ଓଡ଼ିଆ ନ୍ୟୁଜ୍: ପହଲଗାମ ଆତଙ୍କୀ ଆକ୍ରମଣ ପରେ ଆତଙ୍କବାଦୀ ଓ ସେମାନଙ୍କ ସହଯୋଗୀଙ୍କ ବିରୋଧରେ ଅଭିଯାନ ତୀବ୍ର ହୋଇଛି। ଏହାରି ମଧ୍ୟରେ ଜମ୍ମୁ- କାଶ୍ମୀରର ଯାଞ୍ଚ ଏଜେନ୍ସୀ ଏବଂ ପୋଲିସକୁ ବଡ଼ ସଫଳତା ମିଳିଛି। ପୋଲିସ ଦକ୍ଷିଣ କାଶ୍ମୀରରେ ୨୦ ସ୍ଥାନରେ ରେଡ୍ କରି ସ୍ଲିପର ସେଲର ପର୍ଦ୍ଦାଫାଶ କରିଛି। ଏହି ରେଡ୍ରୁ ବିପୁଳ ପରିମାଣର ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି। ଏହା ସହ କିଛି ସନ୍ଦିଗ୍ଧଙ୍କୁ ହେପାଜତକୁ ନିଆଯାଇଛି। ସେମାନଙ୍କୁ ପଚରାଉଚରା କରାଯାଉଛି।
ରାଜ୍ୟ ଯାଞ୍ଚ ଏଜେନ୍ସୀ ଏସଆଇଏ ଏକ ବିଜ୍ଞପ୍ତିରେ କହିଛି, ଜମ୍ମୁ- କାଶ୍ମୀର ପୋଲିସ କାଶ୍ମୀରରେ କାମ କରୁଥିବା ଆତଙ୍କୀ ସହଯୋଗୀ ଏବଂ ଓଭର ଗ୍ରାଉଣ୍ଡ ଓ୍ବାର୍କର୍ସ ଓଜିଡବ୍ଲୁଙ୍କ ଉପରେ ନଜର ରଖିଛନ୍ତି। ଗୁଇନ୍ଦା ସୂଚନାରୁ ଜଣାପଡ଼ିଛି କାଶ୍ମୀରରେ ଅନେକ ସ୍ଲିପର ସେଲ ଆକ୍ଟିଭ ଅଛନ୍ତି। ସେମାନେ ପାକିସ୍ତାନରେ ବସିଥିବା ସେମାନଙ୍କ ମୁଖିଆଙ୍କ ସହ ସିଧା ସମ୍ପର୍କରେ ଥିଲେ । ସୁରକ୍ଷା ବଳ ଏବଂ ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନ ବିଷୟରେ ସମ୍ବେଦନଶୀଳ ଏବଂ ରଣନୀତିକ ସୂଚନାକୁ ମେସେଜିଂ ହ୍ବାଟ୍ସଆପ୍, ଟେଲିଗ୍ରାମ, ସିଗ୍ନାଲ ମାଧ୍ୟମରେ ପହଞ୍ଚାଉଥିଲେ।