ଓଡିଆ ନ୍ୟୁଜ୍(ବ୍ୟୁରୋ): ବିସ୍ଥାପନ ଓ ଜଙ୍ଗଲ କାଟିବା ବିରୋଧରେ ଏକ ଦଶନ୍ଧି ଧରି ଚାଲି ଆସୁଥିବା ପ୍ରତିରୋଧ ସତ୍ୱେ ମଧ୍ୟ କଂଗ୍ରେସ ନେତୃତ୍ୱ ଦ୍ୱାରା ପରିଚାଳିତ ଛତିଶଗଡ ସରକାର ୬ ଅପ୍ରେଲରେ ହାସଦେବ ଜଙ୍ଗଲର ଗଛ କାଟିବା ଏବଂ ଖଣି ଖନନ ପାଇଁ ଅନ୍ତିମ ମଞ୍ଜୁରୀ ଦେଇସାରିଛି, ଯାହା କଂଗ୍ରେସ ସରକାରଙ୍କ ବିଜେପି ଦଳର ଜନବିରୋଧୀ ତଥା ଆଦିବାସୀ ବିରୋଧୀ ନୀତି ସହ ସମାନ।
ସେହିଠାରେ ଜଙ୍ଗଲ କାଟିବା ବିରୋଧରେ ସଂଘର୍ଷ କରୁଥିବା ଆଦିବାସୀ ମାନଙ୍କ ଉପରେ ଅଦାନୀ ଗୃପର କର୍ମଚାରୀ ଅନୁପମ ଦତ୍ତର ଆରୋପରେ ୧୫ ଏପ୍ରିଲ ରେ ମକଦ୍ଦମା ରୁଜ୍ଜୁ କରାଯାଇଥିଲା। ହାସଦେବ ଜଙ୍ଗଲ ବଞ୍ଚାଅ କମିଟିର ଆହ୍ୱାନକୁ ସମର୍ଥନ କରି ଆଜି (୪ ମେ ୨୦୨୨) ଦେଶବ୍ୟାପୀ ପ୍ରଦର୍ଶନରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରତିବାଦ ଆୟୋଜନ କରାଯାଇଛି। ମର୍ଯ୍ୟାଦାର ସହ ବଞ୍ଚିବାର ଅଭିଯାନ(ସି.ଏସ୍.ଡି), ଇନସାଫ୍, ଲୋକଶକ୍ତି ଅଭିଯାନ, ସମ୍ବିଧାନ ସୁରକ୍ଷା ଓ ମାନବାଧିକାର ଆନ୍ଦୋଳନ ସହିତ ଜଡିତ ବ୍ୟକ୍ତି ବିଶେଷ ଏହି ପ୍ରତିବାଦରେ ଭାଗ ନେଇଥିଲେ ।
ଭୁବନେଶ୍ବରରେ ଆୟୋଜିତ ପ୍ରତିବାଦରେ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା, ସି.ଏସ୍.ଡି ର ପ୍ରଦୀପ୍ ସାହୁ, ମାନବାଧିକାର କର୍ମୀ ବିଶ୍ୱପ୍ରିୟ କାନୁନଗୋ, ଇନସାଫ୍ ର ନରେନ୍ଦ୍ର ମହାନ୍ତି, ଭିଟାମାଟି ସୁରକ୍ଷା ଆନ୍ଦୋଳନର ଅରୁଣ ଜେନା, ସମ୍ବିଧାନ ସୁରକ୍ଷା ଅଭିଯାନର ମଧୁସ୍ମିତା, ଗଦାଧର ପ୍ରଧାନ, କଲ୍ୟାଣ ଆନନ୍ଦ, ଆଇନଜୀବୀ ନିରଞ୍ଜନ ମହାନ୍ତି, ସାମାଜିକ କର୍ମୀ ସ୍ୱାତୀ ମିଶ୍ର, ହେତୁବାଦୀ ମହମ୍ମଦ ସୁକୁର୍, ଗବେଷକ ଡଃ ଶ୍ରୀଚରଣ, ଦେମେ ଓରାମ୍ ପ୍ରମୁଖ ଏଥିରେ ଯୋଗଦେଇଥିଲେ ।।