ପକ୍ଷୀ ବଞ୍ଚାଇବା ପାଇଁ ଘରେ ଘରେ ଲଗାଗଲା ମାଟିପାତ୍ର, ୟୁଥ ଫର ସେବାର ୩୦ ରୁ ଉର୍ଦ୍ଧ୍ଵ ଯୁବସାଥି କାର୍ଯ୍ୟକ୍ରମରେ ସାମିଲ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଥିବାବେଳେ ଜଳ ଉତ୍ସ ସବୁ ଶୁଖିବାରେ ଲାଗିଛି। ଫଳରେ ମଣିଷଙ୍କ ବ୍ୟତୀତ ବୁଲା ପଶୁ ପକ୍ଷୀମାନେ ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଛନ୍ତି। ଜଳକଷ୍ଟ ମଧ୍ୟରେ ଜୀବଜଗତ ନିଜର ସତ୍ତା ବଞ୍ଚାଇବାକୁ ସଂଘର୍ଷ ଜାରି ରଖିଛନ୍ତି। ଏହିଭଳି ଘଡିସନ୍ଧି ମୁହୁର୍ତ୍ତରେ ଅନେକ ସ୍ୱେଛାସେବୀ ଜନହିତକର କାର୍ଯ୍ୟ ପାଇଁ ସ୍ୱେଛାକୃତ ଭାବରେ ପଦାକୁ ବାହାରୁଛନ୍ତି। ପରିବେଶ ପ୍ରଦୂଷଣ ତଥା ଗ୍ଲୋବାଲ ୱାର୍ମିଂ ଯୋଗୁଁ ସମଗ୍ର ବିଶ୍ବରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଅଦ୍ୟାବଧି ସମଗ୍ର ରାଜ୍ୟରେ ତାପମାତ୍ରା କେତେକ ସହରରେ ୪୨ ଡିଗ୍ରୀ ଅତିକ୍ରମ କରିଛି। ପ୍ରବଳ ରୌଦ୍ରତାପ ତଥା ଜଳାଭାବ ଯୋଗୁଁ ମଣିଷଙ୍କ ସହ ପଶୁପକ୍ଷୀଙ୍କ ଜୀବନ ମଧ୍ୟ ଦୁର୍ବିସହ ହୋଇପଡିଛି । ଜଳାଭାବରୁ ଅନେକ ପକ୍ଷୀ ମୃତ୍ୟୁବରଣ କରୁଛନ୍ତି। ପ୍ରତିବର୍ଷ ବଢୁଥିବା ତାପମାତ୍ରା ଏବଂ ପକ୍ଷୀଙ୍କ ମୃତ୍ୟୁକୁ ହୃଦୟଙ୍ଗମ କରି ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ୟୁଥ ଫର ସେବା ଭୁବନେଶ୍ବର ପକ୍ଷରୁ ପକ୍ଷୀ ବଞ୍ଚାଅ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।

ଆଜି ୟୁଥ ଫର ସେବା ପକ୍ଷରୁ ୟୁନିଟ-୬ ଠାରେ ୩୦ ରୁ ଉର୍ଦ୍ଧ୍ଵ ଯୁବ ସାଥୀଙ୍କୁ ନେଇ ଘରେ ଘରେ ପକ୍ଷୀ ବଞ୍ଚାଅ ସଚେତନତା ଆରମ୍ଭ କରାଯାଇଛି । “ପ୍ରକୃତି ବଞ୍ଚିଲେ ଆମେ ବଞ୍ଚିବା”ର ନାରା ସହିତ ସହରର ଅନେକ ଘରେ ଅନୁଷ୍ଠାନ ପକ୍ଷରୁ ମାଟିପାତ୍ର ବନ୍ଧାଯିବା ସହ ସେଥିରେ ପ୍ରତିଦିନ ପାଣି ରଖିବା ପାଇଁ ଲୋକଙ୍କୁ ସଚେତନ କରାଯାଇଛି, ଯାହାଦ୍ୱାରା ପ୍ରକୃତିର ଏକ ଅନନ୍ୟ ସୃଷ୍ଟି ପକ୍ଷୀମାନେ ପିଇବାକୁ ଯଥେଷ୍ଟ ପାଣି ପାଇବା ସହ ମୃତ୍ୟୁମୁଖରୁ ବଞ୍ଚିପାରିବେ।

ଆଜିର ଏହି ସଚେତନତା ଅଭିଯାନରେ ୟୁଥ ଫର ସେବା ସାମ୍ବାଦିକ ସନ୍ତୋଷ ପଣ୍ଡା ଭୁବନେଶ୍ବର ଚାପ୍ଟର କୋର୍ଡିନେଟର ଜ୍ଞାନରଞ୍ଜନଙ୍କ ସହିତ ପପୁ ନାୟକ,ଲକ୍ଷ୍ମୀପ୍ରିୟା କର, ଅଭିଜିତ ସାମଲ, ତୃପ୍ତି ବେହେରା , ଆଶା, ସମୀର , ଦେବସ୍ମିତା ଏବଂ ଅନେକ କଲେଜ ପଢୁଆ ସାଥିମାନେ ଉପସ୍ଥିତ ରହି ଲୋକଙ୍କୁ ସଚେତନ କରାଇଛନ୍ତି।

Leave A Reply

Your email address will not be published.