍ଥନୀତିକୁ ବଢ଼ାଇବା ପାଇଁ କୃଷକମାନଙ୍କ ଦକ୍ଷତା ବିକାଶ ନିମନ୍ତେ ଶିକ୍ଷାନୁଷ୍ଠାନ ଯୋଜନା କରିଛି। ସ୍ଥାନୀୟ ନିର୍ବାଚିତ ପ୍ରତିନିଧି ସହିତ ସ୍ଥାନୀୟ ପ୍ରଶାସନର ଦକ୍ଷତା ବିକାଶ ପାଇଁ ପରାମର୍ଶ ଦିଆଯାଇଛି ବୋଲି ଶ୍ରୀ ପ୍ରଧାନ କହିଥିଲେ। ଏହି ଅବସରରେ ଆଇଆଇଏମ୍‌ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେବ ଜୟସ୍ବାଲ ଉପସ୍ଥିତ ଥିଲେ। ଭର୍ଚୁଆଲ ପ୍ଲାଟଫର୍ମ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ କରକମଳରେ ‘ଅମୃତ ଭାରତ ଷ୍ଟେସନଦ ଯୋଜନା ଅନ୍ତର୍ଗତ ସାରା ଦେଶରେ ଷ୍ଟେସନର ରୂପାନ୍ତରଣ ପାଇଁ ଶିଳାନ୍ୟାସ କାର୍ୟ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ହୀରାକୁଦ ଷ୍ଟେସନରେ ଉପସ୍ଥିତ ଥିଲେ।

Leave A Reply

Your email address will not be published.