ଘନ କୁହୁଡ଼ିରେ ଚାରିଆଡ଼େ ଧୂଆଁ ଧୂଆଁ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ସାରା ରାଜ୍ୟରେ ଅସହ୍ୟ ଜାଡ । ପାରଦ ତଳକୁ ତଳକୁ ଖସୁଛି । ଥଣ୍ଡାରେ ଥରୁଛନ୍ତି ସମସ୍ତେ । ତେବେ ରାଜ୍ୟ ମଧ୍ୟକୁ ଉତ୍ତର ତଥା ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଥଣ୍ଡା ବାୟୁ ପ୍ରବାହ ଦୁର୍ବଳ ଏବଂ ଆକାଶ ନିର୍ମଳ ଥିବାରୁ ଆଜିଠୁ ଶୀତର ପ୍ରକୋପ ସାମାନ୍ୟ କମିବା ସମ୍ଭାବନା ରହିଛି | ଏଥିସହ ୨୫ ତାରିଖ ଯାଏଁ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ଘନ କୁହୁଡି ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଘନ କୁହୁଡ଼ି ଯୋଗୁଁ ଦୃଶ୍ୟମାନ ଦୂରତା ୨୦୦ ମିଟରରୁ କମ୍ ରହିବା ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଅନ୍ୟପକ୍ଷରେ ଆକାଶ ନିର୍ମଳ ରହୁଥିବାରୁ କେତେକ ଜିଲ୍ଲାରେ ୨୫ ତାରିଖ ସକାଳ ପର୍ଯ୍ୟନ୍ତ ଘନ କୁହୁଡ଼ି ଦୃଶ୍ୟମାନ ହେବାର ସମ୍ଭାବନା ଅଧିକ ରହିଛି। ଏପରିକି ଦୃଶ୍ୟମାନ ଦୂରତା ୨୦୦ ମିଟରରୁ କମ୍‌ ରହିପାରେ। ଏଣୁ ଆସନ୍ତା ୩ ଦିନ ଯାଏଁ କିଛି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ବାୟୁମଣ୍ଡଳରେ ଏକ ଗୁରୁଚାପ ବଳୟ ସୃଷ୍ଟି ହେବାକୁ ଥିବାରୁ ୨୩ ଓ ୨୪ ତାରିଖରେ ପ୍ରବଳ କୁହୁଡ଼ି ପାଇଁ ଚେତାବନୀ ଜାରି ହୋଇଛି। ଉପକୂଳ ସମେତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ କୁହୁଡ଼ିର ମାତ୍ରା ଅଧିକ ରହିବ।

୨୩ ତାରିଖରେ ୧୩ ଜିଲ୍ଲା, ୨୪ ତାରିଖରେ ୧୪ ଜିଲ୍ଲା ଓ ୨୫ ତାରିଖ ପାଇଁ ୨୧ ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ପୁଲିସ ଓ ପରିବହନ ବିଭାଗର ଅଧିକାରୀମାନେ ଏଦିଗରେ ପଦକ୍ଷେପ ନେବା ସହ ଘନ କୁହୁଡ଼ି ସମୟରେ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ଯେପରି ସୁରୁଖୁରରେ ହୋଇପାରିବ ତାହାକୁ ସୁନିଶ୍ଚିତ କରିବାକୁ ସ୍ବତନ୍ତ୍ର ରିଲିଫ୍‌ କମିସନର(ଏସ୍‌ଆର୍‌ସି) ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଚିଠି ଲେଖିଛନ୍ତି। ସେପଟେ ରାଜ୍ୟରେ ହାଡ଼ଭଙ୍ଗା ଶୀତ ଲହରି ଜାରି ରହିଛି। ରାଜ୍ୟର ୧୬ଟି ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ତଳେ ରହିଥିବା ବେଳେ ଉପକୂଳ ଓଡ଼ିଶାରେ ସାମାନ୍ୟ ବୃଦ୍ଧି ପାଇଛି। କନ୍ଧମାଳ ଜିଲ୍ଲା ଜି. ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୪.୬ ଡିଗ୍ରି ରେକର୍ଡ କରାଯାଇଛି।

Leave A Reply

Your email address will not be published.